ଗତ ୫ ମାସରେ ବଙ୍ଗୋପସାଗରରେ ୧୨ଟି ଲଘୁଚାପ! ପୁଣି ଆସୁଛି ଆଉ ଗୋଟେ, ପ୍ରଭାବରେ ୧୯ରୁ ୨୧ କିଛି ଜିଲ୍ଲାରେ ହେବ ପ୍ରବଳ ବର୍ଷା

ଭୁବନେଶ୍ବର: ଲଘୁଚାପ ପରେ ଲଘୁଚାପ। ଆସନ୍ତା ୧୯ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ। ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୧୯ ତାରିଖରୁ ୨୧ ତାରିଖ ମଧ୍ୟରେ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ୧୯ ତାରିଖରୁ ଗଞ୍ଜାମ ଓ ଗଜପତିର ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷାର ଆକଳନ କରାଯାଇଛି।

ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ପୂର୍ବକେନ୍ଦ୍ରୀୟ ଆରବ ସାଗର ଉପରେ ଟ୍ରପ ଉପକୂଳ ଆନ୍ଧ୍ର ଓ ତେଲଙ୍ଗାନା ଉପରେ ରହିଥିବାରୁ ଲଘୁଚାପ ସୃଷ୍ଟି ହେବା ଆକଳନ ହୋଇଛି। ବଙ୍ଗୋପସାଗରରେ ସମ୍ଭାବ୍ୟ ଲଘୁଚାପ ସୃଷ୍ଟି ହେବାକୁ ଥିବାରୁ ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିମି ସହ ସାମାନ୍ୟ ରହିବ। ୧୯ ତାରିଖ ପରଠାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି।

ମିଳିଥିବା ସୂଚନା ମୁତାବକ, ବଙ୍ଗୋପସାଗରରେ ୫ ମାସରେ ୧୨ଟି ଲଘୁଚାପ ହେଲାଣି । ଜୁନ୍‌ ପହିଲାରୁ ଏପର୍ଯ୍ୟନ୍ତ ୫ ମାସ ଭିତରେ ୧୨ଟି ଲଘୁଚାପ ସୃଷ୍ଟି ହେଲାଣି । ଜୁନରୁ ସେପ୍ଟେମ୍ବର ମୌସୁମି ଋତୁରେ ୯ଟି ଲଘୁଚାପ ହୋଇଛି । ଅକ୍ଟୋବର ତିନି ସପ୍ତାହ ଭିତରେ ତିନିଟି ଲଘୁଚାପ ହୋଇଛି । ରାଜ୍ୟରେ ସ୍ୱାଭାବିକ ଭାବେ ୧୧୯୫ ମିଲିମିଟର ବର୍ଷା ହୋଇଥାଏ । ଚଳିତବର୍ଷ ଏହି ସମୟ ଭିତରେ ୧୧୪୦ ମିଲିମିଟର ବର୍ଷା ରେକର୍ଡ ହୋଇଛି । ସ୍ୱାଭାବିକଠାରୁ ମାତ୍ର ଏକ ପ୍ରତିଶତ କମିଛି । ତେବେ ଅକ୍ଟୋବରରେ ଘନ ଘନ ଲଘୁଚାପ ସୃଷ୍ଟି ହୋଇଛି । ଅକ୍ଟୋବର ତୃତୀୟ ସପ୍ତାହ ଭିତରେ ୩ଟି ଲଘୁଚାପ ସହ ବଙ୍ଗୋପସାଗରରେ ଗତ ୧୦ ବର୍ଷରେ ନୂଆ ରେକର୍ଡ ସୃଷ୍ଟି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.