ଆଜି ଅବପାତରେ ରୂପାନ୍ତରିତ ହୋଇପାରେ ଲଘୁଚାପ, ୪ତାରିଖ ରାତିରୁ ହେବ ପ୍ରବଳରୁ ଅତିପ୍ରବଳ ବର୍ଷା

କେନ୍ୟୁଜ୍(ବ୍ୟୁରୋ):  ଦକ୍ଷିଣ ପୂର୍ବ ବଙ୍ଗୋପସାଗରର ପାର୍ଶ୍ୱବର୍ତ୍ତୀ ଆଣ୍ଡାମାନ ସାଗର ଅଞ୍ଚଳରେ ଲଘୁଚାପ କେନ୍ଦ୍ରୀଭୂତ । ଆଜି ଅବପାତରେ ରୂପାନ୍ତରିତ ହେବା ସମ୍ଭାବନା । ଆସନ୍ତାକାଲି କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ବାତ୍ୟା ରୂପ ନେଇପାରେ । ୪ ତାରିଖରେ ଉପକୂଳ ଓଡ଼ିଶାରେ ବାତ୍ୟା ଜଓ୍ଵାଦ୍‌ ସର୍ବାଧିକ ପ୍ରଭାବ ସମ୍ଭାବନା । ୩ରୁ ୫ ତାରିଖ ଯାଏ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ଆଜି ଅବପାତରେ ପରିଣତ ହେବା ପରେ ସଠିକ ଆକଳନ କରାଯାଇପାରିବ ବୋଲି ଆଇଏମଡି ଡିଜି କହିଛନ୍ତି ।

ଘଣ୍ଟା ପ୍ରତି ୧୦୦ରୁ ୧୧୦ କିଲୋମିଟର ବେଗରେ ପବନ ବହିପାରେ । ସମ୍ଭାବ୍ୟ ବାତ୍ୟା ଜଓ୍ଵାଦର ଗତିପଥ ଉପରେ ନଜର ରଖିଛନ୍ତି ସାରା ବିଶ୍ୱର ପାଣିପାଗ ବିଜ୍ଞାନୀ । ବାତ୍ୟା ପ୍ରଭାବରେ ଆନ୍ଧ୍ର ଓ ଓଡ଼ିଶା ଉପକୂଳରେ ପ୍ରବଳ ବର୍ଷା ପବନ ହେବ । ଆଜିଠୁ ବଦଳିପାରେ ପାଗ । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆଲର୍ଟ କରିଛି ପାଣିପାଗ ବିଭାଗ । ବ୍ୟାପକ ଫସଲ ହାନୀ ସମ୍ଭାବନା ରହିଛି । ପ୍ରଭାବିତ ହୋଇପାରେ ଚାଷବାସ ।

ସମ୍ଭାବ୍ୟ ବାତ୍ୟା ପାଇଁ ବଢିଲା ସତର୍କତା। ଉତ୍ତର ଆନ୍ଧ୍ର ଓ ଓଡ଼ିଶା ଉପକୂଳ ପାଇଁ ପାଣିପାଗ ବିଭାଗର ପ୍ରି ସାଇକ୍ଲୋନ ୱାଚ୍‌। କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବା ପରେ ୩ତାରିଖରୁ ଓଡ଼ିଶାରେ ଆରମ୍ଭ ହେବ ବର୍ଷା। ଦକ୍ଷିଣ ଉପକୂଳ ଓଡ଼ିଶା ବିଶେଷ କରି ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପୁରରେ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ୪ତାରିଖ ରାତିରୁ ହେବ ପ୍ରବଳରୁ ଅତିପ୍ରବଳ ବର୍ଷା। ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପୁରଜିଲ୍ଲାକୁ ଜାରି ହୋଇଛି ରେଡ୍‌ ୱାର୍ଣ୍ଣିଂ।

୭ଟି ଜିଲ୍ଲା କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ରାୟଗଡ଼ା ଓ କୋରାପୁଟକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି। ଅନେକ ସ୍ଥାନରେ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷାର ସମ୍ଭାବନା ରହିଛି। ପ୍ରବଳ ବର୍ଷା ପାଇଁ ୪ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୫ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୮ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ପ୍ରବଳ ବର୍ଷା ପାଇଁ ୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.