ଆଜି ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର ,୧୦ ଯାଏଁ ପ୍ରବଳ ବର୍ଷା
ଭୁବନେଶ୍ୱର : ଘନ ଘନ ଲଘୁଚାପ । ଗୋଟିଏର ପ୍ରଭାବ ସରିନି, ପୁଣି ଏକ ଲଘୁଚାପ । ଫଳରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଗାଙ୍ଗେୟ ପଶ୍ଚିମବଙ୍ଗ ଓ ସଂଲଗ୍ନ ଝାଡ଼ଖଣ୍ଡ ଓ ଉତ୍ତର ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଆଜି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଏହାର ପ୍ରଭାବରେ ରାଜ୍ୟରେ ୧୦ ତାରିଖ ଯାଏ ପ୍ରବଳ ବର୍ଷା ହେବ ।
ଆଜି ପ୍ରବଳ ବର୍ଷା ପାଇଁ ୫ ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସୋନପୁର ଓ ବଲାଙ୍ଗିରକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ୯ ତାରିଖରେ ମଧ୍ୟ ୪ ଜିଲ୍ଲାକୁ ଆଲର୍ଟ କରାଯାଇଛି। ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଏବଂ ଦେବଗଡ଼ ଜିଲ୍ଲାରେ ପ୍ରବଳ ବର୍ଷିପାରେ। ୧୦ ତାରିଖରେ ମଧ୍ୟ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ୧୦ ପରେ ବର୍ଷାର ପ୍ରଭାବ କମିବ। ଅନ୍ୟପଟେ ଜୁନ ମାସରୁ ଏପର୍ଯ୍ୟନ୍ତ ରାଜ୍ୟରେ ୧୧ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି।
ଅନ୍ୟପଟେ ତୁହାକୁ ତୁହା ବର୍ଷୁଛି । କେଉଁଠି ମୂଷଳ ଧାରାରେ ତ କେଉଁଠି ଛେଚୁଛି । ଘୂର୍ଣ୍ଣିବଳୟ ସହ ସକ୍ରିୟ ମୌସୁମୀ ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା । ଲଗାଣ ବର୍ଷା ବେହାଲ କରିଦେଇଛି ଜନଜୀବନକୁ । ତଳିଆ ଅଞ୍ଚଳରେ ପାଣି ପଶିଛି, ଲୋକେ ଜଳବନ୍ଦୀ ହୋଇଛନ୍ତି ।