ଜୁଲାଇ ୧୨ରେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ! ପ୍ରଭାବରେ ସାରା ରାଜ୍ୟରେ ହୋଇପାରେ ପ୍ରବଳ ବର୍ଷା
ଭୁବନେଶ୍ବର(କେନ୍ଯୁଜ୍): ସାରା ରାଜ୍ୟରେ ଦୁର୍ବଳ ହୋଇଛି ମୌସୁମୀ। ରାଜ୍ୟର ୧୪ଟି ଜିଲ୍ଲାରେ ପ୍ରାୟ ୨୦ରୁ ୫୯ ପ୍ରତିଶତ ପର୍ଯ୍ୟନ୍ତ ବର୍ଷା ପରିମାଣ କମ୍ ରହିଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ବିଶେଷ ବର୍ଷା ସମ୍ଭାବନା ନଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କିନ୍ତୁ ଜୁଲାଇ ପ୍ରଥମ ସପ୍ତାହର ଶେଷ ବେଳକୁ ମୌସୁମୀ ସକ୍ରିୟ ହେବ ଓ ଦ୍ୱିତୀୟ ସପ୍ତାହରେ ଭଲ ବର୍ଷା ସମ୍ଭାବନା ରହିଛି। ଆମେରିକାର GFS ମଡେଲରୁ ଲଘୁଚାପ ନେଇ ସୂଚନା ମିଳୁଛି।
ଜୁଲାଇ ୧୨ରେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ହୋଇପାରେ। ଆସନ୍ତା ୨୪ଘଣ୍ଟା ମଧ୍ୟରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗିର, ବରଗଡ଼, ସୋନପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ବଜ୍ରପାତ ହୋଇପାରେ। ତେଣୁ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।