ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ବନକଲାଗି ନୀତି: ସନ୍ଧ୍ୟା ୫ଟାରୁ ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ

ପୁରୀ(କେନ୍ୟୁଜ୍): ଆଜି ୫ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ। ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦତ୍ତମହାପାତ୍ର ସେବାୟତମାନେ ମହାପ୍ରଭୁଙ୍କ ବନକଲାଗି ନୀତି ବା ଶ୍ରୀମୁଖ ଶୃଙ୍ଗାର ସେବା କରିବେ। ଏଥିପାଇଁ ଅପରାହ୍ନ ୫ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ପାଇଁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ । ମହାପ୍ରଭୁଙ୍କ ବିଭିନ୍ନ ନୀତିକାନ୍ତି ସରି ଦ୍ୱିତୀୟ ଭୋଗମଣ୍ଡପ ସରିବା ପରେ ମହାପ୍ରଭୁଙ୍କ ବନକଲାଗି ନୀତି କରାଯିବ ।

ଦତ୍ତମହାପାତ୍ର ସେବାୟତ ଗର୍ଭଗୃହକୁ ପ୍ରବେଶ କରି ହିଙ୍ଗୁଳ,ହରିତାଳ, ଶଙ୍ଖ,କେଶର,କର୍ପୁର,କଇଁଥ ଅଠା,କସ୍ତୁରୀ ଓ କଳା ଇତ୍ୟାଦି ବ୍ୟବହାର କରି ବନକଲାଗି ବା ଶ୍ରୀମୁଖ ଶୃଙ୍ଗାର କରିବେ । ବନକଲାଗି ନୀତି ପରେ ଠାକୁରଙ୍କୁ ମହାସ୍ନାନ କରାଯିବା ପରେ ପୁନର୍ବାର ଦର୍ଶନ ଆରମ୍ଭ ହେବ। ।

ଏପଟେ ଗତକାଲି ରାତି ୧୦ଟା ସୁଦ୍ଧା ଶ୍ରୀମନ୍ଦିର ଦ୍ୱାର ବନ୍ଦ କରି ଦିଆଯାଇଥିଲା। ଯାହାଫଳରେ ଯେଉଁ ଭକ୍ତମାନେ ଦର୍ଶନ ଅପେକ୍ଷାରେ ଥିଲେ ସେମାନେ ଦର୍ଶନ ନ ପାଇ ଫେରିଯାଇଛନ୍ତି। ରାଜ୍ୟ ତଥା ରାଜ୍ୟ ବାହାର ଭକ୍ତମାନେ ଏ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ପ୍ରତିଦିନ ରାତି ୧୨ଟାରେ ଦର୍ଶନ ବନ୍ଦ ହେଉଥିବା ବେଳେ ଗତକାଲି ଏତେ ଶୀଘ୍ର କାହିଁକି ଦର୍ଶନ ବନ୍ଦ ହେଲା ବୋଲି ଭକ୍ତ ପ୍ରଶ୍ନ କରିଛନ୍ତି।

Leave A Reply

Your email address will not be published.