ଭୁବନେଶ୍ୱର : ଆଜି ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା । ବଙ୍ଗୋପସାଗରରେ ସକ୍ରିୟ ରହିଛି ଦୁଇଟି ଘୂର୍ଣ୍ଣିବଳୟ । ଗୋଟିଏ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ରହିଥିବା ବେଳେ ଅନ୍ୟଟି ଦ କ୍ଷିଣ ଉପକୂଳ ମିଆଁମ୍ୟାର ଉପରେ ରହିଛି । ଏହାର ପ୍ରଭାବରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ରାଜ୍ୟରେ ୨୬ ତାରିଖ ଯାଏ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିବ । ବିଶେଷକରି ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ ଅଧିକ ରହିବ । ଆଜି ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ପାଇଁ ୧୫ ଜିଲ୍ଲାକୁ ୟେଲୋ ଚେତାବନୀ ଦିଆଯାଇଛି ।
ସେହିପରି ୫ ଜିଲ୍ଲା କଟକ, ଜଗତସିଂହପୁର, ନୟାଗଡ଼, ଖୋର୍ଦ୍ଧା ଓ ପୁରୀରେ ବିଜୁଳି ଘଡ଼ଘଡ଼ି ଆଶଙ୍କା ରହିଛି । ସେପଟେ ପଶ୍ଚିମ ରାଜସ୍ଥାନ ଏବଂ ଗୁଜରାଟର କଚ୍ଛ ସହ ପଞ୍ଜାବ ଓ ହରିଆନାରୁ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁର ଲେଉଟାଣି ଆରମ୍ଭ ହୋଇଛି । ମୌସୁମୀ ଅପସାରଣ ପାଇଁ ପାଗ ମଧ୍ୟ ଅନୁକୂଳ ରହିଥିବା ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଓଡ଼ିଶାରୁ ମଧ୍ୟ ଧାର୍ଯ୍ୟ ସମୟରେ ମୌସୁମୀ ପ୍ରତ୍ୟାବର୍ତ୍ତନ କରିବ ।