ଆମ୍ବୁଲାନ୍ସ ଧକ୍କାରେ ପୁଅ ମୃତ, ବାପା ଗୁରୁତର; କ୍ଷତିପୂରଣ ଦାବିରେ ପରିବାର ଲୋକଙ୍କ ରାସ୍ତାରୋକ

ନବରଙ୍ଗପୁର : ଆମ୍ବୁଲାନ୍ସ ଧକ୍କାରେ ନାବାଳକ ପୁଅ ମୃତ, ବାପା ଗୁରୁତର । ନବରଙ୍ଗପୁର ଜିଲ୍ଲା ଝରିଗାଁ ଟାଉନ୍ ଥାନା ମହେନ୍ଦ୍ରୀ ଗାଁ ରାଜ୍ୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବାପା-ପୁଅ ସାଇକେଲରେ ଯିବାବେଳେ ଏକ ଆମ୍ବୁଲାନ୍ସ ସେମାନଙ୍କୁ ପଛରୁ ଧକ୍କା ଦେଇଛି । ଫଳରେ ଘଟଣାସ୍ଥଳରେ ୮ ବର୍ଷ ପୁଅର ମୃତ୍ୟୁ ଘଟିଥିବାବେଳେ ବାପା ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି ।

ସେପଟେ ଦୁର୍ଘଟଣା ପରେ ମହେନ୍ଦ୍ରୀ ଛକରେ ମୃତଦେହ ରଖି ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ କରିଛନ୍ତି । ଏହାଦ୍ଵାରା ରାସ୍ତାର ଉଭୟ ପାର୍ଶ୍ଵରେ ସହ ସହ ଯାନବାହନ ଅଟକି ରହିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ରାସ୍ତାରୋକ ହଟାଇବାକୁ ଗ୍ରାମବାସୀଙ୍କ ସହ କଥାବାର୍ତ୍ତା ଜାରି ରଖିଛନ୍ତି । ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ପୁଲିସ ଗ୍ରାମବାସୀଙ୍କୁ ବୁଝାଇବାକୁ ଚେଷ୍ଟା ଚଳାଇଛନ୍ତି ।