ମାଳିକା ବର୍ଣ୍ଣିତ ଛତିଆ ପୀଠର ଅପୂର୍ବ ମହିମା, ଯେଉଁଠି ପୂଜା ପାଆନ୍ତି କଳକୀ ଅବତାର

ଯାଜପୁର (କେ ନ୍ୟୁଜ) : ମାଳିକାରେ ଲେଖିଯାଇଛନ୍ତି ଅଚ୍ୟୁତାନନ୍ଦ। ବାଇଶି ପାହାଚେ ଖେଳିବ ମୀନ। ଅଚ୍ୟୁତାନନ୍ଦଙ୍କର ଏହି ବାଣୀ ମଧ୍ୟ ସତ୍ୟ ହୋଇସାରିଛି। ମାଳିକାରେ ଆଉ ମଧ୍ୟ ରହିଛି ପ୍ରଭୁ ଶ୍ରୀ ଜଗନ୍ନାଥ ୧୩ ତମ ଜନ୍ମରେ କଳକୀ ଅବତାର ଗ୍ରହଣ କରି କଳା ଧଳା ଘୋଡାରେ ଚଢି ୧୨ ହାତ ଖଣ୍ଡାରେ ସମସ୍ତଙ୍କୁ ସଂହାର କରିବେ।

ଯାଜପୁରର ଛତିଆ ବଟ ଏକ ପୁରାତନ ଧର୍ମ ପୀଠ । ମହାତ୍ମା ହାଡିଦାସଙ୍କ ଠାରୁ ଏହି ପୀଠର ମହିମା ବିକାଶ ପାଇଆସିଛି । ଏହା ମାଳିକା ପୀଠ ଭାବରେ ଖ୍ୟାତ । କେବଳ ଓଡିଶାରୁ ନୁହେଁ, ରାଜ୍ୟ ବାହାରୁ ମଧ୍ୟ ଦର୍ଶନାଭିଳାଷୀମାନେ ଏହି କ୍ଷେତ୍ରର କଳାକୃତି ଓ ଦିଅଁଙ୍କୁ ଦର୍ଶନ କରିବାକୁ ଆସିଥାନ୍ତି । ଏହି ପୀଠକୁ ନେଇ ଅନେକ ଲୋକକଥା ରହିଥିବା ବେଳେ ମାଳିକାରେ ଏହା ବର୍ଣ୍ଣିତ ।

chhatia 1

ଯାଜପୁର ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ଛତିଆ ବଟ । ୨୦୦୭ ମସିହାରେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଏହାକୁ ପର୍ଯ୍ୟଟନ କେନ୍ଦ୍ରର ମାନ୍ୟତା ଦେଇଥିଲେ । ୧୬ନଂ ଜାତୀୟ ରାଜପଥ (ପୂର୍ବର ଜଗନ୍ନାଥ ସଡକ) ଛତିଆ ଛକ ପାର୍ଶ୍ୱରେ ଏହା ଅବସ୍ଥିତ । ଏଠାରେ ଥିବା ଜଗନ୍ନାଥ ମନ୍ଦିର ଉତ୍କଳୀୟ ସ୍ଥାପତ୍ୟ କଳାର ଏକ ଜ୍ୱଳନ୍ତ ଉଦାହରଣ । ସନ୍ଥ କବି ହାଡିଦାସଙ୍କ ମାଳିକାରେ ଛତିଆ ବଟର ସ୍ୱତନ୍ତ୍ର ରଚନା କରାଯାଇଛି । ଏଠାରେ ଥିବା ବଟବୃକ୍ଷ ମୂଳେ ନିଜର ସାଧନା ବଳରେ ମହାପୁରୁଷ ହାଡି ଦାସ ନିଜର ଦିବ୍ୟଶକ୍ତି ପ୍ରଦର୍ଶିତ କରିବା ସହ ମାଳିକା ଲେଖି ଯାଇଛନ୍ତି । ସନ୍ଥ ହାଡିଦାସ ଏହି ଠାରେ ହିଁ ସମାଧି ନେଇଥିଲେ । ଏହି ବରଗଛର କିମ୍ବଦନ୍ତୀକୁ ନେଇ ଏହା ଛତିଆ ବଟ ନାମରେ ପରିଚିତ । କେତେ କେତେ ଗୁପ୍ତ ରହସ୍ୟ ଏ ପୀଠରେ ଅଛି । ଏହାକୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ମଧ୍ୟ କୁହାଯାଇଥାଏ ।

CHATIA-1

ପୁଣ୍ୟଧାମ ଛତିଆବଟର ପ୍ରତିଷ୍ଠାତା ହେଉଛନ୍ତି ମହାତ୍ମା ହାଡିଦାସ । ସେ ୧୭୭୨ ମସିହାରେ ଛତିଆ ନିକଟସ୍ଥ ଚମ୍ପାପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଚେମେଇ ଓଝା ଓ ମାତାଙ୍କ ନାମ ଥିଲା ଦେବକୀ । ଖୁବ କମ୍ ବୟସରେ ସେ ନିଜର ପିତାମାତାଙ୍କୁ ହରାଇଥିଲେ । ଅଷ୍ଟାଦଶ ଶତାବ୍ଦୀରେ ଚମ୍ପାପୁର ଛାଡି ହାଡିଦାସ ଛତିଆବଟରେ ଅବସ୍ଥାନ କରିଥିଲେ । ଏହା ପରେ ସାଧନା ବଳରେ ତାଙ୍କର ଅଲୈାକିକ ଶକ୍ତିର ପରି ପ୍ରକାଶ ହୋଇଥିଲା । ଲୋକକଥା ଅନୁସାରେ କଳ୍ପବଟ ମୂଳେ ସନ୍ଥ କବି ହାଡିଦାସ ମାଳିକାର ରଚନା କରିଥିଲେ । କୁହାଯାଏ ଜଗତରନାଥ ଜଗନ୍ନାଥ ଏଠାରେ କଳକୀ ରୂପରେ ପୂଜା ପାଉଛନ୍ତି ।

