ଭାତହାଣ୍ଡିରେ ଦୈବୀ ପ୍ରହାର, ବିଲରେ ଗଜା ମାରିଲାଣି ଧାନ

ଭୁବନେଶ୍ୱର : ଭାତହାଣ୍ଡିରେ ଦୈବୀ ପ୍ରହାର । ହଜାର ହଜାର ଜମିରେ ପଡିରହିଛି କଟାଧାନ ।  ବର୍ଷା ଯୋଗୁ ଜମିରେ କଟା ହୋଇ ପଡିବା ଧାନ ଗଜା ହେବାକୁ ବସିଲାଣି ।  ସାରା ରାଜ୍ୟର ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି । ଗୋଟିଏ ପରେ ଗୋଟିଏ ଲଘୁଚାପ ଚାଷୀଙ୍କୁ ହତାଶ କରୁଛି ।  ଅମଳ ସମୟରେ ବର୍ଷା ଭିଜାଇ ଦେଇଛି ବର୍ଷକର ଆହାର ।  ଧାନ ଫସଲ ଉଜୁଡିବା ପରେ ଚିନ୍ତାରେ ପଡିଛି ଚାଷୀକୂଳ ।

ଧାନ, ପରିବା ସାଙ୍ଗକୁ ରବି ଫସଲ ବ୍ୟାପକ କ୍ଷତି ହୋଇଛି । ମଣ୍ଡିରେ ପଡିଥିବା ବସ୍ତା ବସ୍ତା ଧାନ ଭିଜୁଛି । ଗତ ୨୦ ଓ ୨୧ ତାରିଖ ଲଗାଣ ବର୍ଷାରେ ବ୍ୟାପକ ଫସଲ ନଷ୍ଟ ହୋଇଥିଲା ।  ତେଣୁ ଚାଷୀ ଅକ୍ଳାନ୍ତ ପରିଶ୍ରମ କରି ପାଣି କାଦୁଅରୁ ଛାଣି ଶୁଖାଇଥିଲା । ପୁଣି ବର୍ଷା ସେଗୁଡିକୁ ନଷ୍ଟ କରିଦେଲା  ।  ଅନ୍ୟପଟେ ବୀମା କରିଥିବା ଚାଷୀ କ୍ଷତିପୂରଣ ପାଇବେ କି ନାହିଁ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସେପଟେ ଆକଳନ କରି କ୍ଷତିପୂଣର ଦିଆଯିବ ବୋଲି କହିଛନ୍ତି ସମବାୟ ମନ୍ତ୍ରୀ । କମିଟି ଯାଇ ତଦନ୍ତ କରିବ, ଫସଲହାନୀ ହୋଇଥିଲେ କ୍ଷତିପୂରଣ ଦିଆଯିବ । ସବୁ ଚାଷୀମାନଙ୍କୁ ବୀମାଭୁକ୍ତ କରାଯାଇଛି । ବୀମା କମ୍ପାନୀମାନଙ୍କ ଉପରେ ନଜର ରଖାଯାଇଛି ତେଣୁ କେହି ଠକି ପାରିବେନି ବୋଲି ମନ୍ତ୍ରୀ କହିଛନ୍ତି ।