ଆଜି ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ ! ଓଡ଼ିଶା ଉପରେ ପଡ଼ିବନି ପ୍ରଭାବ

ପୁଣି ଲଘୁଚାପ ।  ଆଜି ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଏହା ପ୍ରାଥମିକ ଭାବେ ତାମିଲନାଡୁ ମୁହାଁଇବ । ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଆସନ୍ତା ୧୨ ତାରିଖ ବେଳକୁ ଶ୍ରୀଲଙ୍କା ନିକଟରେ ପହଞ୍ଚିବ। ଲଘୁଚାପ ଘନୀଭୂତ ହୋଇ ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇପାରେ ।  ତେବେ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା କ୍ଷୀଣ ।  ଓଡ଼ିଶା ଉପରେ ଲଘୁଚାପର ପ୍ରଭାବ ପଡ଼ିବନି ।  ତେବେ ତାମିଲନାଡ଼ୁ ଓ ପୁଡ଼ୁଚେରୀ ଉପରେ ପୁଣି ବର୍ଷା ବିପଦ ରହିଛି । ଲଘୁଚାପ ପ୍ରଭାବରେ ପୁଡ଼ୁଚେରୀ ଓ ତାମିଲନାଡ଼ୁରେ ଆସନ୍ତା ୧୧ ଓ ୧୨ ତାରିଖରେ ପ୍ରବଳ ବର୍ଷା ହୋଇପାରେ । ଉପକୂଳ ଆନ୍ଧ୍ର ପ୍ରଦେଶରେ ମଧ୍ୟ ବର୍ଷା ସମ୍ଭାବନା ରହିଛି।

ଅନ୍ୟପଟେ ୧୨ରୁ ବଢ଼ିବ ଶୀତ । ଉପାନ୍ତରୁ ଉପକୂଳ ସବୁଠି ୨ରୁ ୪ ଡିଗ୍ରୀ ସେଲସିୟସ ପାରଦ କମିବ । ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୧୧ ତାରିଖ ଯାଏଁ ରାଜ୍ୟରେ କମ୍ ଶୀତ ଅନୁଭୂତ ହେବ। ଶନିବାରଠାରୁ ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା୨ ରୁ ୪ ଡିଗ୍ରୀ କମିପାରେ ବୋଲି ଆକଳ କରାଯାଇଛି । ୧୨ ତାରିଖ ଯାଏ ଉପକୂଳ ଓଡି଼ଶା ଓ ଦକ୍ଷିଣ ଓଡି଼ଶାର କିଛି ସ୍ଥାନରେ ସ୍ବଳ୍ପ ବର୍ଷା ସମ୍ଭାବନା ରହିଛି । ୧୨ରୁ ୧୯ ତାରିଖ ମଧ୍ୟରେ ଆଦୌ ବର୍ଷା ହେବ ନାହିଁ । ପାଗ ସମ୍ପୁର୍ଣ୍ଣ ଶୁଖିଲା ରହିବ।