କୁହନ୍ତି ପାଠ ପଢ଼ିବା ପାଇଁ ବୟସ ଦେଖାଯାଏ ନାହିଁ । ଏକଥା ଆପଣ କେବଳ ଶୁଣିଥିବେ ନିଶ୍ଚୟ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଜଣେ ବ୍ୟକ୍ତିଙ୍କ ବିଷୟରେ ଜଣାଇବାକୁ ଯାଉଛୁ, ଯିଏ ଏ କଥାକୁ ପ୍ରମାଣ କରି ଦେଖାଇଛନ୍ତି । ୮୨ ବର୍ଷ ବୟସରେ ପାଇଛନ୍ତି ସଫଳତା । ବୟସର ଅପରାହ୍ନରେ ସମସ୍ତେ ଚୁପଚାପ ଘରେ ବସି ରହୁଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ପାଠ ପଢ଼ିବାର ଆଗ୍ରହ ଅଧିକ ଥିଲା । ଛୋଟ ବେଳରୁ ଆଶା ରଖିଥିଲେ କେମିତି ପାଠ ପଢ଼ି ଏମ୍ ଏ ପାସ କରିବେ । କିନ୍ତୁ ଘରର ପରିସ୍ଥିତି ପାଇଁ ସେ ନିଜ ଇଚ୍ଛାକୁ ପୂରା କରିପାରି ନଥିଲେ । ଘରର ଦାୟିତ୍ବରେ ବନ୍ଧା ହୋଇପଡ଼ିଥିଲେ ଗୋପୀନାଥ । କିନ୍ତୁ ଦାୟିତ୍ବରୁ ମୁକ୍ତ ହେବା ପରେ ନିଜ ଇଚ୍ଛାକୁ ପୂରା କରିବା ପାଇଁ ଦେଖିଥଲେ ସ୍ବପ୍ନ । ଆଉ ତାଙ୍କର ସେହି ସ୍ବପ୍ନ ଏବେ ପୂରା ହୋଇପାରିଛି । ୮୨ ବର୍ଷ ବୟସରେ ଗୋପୀନାଥ ବିଶ୍ୱାଳ ସ୍ନାତକୋତ୍ତରରେ କୃତିତ୍ବ ଅର୍ଜନ କରିଛନ୍ତି । ଏଭଳି ସଫଳତାରେ ତାଙ୍କ ପରିବାର ବେଶ ଗର୍ବ ଅନୁଭବ କରୁଛି । ତାଙ୍କ ସ୍ତ୍ରୀଙ୍କ ଖୁସି କହିଲେ ନସରେ ।
ପାଠ ପଢିବା ପାଇଁ ଦୃଢ଼ ଇଚ୍ଛାଶକ୍ତି ଥିଲେ ବୟସ କୌଣସି ପ୍ରତିବନ୍ଧକ ସୃଷ୍ଟି କରି ପାରେ ନାହିଁ ବୋଲି ପ୍ରମାଣ କରି ଦେଖାଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ମେଘପୁର ଗାଁର ଗୋପୀନାଥ ବିଶ୍ୱାଳ । ୮୨ ବର୍ଷ ବୟସରେ ଗୋପୀନାଥ ଓଡ଼ିଆ ଭାଷା ସାହିତ୍ୟରେ ପ୍ରଥମ ଶ୍ରେଣୀରେ ସ୍ନାତକୋତ୍ତର କୃତିତ୍ବ ଅର୍ଜନ କରିଛନ୍ତି । ସଫଳତା ପାଇବା ପରେ ଅଞ୍ଚଳର ଶିକ୍ଷାବିତ, ବୁଦ୍ଧିଜୀବି ତଥା ବୟସ୍କଙ୍କ ମହଲରେ ଆନନ୍ଦର ବାତା ବରଣ ଖେଳି ଯାଇଛି । ପାଠ ପଢ଼ିବାର ଇଚ୍ଛା ଶକ୍ତି ଆଗରେ ହାର ମାନିଛି ବୟସ ।
ଗୋପୀନାଥ ଆୟତନ ଏମ. ଇ. ବିଦ୍ୟାଳୟରୁ ୭ମ ପାସ ପରେ ଘରୋଇ ଭାବେ ମାଟ୍ରିକ, +୨, ବି.ଏ., ବିଇଡି ପାସ୍ କରିଥିଲେ । ପରେ ଡେଙ୍ଗସଗ୍ରୀ ଆଶ୍ରମ ପ୍ରାଥମିକ ବିଦ୍ୟାଳୟ ସମ୍ବଲପୁରରେ ଯୋଗ ଦେଇ ପରବର୍ତ୍ତୀ ସମୟରେ ନିଜର ଦକ୍ଷତା ବଳରେ କୂଳସାହି ସେବା ଆଶ୍ରମ ହାଇସ୍କୁଲ କେନ୍ଦ୍ରାପଡ଼ାରୁ ପ୍ରଧାନ ଶିକ୍ଷକ ପଦବୀ ହାସଲ କରିଥିଲେ । ଏବଂ ୨୦୦୦ ମସିହାରେ ଅବସର ନେଇଥିଲେ । ଶେଷରେ ବୃତ୍ତିରୁ ଅବସର ପରେ ସ୍ନାତକୋତ୍ତତର ଲାଭ କରି ପାରିଛନ୍ତି ଗୋପୀନାଥ । ପାଠ ପଢିବା ପାଇଁ ବୟସର କୌଣସି ସୀମା ନଥାଏ ବୋଲି ସେ ପ୍ରମାଣ କରି ଦେଖାଇଛନ୍ତି ।
ଘର ଜଞ୍ଜାଳ ଭିତରେ ପାଠ ପଢ଼ିବାକୁ ସମୟ ମିଳୁନଥିଲା । କିନ୍ତୁ ଏମଏ ପାସ୍ କରିବାର ଲକ୍ଷ୍ୟ ପୂରା କରିବା ପାଇଁ ସେ ବୟସକୁ ଭୁଲି ଯାଇଥିଲେ । ଯେଉଁଥିପାଇଁ ଆଜି ତାଙ୍କୁ ଏହି ସଫଳତା ମିଳିପାରିଛି । ଯୁବପିଢ଼ିଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଗୋପୀନାଥ ।