ବଙ୍ଗୋପସାଗରରେ ସକ୍ରିୟ ରହିଛି ଲଘୁଚାପ, ଓଡିଶାରେ ବଡ ବର୍ଷାର ସମ୍ଭାବନା ନାହିଁ
ଭୁବନେଶ୍ୱର : ବଙ୍ଗୋପସାଗରରେ ସକ୍ରିୟ ରହିଛି ଲଘୁଚାପ । ଲଘୁଚାପର ପ୍ରଭାବରେ ଦକ୍ଷିଣ ଭାରତରେ ବର୍ଷା ଲାଗିରହିଥିବା ବେଳେ ଓଡିଶାରେ ଏହାର ବିଶେଷ ପ୍ରଭାବ ନାହିଁ କି ବଡ ବର୍ଷାର ସମ୍ଭାବନା ନାହିଁ ବୋଲି ସ୍ପଷ୍ଟ କରିଛି ପାଣିପାଗ ବିଭାଗ । କିନ୍ତୁ ଦକ୍ଷିଣଦିଗରୁ ଯେଉଁ ପବନ ପ୍ରବାହିତ ହେଉଛି ତାହା ଫଳରେ ରାଜ୍ୟ ରେ ଆଦ୍ରତାର ମାତ୍ରା ଅଧିକ ରହୁଛି। ପ୍ରଭାବରେ ରାୟରେ କିଛି ସ୍ଥାନରେ ବାଦଲ ସୃଷ୍ଟି ହେବା ସହ ଆକାଶ ମେଘାଛନ୍ନ ରହିବ।
ଆସନ୍ତା ୨୪ ଘଂଟାରେ ପୁରୀ ,ଗଂଜାମ ,ଗଜପତି ,ରାୟଗଡା ,କୋରାପୁଟ ଓ ମାଲକାନଗିରିର ଗୋଟେ କିମ୍ବା ଦୁଇଟି ସ୍ଥାନରେ ହାଲକା ବର୍ଷା ହେବାର ସମ୍ଭାବନା ଦେଇଛି ପାଣିପାଗ ବିଭାଗ। ସେହିପରି ଆସନ୍ତାକାଲି କୋରାପୁଟ ଓ ମାଲକାନଗିରିରେ ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବା ସହ ଅବଶିଷ୍ଟ ଜିଲ୍ଲାରେ ଶୁଖିଲା ପାଗ ରହିବା ସହ ଆଗାମୀ ୭ ଦିନ ଯାଇ ପାଗ ମୁଖ୍ୟତ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ସେପଟେ ଆଗାମୀ ୩ ଦିନ ଯାଏ ସର୍ବାଧିକ ଓ ସର୍ବନିମ୍ନ ତାପମାତ୍ରାରେ ସେଭଳି କିଛି ବଡ ପରିବର୍ତନ ହେବାକୁ ନଥିବା ବେଳେ ୩ ଦିନ ପରେ ୨ ରୁ ୪ ଡିଗ୍ରୀ ଯାଏ କମିବାର ସମ୍ଭାବନା ଦେଇଛି ପାଣିପାଗ । ତାପମାତ୍ରା ହ୍ରାସ ସହ ରାଜ୍ୟରେ ପଡିବ ଶୀତ। ପ୍ରଥମେ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ହେବା ସହ ପରେ ଅନ୍ୟ ଅଂଚଳରେ ଅନୁଭବ ହେବ ବୋଲି କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବର୍ତ୍ତମାନ ରାତିର ତାପମାତ୍ରା ସ୍ବାଭାବିକ ଠାରୁ ୧ ରୁ ୨ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିଛି।ଦିନର ତାପମାତ୍ରା ସ୍ବାଭାବିକ କୁ ଫେରୁଛି। ଆଦ୍ରତାର ମାତ୍ରା କମିଲେ ତାପମାତ୍ରା ହ୍ରାସ ହେବ।
ସେପଟେ ପାରଳାଖେମୁଣ୍ଡିରେ ସର୍ବାଧିକ ତାପମାତ୍ରା ୩୪.୮ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୬.୦୦ ଡିଗ୍ରୀ ରେକର୍ଡ ହୋଇଛି । ଭୁବନେଶ୍ବର ଦିନର ତାପମାତ୍ରା ୩୧.୦୪ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ରାତିର ତାପମାତ୍ରା ୨୨.୮ ଡିଗ୍ରୀ ରେକର୍ଡ ହୋଇଛି । ସେହିଭଳି କଟକରେ ଦିନର ତାପମାସେପାଏ ତ୍ରା ୨୯.୮ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ରାତିର ତାପମାତ୍ରା ୨୧ ଡିଗ୍ରୀ ରେକର୍ଡ ହୋଇଛି।