ଉତ୍ତରବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ଆଜି ସୃଷ୍ଟି ହେବ ଲଘୁଚାପ

ଭୁବନେଶ୍ୱର : ଆସୁଛି ଲଘୁଚାପ । ପ୍ରବଳ ବର୍ଷିବ । ଉତ୍ତରବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆଜି ଲଘୁଚାପ କ୍ଷେତ୍ର ସୃଷ୍ଟିର ସମ୍ଭାବନା ରହିଛି । ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ ମେଘୁଆ ସାଙ୍ଗକୁ ବର୍ଷା ଜାରି ରହିଛି । ଆଜି ପ୍ରବଳ ବର୍ଷା ସମ୍ଭାବନା ପାଇଁ ୬ ଜିଲ୍ଲା ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ସମ୍ବଲପୁର, ଦେବଗଡ଼ ଓ ବରଗଡ଼କୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ଏହି ସମୟରେ ତଳିଆ ଅଞ୍ଚଳଗୁଡିକ ଜଳମଗ୍ନ ହେବାର ଆଶଙ୍କା ରହିଛି । ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନଗୁଡ଼ିକକୁ ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି ଏସଆରସି । ରାସ୍ତା ଜଳମଗ୍ନ ଏବଂ ତଳିଆ ଅଞ୍ଚଳ ଗୁଡିକରେ ପାଣି ଜମିବାର ସମ୍ଭାବନା ଥିବାରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଏହାସହିତ ମତ୍ସ୍ୟଜୀବୀମାନଙ୍କୁ ସର୍ତକ ରହିବାକୁ କୁହାଯାଇଛି।

ଚଳିତ ମୌସୁମୀ ଋତୁରେ ରାଜ୍ୟରେ ଜୁନ ୧ରୁ ଏଯାଏ ୫୦୭.୦ ମିମି ବର୍ଷା ରେକର୍ଡ ହୋଇଛି। ଏବେବି ୧୦ ପ୍ରତିଶତ ନିଅଣ୍ଟିଆ ବର୍ଷା ରହିଛି । ଗୋଟିଏ ଜିଲ୍ଲା ମାଲକାନଗିରିରେ ସ୍ଵାଭାବିକ ଠାରୁ ଅତ୍ୟଧିକ ବର୍ଷା ହୋଇଥିବା ବେଳେ ୩ ଜିଲ୍ଲାରେ ଅଧିକ ବର୍ଷା ଓ ୧୫ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି । ବାକି ୧୧ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି।

You might also like