ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ
ନିର୍ବାଚନ ସମୟରେ ଚିନ୍ତା ବଢ଼ାଇଲା ଲଘୁଚାପ । ଆସନ୍ତା ୨୫ ତାରିଖରେ ତୃତୀୟ ପର୍ଯ୍ୟାୟ ଭୋଟ ଥିବା ବେଳେ ବଙ୍ଗୋପସାଗରରେ ସମ୍ଭାବ୍ୟ ଲଘଚାପକୁ ନେଇ ଛନକା । ୨୨ ତାରିଖ ବେଳକୁ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିର ସମ୍ଭାବନା ରହିଛି ।

ଭୁବନେଶ୍ୱର(କେନ୍ୟୁଜ୍): ଆସନ୍ତା ୨୫ ତାରିଖରେ ତୃତୀୟ ପର୍ଯ୍ୟାୟ ଭୋଟ ଥିବା ବେଳେ ବଙ୍ଗୋପସାଗରରେ ସମ୍ଭାବ୍ୟ ଲଘଚାପକୁ ନେଇ ଛନକା । ୨୨ ତାରିଖ ବେଳକୁ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିର ସମ୍ଭାବନା ରହିଛି । ଏହା ପ୍ରାଥମିକ ଭାବେ ଉତ୍ତରପୂର୍ବ ଦିଗରେ ଗତି କରିବ । ପରେ ଅଧିକ ଘନୀଭୂତ ହେବ । ୨୪ ତାରିଖ ସକାଳେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତ ରୂପ ନେବାର ସମ୍ଭବନା ରହିଛି । ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ପ୍ରଭାବରେ ୨୪ ଓ ୨୫ ତାରିଖରେ ଉତ୍ତର ଓଡ଼ିଶା ଏବଂ ଗାଙ୍ଗେୟ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ୨୪ତାରିଖରେ ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ଜଗତସିଂହପୁର ଓ କେନ୍ଦ୍ରାପଡ଼ାକୁୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏଠାରେ ୭ରୁ ୨୦ ସେମି ପର୍ଯ୍ଯନ୍ତ ବର୍ଷା ହୋଇପାରେ।
ସେହିପରି ୭ରୁ ୧୧ ସେମି ପ୍ରବଳ ବର୍ଷା ପାଇଁ ୬ଟି ଜିଲ୍ଲା ବାଲେଶ୍ବର,ଭଦ୍ରକ, ଯାଜପୁର, କଟକ, ମୟୂରଭଞ୍ଜ ଓ କେନ୍ଦୁଝରକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ୨୫ ତାରିଖରେ ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଓ ମୟୂରଭଞ୍ଜକୁ ୟେଲୋ ୱାର୍ଣ୍ଣିଂ ଜାରି ରହିଛି। ପ୍ରବଳ ବର୍ଷା ପାଇଁ ୪ ଜିଲ୍ଲା ଜଗତସିଂହପୁର, କଟକ, ଯାଜପୁର ଓ କେନ୍ଦୁଝରକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୨୩ ତାରିଖ ସକାଳୁ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବ । ପବନର ବେଗ ଘଣ୍ଟା ପ୍ରତି ୭୦ କିଲୋମିଟରକୁ ଛୁଇଁପାରେ । ୨୩ରେ କେନ୍ଦ୍ରୀୟ ବଙ୍ଗୋପସାଗର ଓ ୨୪ରେ ଉତ୍ତର ବଙ୍ଗୋପସାଗର ଅଶାନ୍ତ ରହିବ । ଏଥିପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ମନା କରାଯାଇଛି । ଆସନ୍ତା ୨୫ ତାରିଖରେ ତୃତୀୟ ପର୍ଯ୍ୟାୟରେ ଉପକୂଳବର୍ତ୍ତୀ କଟକ, ପୁରୀ ଓ ଭୁବନେଶ୍ବର ସଂସଦୀୟ କ୍ଷେତ୍ର ସମେତ ସମ୍ବଲପୁର, କେନ୍ଦୁଝର ଓ ଢେଙ୍କାନାଳ ଲୋକସଭା ଆସନରେ ଭୋଟ ହେବ । ଯଦି ଏହି ସମୟରେ ଲଘୁଚାପ ଜନିତ ବର୍ଷା ଅଧିକ ରୁହେ, ତେବେ ଭୋଟିଂ ପ୍ରଭାବିତ ହୋଇପାରେ ।