ବ୍ରହ୍ମପୁର(କେନ୍ୟୁଜ୍) : ପ୍ରେମ ନିବେଦନ କରି ବିଫଳ ହେବା ପରେ ପ୍ରେମିକାର ଭାଇକୁ ଗଳା କାଟି ହତ୍ୟା କରିଥିଲା ଏକ ତରଫା ପ୍ରେମ କରୁଥିବା ପ୍ରେମିକ । ଏଭଳି ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଗୁରୁଣ୍ଠି ଗ୍ରାମରେ । ଗାଁର କୁନୁ ସେଠୀ ନାମକ ଜଣେ ନାବାଳକକୁ ଗଳା କାଟି ହତ୍ୟା ଘଟଣାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ।
ଘଟଣା ଅନୁଯାୟୀ, ଗିରଫ ଅଭିଯୁକ୍ତ ଜଣକ ହେଲେ ଛତ୍ରପୁର ଥାନା ଅନ୍ତର୍ଗତ ବ୍ରାହ୍ମଣିଆପଲ୍ଲୀ ଗାଁର ଲିଙ୍ଗରାଜ ସେଠୀ ଓରଫ ଲିଙ୍ଗା । ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀ ଓ ରକ୍ତ ଛିଟା ଲାଗିଥିବା ସାର୍ଟ ଓ ପ୍ୟାଣ୍ଟକୁ ମଧ୍ୟ ଜବତ କରିଛି ପୋଲିସ । ବ୍ରାହ୍ମଣିଆପଲ୍ଲୀ ଗାଁର ଲିଙ୍ଗରାଜ ସେଠୀଙ୍କ ଗୁରୁଣ୍ଠିଠାରେ ରହୁଥିବା ମାମୁଁ ବାଲୁଲା ସେଠୀ ଘରକୁ ଯିବା ଆସିବା କରିବା ସହ ବୁଲିବାକୁ ଆସୁଥିଲା । ତେବେ ବାବୁଲା ସେଠୀଙ୍କ ଘରକୁ ଆସି ତାଙ୍କ ପଡୋଶୀ ଘରେ ରହୁଥିବା ସମ୍ପର୍କୀୟ ମାମୁଁ କୁନୁ ସେଠୀଙ୍କ ଝିଅ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଅଭିଯୁକ୍ତ ବାରମ୍ବାର କୁନି ସେଠୀଙ୍କ ଝିଅକୁ ପ୍ରେମ ନିବେଦନ କରୁଥିଲେ ସୁଦ୍ଧା ସେ ଗ୍ରହଣ କରୁନଥିଲା । ଯାହାପରେ ଚଳିତ ମାସ ୪ ତାରିଖରେ ଅଭିଯୁକ୍ତ ଲିଙ୍ଗା ଗୁରୁଣ୍ଠି ଗ୍ରାମକୁ ଆସି ପୁଣି ପ୍ରେମ ନିବେଦନ କରିଥିଲା ଏଥିରେ ସେ ବାରଣ କରିବାରୁ ହତ୍ୟାକାଣ୍ଡର ଶିକାର ହୋଇଥିବା ନାବାଳକ ଭିକୁ ସେଠୀ। ଘରେ ବାପା ମାଁଙ୍କ ଅନୁପସ୍ଥିତିରେ ଜୋର ଜବରଦସ୍ତ ନିଜ ଗାଁ ବ୍ରାହ୍ମଣିଆପଲ୍ଲୀ ନେଇଯାଇ ସେଠାରେ ଏହି ହତ୍ୟାକାଣ୍ଡ ଘଟାଇଥିଲା ଲିଙ୍ଗା ।
ମିଳିଥିବା ସୂଚନା ମୁତାବକ, ନାବାଳକକୁ ତାଙ୍କ ଭଉଣୀକୁ ଡ଼ାକିବାକୁ କହିଥିଲେ ଲିଙ୍ଗା। ଏଥିରେ ନ ଶୁଣିବାରୁ ଧାରୁଆ ଅସ୍ତ୍ରରେ ତାର ଗଳା କାଟି ହତ୍ୟା କରିଥିଲେ। ଏହା ପରେ ମୃତ ଦେହକୁ ଏକ କିଆ ଜଙ୍ଗଲରେ ଫୋପାଡ଼ି ଫେରାର ହୋଇଯାଇଥିଲା । ତେବେ ଦୀର୍ଘ ଦିନ ଧରି ଭିକୁ ସେଠୀ ନିଖୋଜ ହୋଇଥିବା ନେଇ ପରିବାର ଲୋକେ ସଦର ଥାନାରେ ଏତଲା ଦେଇଥିଲେ । ହତ୍ୟାକାଣ୍ଡର ୬ ଦିନ ଅର୍ଥାତ ୧୦ ତାରିଖରେ ନାବାଳକ ଭିକୁର ଗଳିତ ଶବକୁ ପୋଲିସ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ନିଖୋଜ ମାମଲାକୁ ହତ୍ୟା ମାମଲା ରୁଜ୍ଜୁ କରି ସଦର ଏସଡିପିଓ ଅଶୋକ ମହାନ୍ତିଙ୍କ ନେତୃତ୍ତ୍ୱରେ ଥାନା ଅଧିକାରୀ ଶିବ ଶହର ମହାପାତ୍ର ମିଳିତ ଭାବେ ତଦନ୍ତ ଆରମ୍ଭ କରିଥିଲେ ।
ତଦନ୍ତ ପରେ ଲିଙ୍ଗରାଜ ସେଠୀ ହତ୍ୟା କରିଥିବା ସ୍ପଷ୍ଟ ହୋଇଥିବା ବେଳେ ବ୍ରହ୍ମପୁର ରେଳ ଷ୍ଟେସନ ନିକଟରୁ ତାକୁ ଗିରଫ କରିଥିଲା ପୋଲିସ । ଏହା ସହ ହତ୍ୟାରେ ବ୍ୟବହୃତ ଛୁରୀକୁ ରମ୍ଭା ରେଳ ଷ୍ଟେସନ ନିକଟ ଏକ ଗଛ ତଳେ ମାଟିରେ ପୋତି ଦେଇଥିଲେ । ଏହି ଛୁରୀକୁ ପୋଲିସ ଜବତ କରିବା ସହ ହତ୍ୟାକାରୀ ଲିଙ୍ଗରାଜକୁ ଆଜି କୋର୍ଟ ଚାଲାଣ କରାଯାଇଥିବା ନେଇ ଆଜି ବ୍ରହ୍ମପୁରଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ଅତିରିକ୍ତ ଏସପି ସୂଚନା ଦେଇଛନ୍ତି ।