ଦୁଇ ବର୍ଷ ପୂର୍ବେ ଘରୁ ପଳାଇଥିଲେ ଉଭୟେ: ଏବେ ମିଳୁନି ପ୍ରେମିକାର ପତ୍ତା, ପ୍ରେମିକ ଥାନାରେ ଅଟକ

ବାଂଶପାଳ(କେନ୍ଯୁଜ୍): ପୁଅ ଆଉ ଝିଅ ଅଲଗା ଜାତିର ଥିଲେ। ହେଲେ ଗଢି ଉଠିଥିଲା ପ୍ରେମ ସମ୍ପର୍କ। ହେଲେ ୨ ବର୍ଷ ପୂର୍ବେ ଉଭୟେ ବାହା ହେବା ପାଇଁ ଘର ଛାଡିଥିଲେ। ପ୍ରାୟ ବର୍ଷେ ରୁ ଅଧିକ ସମୟ ଧରି ଝିଅର ସମ୍ପର୍କୀୟଙ୍କ ଘରେ ରହିଥିଲେ। ଏହା ପରେ ଠିକ୍ ବର୍ଷେ ପରେ ଘରକୁ ଫେରିଥିଲେ । କିନ୍ତୁ ଅଧା ରାସ୍ତାରୁ ଆଉ ଦୁହିଁ ଙ୍କର ଫୋନ ଲାଗି ନଥିଲା ।

ହେଲେ କିଛି ମାସ ପୂର୍ବରୁ ପ୍ରେମିକ ଆଉ ଜଣଙ୍କୁ ବାହା ହେଲା । ଏହାପରେ ଝିଅ ଘର ଲୋକ ପ୍ରେମିକକୁ  ଝିଅ କେଉଁ ଆଡେ ଗଲା ବୋଲି ପଚାରିବା ପରେ ସେ  ସନ୍ତୋଷଜନକ ଉତ୍ତର  ଦେଇନପାରିବାରୁ ଏବେ ଝିଅର ଘର ଲୋକେ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଝିଅକୁ ପ୍ରେମିକ ହତ୍ୟା କରିଥିବା ନେଇ ଘର ଲୋକେ ଅଭିଯୋଗ ଆଣିଛନ୍ତି । ପୋଲିସ ପ୍ରେମିକ କୁ ଅଟକ ରଖିଛି। ଏପରି ଏକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ ଥାନା ଅଞ୍ଚଳରେ ।

ନୟାକୋଟ ଗାଁର ଖଗେଶ୍ଵର ଡାଙ୍ଗୁଆ ଓ କସ୍ତୁରୀ ଡାଙ୍ଗୁଆଙ୍କ ସାନ ଝିଅ ନବାତ ଡାଙ୍ଗୁଆ , ଉପର କାଦକଳା ଗାଁ ର ଲାଲମୋହନ ଘଣାଙ୍କ ପୁଅ ଚକ୍ରଧର ଘଣାକୁ ଭଲ ପାଉଥିଲେ। ଭିନ୍ନ ଜାତିର ହୋଇଥିବାରୁ ପୁଅ ଘର ଲୋକେ ଏମାନଙ୍କ ସମ୍ପର୍କକୁ ସ୍ବୀକୃତି ଦେବା ପରିସ୍ଥିତିରେ ନଥିବାରୁ ପ୍ରେମିକ ଚକ୍ରଧର ପ୍ରେମିକା ନବାତକୁ ଗତ ୨୦୧୯ ମସିହା ଅଗଷ୍ଟ ମାସରେ ଘର ନେଇ ପଳାଇ ଥିଲା। ପ୍ରଥମେ କଟକ ରେ କିଛି ଦିନ ରହିବା ପରେ ମୟୁରଭଞ୍ଜ ଜିଲ୍ଲା ଯଶୀପୁର ଥାନା ପଦ୍ମପୁର ଗାଁର ନବାତଙ୍କ ବଡ଼ ଭଉଣୀଙ୍କ ଘରକୁ ପଳାଇ ଥିଲେ। ସେଠି ପ୍ରାୟ ୮ ମାସ ରହିଥିଲେ ।ଚକ୍ରଧର ସେଠାରେ ଟିଉସନ କରି ଚଳୁ ଥିଲେ। ୮ ମାସ ପରେ ବଡ଼ ଭଉଣୀ ଘରୁ ଆଉ ଜଣେ ଭଉଣୀଙ୍କ ଘରକୁ ଯାଇଥିଲେ ଓ ପୁଣି କିଛିଦିନ ପରେ କେନ୍ଦୁଝର କୁ ଆସି ରହିଥିଲେ।

