ପ୍ଲାଷ୍ଟିକ ଡବାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଭକ୍ତମାନଙ୍କ ପାଇଁ ପାଲଟିଛି ଆକର୍ଷଣର କେନ୍ଦ୍ରବିନ୍ଦୁ

ଚାଲିଛି ମହାପ୍ରଭୁଙ୍କ ରଥଯାତ୍ରା । ଏନେଇ ଚାରିଆଡ ଜଗନ୍ନାଥମୟ । ଏହି ଅବସରରେ କିଛି ଛାତ୍ରଛାତ୍ରୀ ନିଜ କଳା ମାଧ୍ୟମରେ ମହାପ୍ରଭୁଙ୍କ ପ୍ରତି ଥିବା ତାଙ୍କର ଭଲ ପାଇବାକୁ ପରିପ୍ରକାଶ କରିଛନ୍ତି । ଅଦରକାରୀ ପ୍ଲାଷ୍ଟିକ ଡବାରେ ତିଆରି କରିଛନ୍ତି ମହାପ୍ରଭୁଙ୍କ ଅତି ସୁନ୍ଦର ପ୍ରତିକୃତି । ଯାହା ଏବେ ଭକ୍ତମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ପବିତ୍ର ରଥଯାତ୍ରା ଅବସରରେ ସାଲବେଗଙ୍କ ସ୍ମୃତି ଚାରଣ କରି ଓଡ଼ିଶା ଚାରୁ ଓ କାରୁ କଳା ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନେ କରିଛନ୍ତି ଏଭଳି ଏକ ଅଭିନବ ଉଦ୍ୟମ ।
ପୁରୀ ବଳଗଣ୍ଡି ନିକଟରେ ରହିଛି ଭକ୍ତ ସାଲବେଗଙ୍କ ସମାଧି ପୀଠ । ଭକ୍ତ ସାଲବେଗଙ୍କୁ ଅପେକ୍ଷା କରି ଏହି ପୀଠ ନିକଟରେ ମହାପ୍ରଭୁଙ୍କ ରଥ ଅଟକି ଥିଲା । ଆଉ ଏହି ସାଧନପୀଠରେ ଭକ୍ତ ସାଲବେଗ ୨୨୨ ଦିନ ଧରି ମହାପ୍ରଭୁଙ୍କ ଚାମର ସେବା କରିଥିଲେ । ପରେ ୧୬୪୬ ମସିହାରେ ଏହିଠାରେ ସେ ପ୍ରାଣତ୍ୟାଗ କରିବାପରେ ତାଙ୍କ ସ୍ମୃତିରେ ଏଠାରେ ନିର୍ମିତ ହୋଇଛି ଏହି ସମାଧି ପୀଠ । ରଥଯାତ୍ରା ସମୟରେ ସାଲବେଗଙ୍କ ସ୍ମୃତି ଚାରଣ କରି ଚରୁକଲା ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ଅବ୍ୟବହୃତ ପ୍ଲାଷ୍ଟିକରୁ ନିର୍ମାଣ କରାଯାଇଛି ମହାପ୍ରଭୁଙ୍କ ଏହି ସୁନ୍ଦର ପ୍ରତିକୃତି ।
ଏହି ଛାତ୍ରଛାତ୍ରୀମାନେ ରଥଯାତ୍ରା ଅବସରରେ ପୁରୀ ଆସୁଥିବା ଭକ୍ତମାନଙ୍କ ପାଇଁ ମହାପ୍ରଭୁ ଜଗନ୍ନାଥଙ୍କର ଏହି ସୁନ୍ଦର ମୂର୍ତ୍ତି ନିର୍ମାଣ କରିଛନ୍ତି । ଜଗନ୍ନାଥଙ୍କ ଏହି ମୂର୍ତ୍ତିରେ ୨୫୦୦ ପ୍ଲାଷ୍ଟିକ ମୂର୍ତ୍ତିକୁ ଯୋଡି ଜଗନ୍ନାଥ ମୂର୍ତ୍ତି ନିର୍ମାଣ କରାଯଇଛି । ଏହାର ଉଚ୍ଚତା ସାଢେ଼ ଛଅ ଫୁଟ ଓ ଏହା ବାଉଁଶ, ପ୍ଲାଷ୍ଟିକ ସୂତା ଦ୍ଵାରା ତିଆରି । ଏହି ମୂର୍ତ୍ତିରେ ଅନେକ ଅବ୍ୟବହୃତ ପ୍ଲାଷ୍ଟିକ ମଧ୍ୟ ବ୍ୟବହାର କରାଯାଇଛି । ରଥଯାତ୍ରାରେ ଆସୁଥିବା ଭକ୍ତ ମହାପ୍ରଭୁଙ୍କ ଏହି ପ୍ରତିକୃତି ଦେଖି ଖୁସି ଅନୁଭବ କରୁଥିବାବେଳେ ଶିଳ୍ପୀମାନଙ୍କ ଏହି ଉଦ୍ୟମର ଖୁବ ପ୍ରଶଂସା କରିଛନ୍ତି ।