ଓଡ଼ିଶାରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ କଲେ ଓଡ଼ିଶା କ୍ୟାଡର ଆଇପିଏସ୍, ଆକ୍ସନ ମୁଡ଼ରେ ଏମ୍.ନାଗେଶ୍ୱର ରାଓ

ଭୁବନେଶ୍ବର (କେନ୍ଯୁଜ୍) : ଆକ୍ସନ ମୁଡରେ ଓଡ଼ିଶା କ୍ୟାଡର୍ ଆଇପିଏସ୍ ତଥା ସିବିଆଇର କାର୍ଯ୍ୟକାରୀ ନିର୍ଦ୍ଦେଶକ ଏମ୍. ନାଗେଶ୍ୱର ରାଓ । ଗତକାଲି ଦାୟିତ୍ୱ ନେବା ପରେ ଓଡ଼ିଶାରୁ ଆରମ୍ଭ କରିଛନ୍ତି ଅପରେସନ୍ । ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ ବା ହାଲ୍ରେ ଆର୍ଥିକ ଜାଲିଆତି ମାମଲାର ଫାଇଲ୍ ଖୋଲିଛନ୍ତି । ଗତ ୧୦ ତାରିଖରେ ୮ ଜଣଙ୍କ ନାଁରେ ମାମଲା ରୁଜୁ କରିଥିଲା ସିବିଆଇ ।
ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ ବା ହାଲ୍ରେ ଦୁର୍ନୀତି ଅଭିଯୋଗ । ୫ କୋଟି ଟଙ୍କାର ଠକେଇ । ୮ ଜଣଙ୍କ ନାଁରେ ମାମଲା ରୁଜୁ କରିଛି ସିବିଆଇ । ଏମାନଙ୍କ ଭିତରେ ଅଛନ୍ତି ହାଲ୍ର ତିନି ଜଣ ଅଧିକାରୀ ଓ ୫ ଜଣ କଣ୍ଟ୍ରାକ୍ଟର । ଅଭିଯୋଗ ହୋଇଛି, ୨୦୧୮ ଜାନୁଆରୀରୁ ଅଗଷ୍ଟ ଭିତରେ କମ୍ପାନୀରେ ହୋଇଥିବା ଠିକାଦାରୀ କାମରେ ୫ କୋଟି ଟଙ୍କାର ଦୁର୍ନୀତି ହୋଇଛି । ଚଞ୍ଚକତା କରି ଜାଲ୍ କାଗଜପତ୍ର ଜରିଆରେ ଟଙ୍କା ହେରଫେର ହୋଇଥିବା ତଦନ୍ତରୁ ଜଣା ପଡ଼ିଛି । ଏହାପରେ ଆରମ୍ଭ ହୋଇଛି ଖୋଳତାଡ ।
ପ୍ରଥମ ଛଅ ମାସର ଆଭ୍ୟନ୍ତରୀଣ ଅଡିଟ୍ ବେଳେ ଚଳିତମାସରେ ଧରାପଡ଼ିଥିଲା ହାଲ୍ର ସାଂଘାତିକ ଦୁର୍ନୀତି । ସାମିଲ ଥିଲେ କୋରାପୁଟ ଇଞ୍ଜିନ୍ ଡିଭିଜନରେ କାର୍ଯ୍ୟରତ ହାଲ୍ର ମ୍ୟାନେଜର ଫାଇନାନ୍ସ ଭାବେନ ମୈତ୍ର । ତାଙ୍କ ସହ ଆସିଷ୍ଟାଣ୍ଟ ଫାଇନାନ୍ସ ଆକାଉଣ୍ଟସ୍ ଅବିନାଶ କୁମାର ସରକାର ଓ ତାଙ୍କ ସ୍ତ୍ରୀ ଶୁଭଶ୍ରୀ ଦାସ । ଶୁଭଶ୍ରୀ କୋରାପୁଟ ହାଲରେ ଫାଇନାନ୍ସ ବିଭାଗରେ ଲେବର କଣ୍ଟ୍ରାକ୍ଟର ଭାବରେ କାମ କରୁଥିଲେ । ୫ ଜଣ କଣ୍ଟ୍ରାକ୍ଟର ହେଉଛନ୍ତି ଜୟରାମ ଗରଦା, ବିପ୍ରଚରଣ ମହାରଣା, ଯୀଶୁଦାନ ଖୋସଲା, ଉଦ୍ଧବ ଖୋସଲା, ସଦାନନ୍ଦ ନାୟକଙ୍କ ନାଁରେ ବି ମାମଲା ରୁଜୁ କରି ଖୋଳତା଼ଡ ଆରମ୍ଭ କରିଛି ସିବିଆଇ ।