ପ୍ରାୟ ବର୍ଷେ ରୁ ଉର୍ଦ୍ଧ୍ଵ ବାହାରେ ବୁଲିବା ପରେ ଦୁହେଁ ଘରକୁ ଫେରିବାକୁ ଯୋଜନା କରିଥିଲେ । ଯାହା ପ୍ରେମିକା ନବାତଙ୍କ ଭଉଣୀ ମାନେ ଜାଣିଥିଲେ। କିନ୍ତୁ ହଠାତ ଦୁହିଁ ଙ୍କର ଫୋନ ଆଉ ଲାଗିନଥିଲା। ନବାତ ଙ୍କ ଘର ଲୋକେ ଭାବିଥିଲେ ଯେ ହୁଏତ ଦୁହିଁ ଜଣ କେଉଁଠାରେ ଥାଇ ପାରନ୍ତି । କିନ୍ତୁ ଗତ ଜୁଲାଇ ମାସରେ ଚକ୍ରଧର ଘଣା ଆଉ ଗୋଟିଏ ଝିଅ କୁ ବାହା ହୋଇଥିଲେ। ଏକଥା ଜାଣିବା ପରେ ନବାତଙ୍କ ଭଉଣୀ ମାନେ ଆସି ଚକ୍ରଧରଙ୍କୁ ନବାତଙ୍କ ବିଷୟରେ ପଚାରି ଥିଲେ। କିନ୍ତୁ ତା ଠାରୁ ସନ୍ତୋଷଜନକ ଉତ୍ତର ନ ମିଳିବାରୁ ନୟାକୋଟ ଥାନାରେ ଏ ସମ୍ପର୍କରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ନୟାକୋଟ ପୋଲିସ ଚକ୍ରଧର ଘଣା କୁ ଅଟକ ରଖି ପଚରା ଉଚରା କରୁଛି। ନବାତଙ୍କୁ ହତ୍ୟା କରାଯାଇଛି କିମ୍ବା ସେ କେଉଁଠାରେ ଅଛି ତାହା ବର୍ତ୍ତମାନ ସ୍ପଷ୍ଟ ହୋଇନାହିଁ ।

ଏପଟେ  ଅଭିଯୋଗ ହେବାର ୫ ଦିନ ବିତି ଯାଇଥିଲେ ସୁଦ୍ଧା ଅଭିଯୁକ୍ତ ପ୍ରେମିକ ଚକ୍ରଧର ଘଣା କୁ ଅଟକ ରଖି କୌଣସି କାର୍ଯ୍ୟନୁଷ୍ଠାନ ନ ନେଉଥିବା ରୁ ଖଣ୍ଡାଧାର ଆଞ୍ଚଳିକ ମହିଳା ସଂଗଠନ ଆଜି ଆସି ଥାନାରେ ଆନ୍ଦୋଳନରେ ବସିଥିଲେ। ଆଗାମୀ ଦିନରେ ଯଦି ଏ ବିଷୟରେ କିଛି କାର୍ଯ୍ୟାନୁଷ୍ଠାନ ନ ନେବେ ତାହାଲେ ଥାନା ଘେରାଓ କରିବା ସହିତ ରାଜରାସ୍ତାକୁ ଓହ୍ଲାବାକୁ ଚେତାବନୀ ଦିଆଯାଇଛି। ଏ ବାବଦରେ ଥାନା ଅଧିକାରୀଙ୍କୁ ପଚାରିବାରୁ କେମେରା ସାମ୍ନାରେ କୌଣସି ପ୍ରତିକ୍ରିୟା ଦେଇନଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.