CHATIA-3

୧୯୯୯ ମହାବାତ୍ୟା ସଂପର୍କରେ ମଧ୍ୟ ମାଳିକାରେ ବର୍ଣ୍ଣିତ ହୋଇଥିଲା । ଏକଥା ମଧ୍ୟ ମାଳିକାରେ ବର୍ଣ୍ଣିତ ଅଛି ସମଗ୍ର ଜୀବଜଗତ ନଷ୍ଟ ହୋଇଯିବ । ସାରା ପୃଥିବୀ ସାଗରରେ ଲୀନ ହୋଇଯିବ । ଶ୍ରୀମନ୍ଦିରରେ ମୀନ ଖେଳିବ ।

ଇଏ ହେଉଛି ମାଳିକାର କଥା । ଭବିଷ୍ୟତକୁ ନେଇ ଆମ ରାଜ୍ୟର ସନ୍ଥମାନେ ଏଭଳି କିଛି ଲେଖି ଯାଇଛନ୍ତି ଯାହା ମଧ୍ୟରୁ କିଛି ଘଟଣା ସତ ହୋଇଛି ବୋଲି ଗବେଷକମାନେ କୁହନ୍ତି । ମାଳିକା ଲେଖିଥିବା ଏଇ ସନ୍ଥ ମାନଙ୍କ ମଧ୍ୟରେ ଅନ୍ୟତମ ହେଉଛନ୍ତି ହାଡ଼ିଦାସ ।

ଛତିଆ ପୀଠରେ ବଡ଼ଭାଇ ବଳଭଦ୍ର ଅବସ୍ଥାନ କରିଛନ୍ତି ହାଡ଼ି ଦାସଙ୍କ ସମାଧି ଉପରେ । ତାଙ୍କ ପଛକୁ ଶ୍ରୀଜଗନ୍ନାଥ ହାଡ଼ିଦାସଙ୍କ ପୁଅ ସାଧୁବର ଦାସଙ୍କ ସମାଧି ଉପରେ ଏବଂ ଭଉଣୀ ସୁଭଦ୍ରା ଅଛନ୍ତି ତାଙ୍କ ପୁଅ ରଘୁବର ଦାସଙ୍କ ସମାଧି ଉପରେ । ଏହି ତିନି ମୂର୍ତ୍ତିଙ୍କୁ ସିଧାସଳଖ ଦେଖି ହୁଏ ନାହିଁ । ସେମାନଙ୍କ ପ୍ରତିଛବି ଦେଖି ହୁଏ ଆଇନାରେ । ତେବେ ପୀଠ ପରିସରରେ ଥିବା ଅନ୍ୟ ଏକ ମନ୍ଦିରରେ ପୂଜା ପାଉଥିବା ଶ୍ରୀଜୀଉଙ୍କୁ ସିଧାସଳଖ ଦେଖିହୁଏ । ଏଠାରେ କିନ୍ତୁ ବ୍ୟତିକ୍ରମ ହେଉଛି, ଶ୍ରୀମନ୍ଦିର ଭଳି ଏଠି ପ୍ରଥମେ ବଳଭଦ୍ର ପରେ ସୁଭଦ୍ରା ଓ ଶେଷକୁ ଶ୍ରୀଜଗନ୍ନାଥ ନାହାନ୍ତି । ଏଠାରେ ପ୍ରଥମେ ଶ୍ରୀଜଗନ୍ନାଥ ତା ପରେ ବଳଭଦ୍ର ଓ ଶେଷକୁ ଅଛନ୍ତି ଦେବୀ ସୁଭଦ୍ରା ।
ଆଉ ଏକ କଥା ଓ କିମ୍ବଦନ୍ତୀ ମଧ୍ୟ ରହିଛି ଏହି ପୀଠରେ । ହାଡ଼ିଦାସଙ୍କ ନାତି ରଘୁବରଙ୍କର କୌଣସି ପୁତ୍ର ସନ୍ତାନ ନଥିଲେ । ତାଙ୍କର ଝିଅଟିଏ ଥିଲେ କନକ । ମନ୍ଦିରକୁ ପ୍ରବେଶ କଲା ବେଳେ ପ୍ରଥମେ ପଡ଼େ ତାଙ୍କରି ସମାଧି । ତା ଉପରେ ତିଆରି ହୋଇଛି କନକ ଦୁର୍ଗା ମନ୍ଦିର ।

ଅନେକ ଲୋକଙ୍କ ଭାବନା, ଏହି ପୀଠ ଯୁଗ ଯୁଗ ଧରି ଅପେକ୍ଷା କରିଛି ସେଇ ଜଗତର ନାଥଙ୍କୁ । ସେଇ କାଳିଆ ସରଆନ୍ତଙ୍କୁ ।

ଯାଜପୁରରୁ ଅବିନେଶ୍ୱର ଶତପଥୀ, କେ ନ୍ୟୁଜ୍‌ ଓଡ଼ିଶା