ଦୁର୍ଘଟଣା ରୋକିଛନ୍ତି ମା’ ବନଦୁର୍ଗା, ଖୁବ ଅଲୌକିକ ଏହି ସ୍ଥାନ

କଣିଁହା: ଦୁର୍ଘଟଣା ରୋକିଛନ୍ତି ମା’ ବନଦୁର୍ଗା । ମା’ଙ୍କ ମହିମା ଅପାର । ଯେବେଠାରୁ ମା’ ବନଦୁର୍ଗା ଏହି ସ୍ଥାନରେ ସ୍ଥାପିତ ହୋଇଛନ୍ତି ସେବେଠାରୁ ଦୁର୍ଘଟଣା କମିଯାଇଛି । ଖୁବ ଅଲୌକିକ ଏହି ସ୍ଥାନ । ଏକଥା ଆମେ କହୁନୁ ଆଜ୍ଞା କହୁଛନ୍ତି ଏଠାକାର ସ୍ଥାନୀୟ ଲୋକେ । ଏଭଳି ଏକ ଆଲୌକିକ ଘଟଣା ସାମ୍ନାକୁ ଆସିଛି ଅନୁଗୁଳ ଜିଲ୍ଲା କଣିଁହା ବ୍ଳକ ଅନ୍ତର୍ଗତ ରେଙ୍ଗାଳି ପ୍ରୋଜେକ୍ଟ ସ୍ଥିତ ପୁରୁଣା ଚେକ୍ ଗେଟ୍ ଠାରେ ମା’ ବନଦୁର୍ଗାଙ୍କ ମନ୍ଦିରରୁ । ଏହି ମନ୍ଦିର କଡରେ ୫୩ ନମ୍ବର ଜାତୀୟ ରାଜପଥ ଯାଇଛି ।
ଏହି ସ୍ଥାନରେ ଅନେକ ସମୟରେ ବାରମ୍ବାର ଯାନବାହାନ ଦୁର୍ଘଟଣା ଘଟିଆସୁଥିଲା । ଏ ଅଞ୍ଚଳର କିଛି ବ୍ୟକ୍ତିଙ୍କ ପ୍ରଚେଷ୍ଟାରେ ୨୦୦୭ ମସିହାରୁ ସେହି ସ୍ଥାନରେ ଥିବା ଏକ ପୁରୁଣା ବରଗଛ ତଳେ ଖଣ୍ତିଏ ପଥର ରଖି ମା’ ବନଦୁର୍ଗାଙ୍କ ନାମରେ ପୂଜାର୍ଚନା ଆରମ୍ଭ କରିଥିଲେ । ସେହିଦିନ ଠାରୁ ଆଜି ପର୍ଯ୍ୟନ୍ତ ଏଠାକାର ଆଖପାଖ ଅଞ୍ଚଳରେ ଦୁର୍ଘଟଣା ଘଟିବା ବନ୍ଦ ହୋଇଯାଇଛି । ତେବେ ଗତକାଲି ଭବ୍ୟ ଆକାରରେ ପ୍ରତିଷ୍ଠା ହୋଇଯାଇଛି ମା’ଙ୍କ ମନ୍ଦିର । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଦୁର୍ଘଟଣା ରୋକିଛନ୍ତି ମା’ ବନଦୁର୍ଗା ।
ତେବେ ଏହା ବିଶ୍ବାସ କି ଅନ୍ଧବିଶ୍ୱାସ ତାହା ତ ଜଣା ନାହିଁ କିନ୍ତୁ ଲୋକଙ୍କ ବିଶ୍ୱାସକୁ ଭାଙ୍ଗିବ ବା କିଏ? ଏହି ଅଞ୍ଚଳବାସୀଙ୍କ ବିଶ୍ୱାସ ଏବଂ ପ୍ରଚେଷ୍ଟାରେ ଏହି ସ୍ଥାନରେ ମା’ ବନଦୂର୍ଗାଙ୍କର ଏକ ମନ୍ଦିର ପ୍ରତିଷ୍ଠା ହୋଇଯାଇଛି । ଏହି ପ୍ରତିଷ୍ଠା ଦିବସରେ ପାଖାପାଖି ପାଞ୍ଚ ହଜାର ଭକ୍ତଙ୍କର ସମାଗମ ହୋଇଥିଲା । ମା’ଙ୍କ ପୂଜାପାଠ ସହ ନାମ ସଂକୀର୍ତ୍ତନ, ପ୍ରସାଦ ସେବନ ଆଦି ଅତି ଧୁମଧାମରେ ହୋଇଥିଲା । ଅଞ୍ଚଳବାସୀଙ୍କ କହିବା ଅନୁଯାୟୀ ଯଦି ଏହି ଅନୁଷ୍ଠାନକୁ କିଛି ସରକାରୀ ସହାୟତା ମିଳି ପାରନ୍ତା ତେବେ ଏହି ମନ୍ଦିରର ଅଧିକରୁ ଅଧିକ ଉନ୍ନତି ହୋଇପାରନ୍ତା ।
ସଂସ୍କୃତି ଓ ଐତିହରେ ଭରା ଆମ ରାଜ୍ୟ ଓଡ଼ିଶା । ଆସ୍ଥା ଓ ଲୋକ ବିଶ୍ୱାସ ଏଠି ପଥରକୁ ସଜାଇ ଦିଏ ଦେବତା । ଆଉ ବିଶ୍ଵାସରେ ସେହି ଦେବତା ସାଜିଥିବା ପଥର ବି କୁହେ କଥା । ଯାହାର ମାହାତ୍ମ୍ୟ ଶୁଣିଲେ ଆପଣମାନେ ବି ସ୍ତବ୍ଦ ହୋଇଯିବେ । ସେହିଭଳି ଏଠାରେ ଅବସ୍ଥିତ ମା’ ବନଦୁର୍ଗାଙ୍କ ମନ୍ଦିର । ମା’ ବନଦୁର୍ଗା ହେଉଛନ୍ତି ପ୍ରତ୍ୟକ୍ଷ ଦେବୀ । ମା’ଙ୍କ ଏଭଳି କାହାଣୀ ବି ଅତି ବିସ୍ମୟ ।
Also read: ପାଚେରୀ ଭାଙ୍ଗିଲେ ଠାକୁର, ଏଭଳି ଚମତ୍କାର ଆଖିରେ ନ ଦେଖିଲେ ବିଶ୍ୱାସ ହେବନି