ଡହାଣୀ ସନ୍ଦେହରେ ଗାଁରୁ ବିତାଡ଼ିତ ପରିବାରକୁ ଥଇଥାନ କଲା ପ୍ରଶାସନ

ଜଳେଶ୍ୱର (କେ ନ୍ୟୁଜ୍) : ଡାହାଣୀ ସନ୍ଦେହରେ ଗୋଟିଏ ପରିବାରକୁ ଗାଁ ଲୋକେ ଘରୁ ତଡ଼ି ଦେଇଥିଲେ । ଏହି ଅସହାୟ ପରିବାର ଗାଁଠାରୁ ଅଳ୍ପ ଦୂର ରାସ୍ତା କଡ଼ରେ ପଡ଼ିଥିବା ହ୍ୟୁମ୍ ପାଇପ୍ରେ ରହୁଥିଲେ । ଏହି ଖବର ପ୍ରସାରଣ ପରେ ଗାଁରେ ପହଞ୍ଚିଲା ପ୍ରଶାସନ । ସେମାନଙ୍କୁ ଉଦ୍ଧାର କରାଯାଇଛି ।
ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ମହିଁଷାମୁଣ୍ଡା ଗାଁରେ ଲୋକେ ଏଭଳି କାଣ୍ଡ ଘଟାଇଥିଲେ । ଏହି ଗାଁର ଲୁସ୍କୁ ଟୁଡୁଙ୍କ ସ୍ତ୍ରୀ ରୁକ୍ମିଣୀଙ୍କୁ ଡାହାଣୀ ସନ୍ଦେହ କରି ଗ୍ରାମବାସୀ ପୂରା ପରିବାରକୁ ନିସ୍ତୁକ ମାଡ଼ ମାରିଥିଲେ । ପରେ ଗାଁ ରୁ ତଡ଼ି ଦେଇଥିଲେ । ସେମାନେ ଗାଁ ପାଖ ରାସ୍ତାରେ ପଡ଼ିଥିବା ହ୍ୟୁମ୍ ଭିତରେ ଆଶ୍ରୟ ନେଇଥିଲେ। ପାଖରେ ପଇସା ପତ୍ର କି ଲୁଗାପଟା କିଛି ନଥିବାରୁ ଭୋକ ଉପାସରେ ସେମାନେ ପଡ଼ି ରହିଥିଲେ ।
ତେବେ ପ୍ରଶାସନ ଆମ ପ୍ରତିନିଧିଙ୍କ ଠାରୁ ସୂଚନା ପାଇ ଏହି ପରିବାରକୁ ଉଦ୍ଧାର କରିଛି । ବାଲିଆପାଳ ତହସିଲଦାର ରାଜସ୍ଯ ନିରୀକ୍ଷକଙ୍କୁ ପଠାଇ ପୋଲ ତଳେ ଆଶ୍ରୟ ନେଇଥିବା ପରିବାରକୁ ଉଦ୍ଧାର କରିଛନ୍ତି । ଲୁସ୍କୁଙ୍କ ପରିବାରକୁ ଅସ୍ଥାୟୀ ଭାବେ ଥଇଥାନ କରାଯାଇଛି । ସରପଞ୍ଚ ଓ ପ୍ରଶାସନିକ ଅଧିକାରୀ ମିଶି ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି କୁହାଯାଇଛି ।