ହାଲ୍ ଇଞ୍ଜିନ୍ସ ଡିଭିଜନ୍ର ଭିଜିଲାନ୍ସ ମ୍ୟାନେଜରଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରି ଖୋଳତଡା ଆରମ୍ଭ କରିଛି ସିବିଆଇ । ସେମାନଙ୍କ ନାଁରେ ଅପରାଧିକ ଷଡ଼ଯନ୍ତ୍ର (120-B), ଟ୍ରଷ୍ଟର ଉଲ୍ଲଂଘନ(୪୦୯), ଠକେଇ ଓ ଜାଲିଆତି(୪୨୦), ମୂଲ୍ୟବାନ ସୁରକ୍ଷାର ଜାଲିଆତି(୪୬୭), ଠକେଇ ଉଦ୍ଦେଶ୍ୟରେ ଜାଲିଆତି(୪୬୮) ଓ ଜାଲ୍ ଗାଜପତ୍ର ଦେବା(୪୭୧)ରେ ମାମଲା ରୁଜୁ ହୋଇଛି । ଅଡିଟ୍ରୁ ଜଣା ପଡ଼ିଛି ୫ କୋଟିରୁ ଅଧିକ ଟଙ୍କା ନିର୍ଦ୍ଦିଷ୍ଟ ଭାଇଚରେ ପେମେଣ୍ଟ କରାଯାଇଥିଲା । ଏଥିପାଇଁ ଦିଆଯାଇନଥିଲା ଆବଶ୍ୟକ କାଗଜପତ୍ର, ବିଲ୍ କିମ୍ବା ଚାଲାଣ ।
ହାଲ୍ କର୍ତ୍ତୃପକ୍ଷ ସିବିଆଇକୁ ଠକେଇ ସମ୍ପର୍କରେ ଦେଖିଥିବା ରିପୋର୍ଟ । ଯେଉଁଥିରେ ସମସ୍ତ ତଥ୍ୟ ଦିଆଯାଇଛି । କିଏ କେମିତି ଓ କିଭଳି ଆବଶ୍ୟକ ଦସ୍ତାବିଜ ନଦେଇ ୫ କୋଟି ଟଙ୍କା ଆତ୍ମସାତ କରିଛନ୍ତି । ଫେବ୍ରଆରୀ ମାସରେ ଠିକାଦାରମାନଙ୍କୁ ଦିଆଯାଇଛି ୧ କୋଟି ୪୩ ଲକ୍ଷ ୯୫ ହଜାର ଟଙ୍କା । ସେହିପରି ମାର୍ଚ୍ଚରେ ୧ କୋଟି ୭୭ ଲକ୍ଷ ୬୭ ହଜାର ଟଙ୍କା ଦିଆଯାଇଛି । ଜୁନ୍ରେ ୨୨ ଲକ୍ଷ ୮୭ ହଜାର, ଜୁଲାଇରେ ୮୯ ଲକ୍ଷ ୬୪ ହଜାର ଓ ଅଗଷ୍ଟ ମାସରେ ୬୭ ଲକ୍ଷ ୫୯ ହଜାର ଟଙ୍କାର ବିଲ୍କୁ ଅନୁମୋଦନ ମିଳିଥିଲା ।
ରାଫେଲ୍ ଡିଲ୍କୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଛନ୍ତି ବିରୋଧୀ । ହାଲ୍କୁ ନଦେଇ ଅନୀଲ ଅମ୍ବାନୀଙ୍କ ରିଲାଏନ୍ସ ଡିଫେନ୍ସକୁ ଏହି ଡିଲ୍ ମିଳିବା ପରେ ରାଜନୀତି ଜୋର ଧରିଛି । ଏବେ ହାଲ୍ରେ ଦୁର୍ନୀତି ଜାତୀୟ ଗଣମାଧ୍ୟମରେ ବି ଚର୍ଚ୍ଚା । ପ୍ରଶ୍ନ ଉଠୁଛି ମାମଲା ଦାୟର ହେବା କ୍ଷଣି ରେଡ୍ କାହିଁକି ?