ସ୍ତ୍ରୀର ପରିଚୟ ପାଇବା ପାଇଁ ପ୍ରେମିକ ଦୁଆରେ ପ୍ରେମିକାର ଧାରଣା

କଟକ: କଥା ଦେଇଥିଲେ ସାଥି ହୋଇ ଜୀବନ କାଟିବେ ବୋଲି । ଆଜି ଅଧା ବାଟରେ ଛାଡ଼ି ଦେଇ ଆଉ କାହାକୁ ବାହାହେବାକୁ ବାହାରିଛନ୍ତି । କେତେ ପ୍ରତିଶୃତି କେତେ ସ୍ବପ୍ନ ଦେଖାଇ ପ୍ରେମ କରିଥିଲେ । ଆଜି ସେସବୁ ମିଛ ହୋଇଗଲା । ଏ ସମ୍ପର୍କ ଦିନେ କି ଦୁଇ ଦିନର ନୁହେଁ ଦୀର୍ଘ ୫ ବର୍ଷର ସମ୍ପର୍କ ପରସ୍ପରକୁ ଭଲପାଇଥିଲୁ । ଅନ୍ୟ କାହାକୁ ବାହା ହେବାପାଇଁ ବାହାରିଛନ୍ତି । ଏବେ ସ୍ତ୍ରୀର ପରିଚୟ ପାଇବା ପାଇଁ ମୋତେ ସଂଘର୍ଷ କରିବାକୁ ପଡ଼ୁଛି । ମୋତେ ଜୀବନରୁ ମାରି ଦେବାକୁ ମଧ୍ୟ ଚାହିଁଥିଲେ । ହେଲେ ସଫଳ ହେଲେନି । ମୁଁ କିଛି ଚାହୁଁନି ମୋ ସ୍ବାମୀ ମୋତେ ଆପଣେଇ ନିଅନ୍ତୁ । ଏକଥା ପ୍ରତାରିତ ହୋଇଥିବା ଏହି ମହିଳାଙ୍କର । ଯିଏ ସ୍ତ୍ରୀ ର ପରିଚୟ ପାଇବା ପାଇଁ ପ୍ରେମିକ ଦୁଆରେ ଧାରଣା ଦେଇଛନ୍ତି । ଏଭଳି ଏକ ଘଟଣା ନୟାଗଡ ଜ଼ିଲ୍ଲା ସଦରଥାନା ଅନ୍ତର୍ଗତ ଗୋଳଗୋଳା ଗାଁରେ ଦେଖିବାକୁ ମିଳିଛି ।
ଗାଁର ଦିବାକର ରଥ ଭୁବନେଶ୍ୱରରେ ଏକ ଘରୋଇ କମ୍ପାନୀ ରେ କାର୍ଯ୍ୟ କରନ୍ତି। ୫ ବର୍ଷ ପୂର୍ବେ ତାଙ୍କର ସେଠାରେ ମିନାକ୍ଷୀବାଳ ନାମକ ଏକ ଝିଅ ସହିତ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ବିବାହର ପ୍ରତିଶୃତି ଦେଇ ୨ ଜଣଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ଗଢି ଉଠିଥିଲା। ଏକ ବର୍ଷ ପୂର୍ବେ ଦିବାକରର ବିବାହ ଖବର ପାଇ ମିନାକ୍ଷୀ ଆସି ବାହାଘର ବନ୍ଦ କରିଥିଲେ । ଲଭ ସେକ୍ସ ଧୋକା ଅଭିଯୋଗରେ ସଦର ଥାନାରେ ଅଭିଯୋଗ ମଧ୍ୟ କରିଥିଲେ । ଅଭିଯୋଗ ପରେ ପୋଲିସ ଦିବାକରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।
ମିନାକ୍ଷୀଙ୍କ ଘର କଟକ ଅଞ୍ଚଳରେ । ଚଳିତ ମାସ ୧୪ ତାରିଖ ରେ ମିନାକ୍ଷୀ ଖବର ପାଇଥିଲେ ଯେ ଦିବାକରର ପୁଣି ବାହାଘର ହେଉଛି । ସେହି ଦିନଠାରୁ ସେ ଦୁଆରେ ଅନଶନରେ ବସି ରହିଛନ୍ତି । କିନ୍ତୁ ପରେ ମିନାକ୍ଷୀ ଜାଣିବାକୁ ପାଇଥିଲେ ଦିବାକରର ବାହାଘର ନହୋଇ ସାନଭାଇର ବାହାଘର ହୋଇଥିଲା ବୋଲି । କିନ୍ତୁ ଏବେ ସ୍ତ୍ରୀ ର ପରିଚୟ ପାଇବା ପାଇଁ ସେ ଦୁଆରେ ବସି ରହିଛନ୍ତି । ଏକଥା ପ୍ରଘଟ ହେବା ପରେ ଆଜି ମହିଳା ସାମାଜିକ କର୍ମୀ ଆସି ବୁଝାବୁଝୀ କରିଛନ୍ତି । ସଦରଥାନା ପୋଲିସ ପକ୍ଷରୁ ଏକ ମହିଳା କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଏ କଥା ଏତେ ଦୂର ଗଲାଣି ହେଲେ ଦିବାକରଙ୍କ କୌଣସି ଖୋଜ୍ ଖବର ମିଳୁ ନାହିଁ । ସେ ଏବେବି ଫେରାର୍ ଅଛନ୍ତି । ଅନ୍ୟପଟେ ଦିବାକରଙ୍କ ମା’ ପ୍ରଶ୍ନ କରିଛନ୍ତି କୋର୍ଟରେ କେସ୍ ଚାଲିଛି । କୋର୍ଟ ଶୁଣାଣୀ ପରେ ଏ ମହିଳାକୁ ନ୍ୟାୟ ମିଳିବ । କିନ୍ତୁ ସେ କାହିଁକି ମୋ ଦୁଆରେ ଏମିତି ବସିକି ମୋତେ ଲୋକହଂସା କରାଉଛି ବୋଲି କହିଛନ୍ତି ।