ଭବନେଶ୍ୱର : କୁବେର ଯନ୍ତ୍ରୀଙ୍କ ଆଖି ଝଲସା ସଂପତ୍ତି । ବଲାଙ୍ଗୀର ଲୋୟର ସୁକତେଲ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ କୁମାର ରାଉତଙ୍କ ଅଚଳାଚଳ ସମ୍ପତ୍ତି ଦେଖି ଭିଜିଲାନ୍ସ ଟେରା । ଏକାଧିକ କୋଠା ଓ ମାଳ ମାଳ ଫ୍ଲାଟ । ରାଜଧାନୀ ଭୁବନେଶ୍ବର ସମେତ ବିଭିନ୍ନ ସ୍ଥାନରେ ରହିଛି ୩୪ଟି ପ୍ଲଟ । ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ସୁନୀଲ ରାଉତଙ୍କ ଘର ଓ ଅଫିସ ସହ ଏକକାଳୀନଙ୍କ ୯ଟି ସ୍ଥାନରେ ଚଢଉ ହୋଇଛି । ଭୁବନେଶ୍ବରେ ରହିଛି ତାଙ୍କର ଆଖି ଝଲସିଲା ଭଳି ଦୁଇଟି ବହୁତଳ କୋଠା। ନୀଳାଦ୍ରି ବିହାରରେ ୫ହଜାର ୮ଶହ ବର୍ଗଫୁଟର ତିନି ମହଲା କୋଠା ଓ ନୟାପଲ୍ଲୀରେ ୨୩ଶହ ବର୍ଗଫୁଟର ଦୁଇ ମହଲା କୋଠାରେ ରହିଛି ।
ସେହିପରି ଲୋୟର ସୁକତେଲ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ କୁମାର ରାଉତଙ୍କର ପୁରୀ ଦୋଳମଣ୍ଡପ ସାହିରେ ୨ ବିଏଚକେ ଫ୍ଲାଟ ଓ ଭିଆଇପି ରୋଡରେ ୱାନ ବିଏଚକେ ଫ୍ଲାଟ ରହିଛି । ତାଙ୍କର ଭୁବନେଶ୍ବର, ପୁରୀ, କଟକ ଓ ଢେଙ୍କାନାଳରେ ୩୪ଟି ପ୍ଲଟ ଥିବା ଜଣାଯାଇଛି । ସେଭିତରୁ ରାଜଧାନୀରେ ରହିଛି କେବଳ ୫ଟି ପ୍ଲଟ ଓ ପୁରୀରେ ୩ଟି ପ୍ଲଟ । ଲୋୟର ସୁକତେଲ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ କୁମାର ରାଉତଙ୍କର ଢେଙ୍କାନାଳ ସପ୍ତଶଯ୍ୟାରେ ୮ ଏକର ପରିମିତ ଜମିରେ ଏକ ଫାର୍ମ ହାଉସ୍ ରହିଛି । ଚଢଉ ବେଳେ ପ୍ରାୟ ୧୭୬ ଗ୍ରାମ ସୁନା, ନଗଦ ୨ ଲକ୍ଷ ୩୪ ହଜାର ଟଙ୍କା ଜବତ କରାଯାଇଛି । ସେହିପରି ସୁନୀଲଙ୍କର ୨ଟି ଟ୍ରକ, ୨ଟି ବେନାମୀ ଚାରି ଚକିଆ ଯାନ ଓ ୪ଟି ବାଇକ ଥିବା ଜଣାଯାଇଛି । ସୁନୀଲଙ୍କର ବ୍ୟାଙ୍କ, ପୋଷ୍ଟାଲ, ବୀମା ଓ ଅନ୍ୟ ଜମାର ଯାଞ୍ଚ କରାଯାଉଛି । ଲୋୟର ସୁକତେଲ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଭାବେ ସୁନିଲ କୁମାର ରାଉତ ଦୁଇ ବର୍ଷ ହେଲା କାର୍ଯ୍ୟରତ ଥିଲେ ।