ଆରମ୍ଭ ହେଲା ମା’ ବୁଢୀ ଠାକୁରାଣୀ ଯାତ୍ରା: ବିରାଟ ପଟୁଆରରେ ବାପଘରକୁ ବିଜେ କରିଛନ୍ତି ମା’

ବ୍ରହ୍ମପୁରରେ ଚାଲିଛି ମା’ ବୁଢୀ ସାଆନ୍ତାଣୀଙ୍କ ଠାକୁରାଣୀ ଯାତ୍ରା। ବ୍ରହ୍ମପୁରର ଏହି ପ୍ରସିଦ୍ଧ ଯାତ୍ରା ସହିତ ଯୋଡ଼ି ହୋଇ ରହିଛି ଅନେକ ପରମ୍ପରା। ଏଣୁ ଏହି ଠାକୁରାଣୀ ଯାତ୍ରକୁ ବହୁ ପରମ୍ପରାର ପର୍ବ ବୋଲି ବି କୁହାଯାଏ।

ବ୍ରହ୍ମପୁର (କେନ୍ୟୁଜ): ଆରମ୍ଭ ହୋଇଛି ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମା ବୁଢୀ ସାଆନ୍ତାଣୀଙ୍କ ଠାକୁରାଣୀ ଯାତ୍ରା । ବିରାଟ ପଟୁଆରରେ ଭକ୍ତ ଶ୍ରଦ୍ଧାଳୁଙ୍କ ଗହଣରେ ଦେଶୀବେହେରା ସାହିରେ ଥିବା ବାପଘରକୁ ବିଜେ କରିଛନ୍ତି ମା’। ପରମ୍ପରା ଅନୁସାରେ ଯାତ୍ରାର ମୁଖ୍ୟ ପୁରୋଧା ଦୁର୍ଗା ପ୍ରସାଦ ଦେଶୀ ବେହେରା ମା’ଙ୍କ ଡାକରା ପାଇଁ ମନ୍ଦିର ଯାଇଥିଲେ । ଚାଙ୍ଗୁଡ଼ିରେ ନିଆଯାଇଥିବା ଇଟମଳା ଫୁଲମାଳ ମାଆଙ୍କ ମସ୍ତକରେ ରଖି ପୂଜାର୍ଚ୍ଚନା କରାଯାଇଥିଲା । ଏହା ମଥାରୁ ଖସିବା ପରେ ମାଆଙ୍କ ଆଜ୍ଞାମାଳ ସ୍ୱରୂପ ସେହି ମାଳକୁ ପୁଣି ଥରେ ଚାଙ୍ଗୁଡ଼ିରେ ରଖି ବିରାଟ ପଟୁଆରରେ ଅଣାଯାଇ ମଧ୍ୟ ରାତ୍ର ସାଢେ ୩ଟାରେ ଅସ୍ଥାୟୀ ମଣ୍ଡପରେ ସ୍ଥାପନ କରାଯାଇଥିଲା ।

ଗତ ଯାତ୍ରା ସମୟରେ କୋଭିଡ୍‌ କଟକଣା ଭକ୍ତ ଓ ମାଆଙ୍କ ମଝିରେ ପ୍ରତିବନ୍ଧକ ସାଜିଥିଲା। ଏଣୁ ଚଳିତ ଯାତ୍ରାରେ ଅପୂର୍ବ ଆନନ୍ଦ, ଅପୂର୍ବ ଉତ୍ସାହର ସହ ସବୁ ବର୍ଗର ସବୁ ଶ୍ରେଣୀର ଭକ୍ତ ଓ ଶ୍ରଦ୍ଧାଳୁ ଯୋଡ଼ି ହୋଇଥିଲେ । ମାଆଙ୍କର ଏହି ଯାତ୍ରା ବହୁ ପୂରାତନ । ମହୁରି ଗଡ଼ର ତତ୍କାଳୀନ ରାଜା ହରିହର ନରେନ୍ଦ୍ର ଦେବ ଆନ୍ଧ୍ରପ୍ରଦେଶର ରାଜମହେନ୍ଦ୍ରିରୁ ଏହି ଘଟଯାତ୍ରା ପରମ୍ପରା ଆଣି ଏଠାରେ ଆରମ୍ଭ କରିଥିଲେ ।