ବ୍ରହ୍ମପୁର (କେନ୍ୟୁଜ୍): ମାଁ ସାଆନ୍ତାଣୀଙ୍କ ଯାତ୍ରାକୁ ନେଇ ବ୍ରହ୍ମପୁର ସହର ଏବେ ଚଳ ଚଞ୍ଚଳ। ଯାତ୍ରା ସରିବାର ଚାରି ଦିନ ପୂର୍ବରୁ ବାହାରିଥାଏ ସାମୁହିକ ବେଶଧାରୀଙ୍କ ସାହି ପରିକ୍ରମା। ଯାତ୍ରା ଆରମ୍ଭରୁ ବ୍ରହ୍ମପୁର ସହରରେ ଗହଳିଚହଳି ଲାଗି ରହିଥିଲେ ମଧ୍ୟ ପ୍ରକୃତ ଯାତ୍ରାର ମଜା ଜମିଥାଏ ଶେଷ ସପ୍ତାହରେ। କାରଣ ଏକକ ବେଶ ଓ ସାମୁହିକ ବେଶଧାରୀଙ୍କ ସାହି ପରିକ୍ରମା ହିଁ ମୁଖ୍ୟ ଆକର୍ଷଣ ପାଲଟିଥାଏ। ବିଜିପୁରର ଶତାଧିକ ଲୋକ ମୁଣ୍ଡନ ହୋଇ ଧଳା ବସ୍ତ୍ର ପରିଧାନ କରି ମହନ୍ତ ସାଜି ପାଟିରେ ସାମାଜିକ ସଚେତନତାର ଅନେକ ସ୍ଳୋଗାନ ଉଚ୍ଚାରଣ କରିବା ସହ ଭଣ୍ଡ ମହନ୍ତଙ୍କ ଠକେଇ କାହାଣୀକୁ ନେଇ ସମାଲୋଚନାକରିଥାନ୍ତି।
କେମିତି ଚାଲିଛି ମଠ ମନ୍ଦିରରେ ମହନ୍ତଙ୍କ ଶୋଷଣ, ନିରୀହ ଲୋକଙ୍କ ସରଳତାର ସୁଯୋଗ ନେଇ ଧର୍ମକୁ ଦ୍ୱାହି ଦେଇ ଠକି ଚାଲିଛନ୍ତି ଭଣ୍ଡ ମହନ୍ତ। ଆଖିରେ ଅନ୍ଧପୁଟୁଳି ବାନ୍ଧି ଏସବୁକୁ ସହି ଯାଉଛନ୍ତି ଧର୍ମାନ୍ଧ ସମାଜବାସୀ।ତେବେ ଏସବୁ ଯେମିତି ଏବେ ଅସହ୍ୟ ହୋଇ ପଡ଼ିଛି, ସେଥିପାଇଁ ସଚେତନତା ଶୋଭାଯାତ୍ରା ଆରମ୍ଭ କରିଛନ୍ତି ବିଜିପୁରବାସୀ। ୧୯୩୩ ମସିହାର ଯାତ୍ରା ସମୟରେ ଏଭଳି ଏକ ଖିଆଲ ମନକୁ ଆସିଥିଲା ବିଜିପୁର ଅଞ୍ଚଳର କିଛି ଲୋକଙ୍କ ମନରେ । ଆଉ ପ୍ରତି ଯାତ୍ରାରେ ବାହାରିଲା ଲଣ୍ଡାବେଶ ବା ଦରିଦ୍ର ପଞ୍ଚାକ୍ଷର ପାର୍ଟି ବେଶ ପରମ୍ପରା। ଏହି ବେଶ ଆୟୋଜନ ପାଇଁ ଗଠନ ହେଲା କମିଟି। ଆଉ କେବେ ଶୋଭାଯାତ୍ରା ବାହାର କରାଯିବ, କଣ ରହିବ ସ୍ଳୋଗାନ ତାହା କମିଟି ବୈଠକରେ ନିଷ୍ପତି ନିଆଯାଏ । ନିର୍ଦ୍ଧାରିତ ଦିନର ସକାଳୁ ସକାଳୁ ମାନସିକଧାରୀମାନେ ଲଣ୍ଡା ହେବା ପାଇଁ ପହଞ୍ଚିଯାନ୍ତି।
ମାନସିକଧାରୀମାନେ ଲଣ୍ଡା ବେଶ ପାଇଁ ସାହିର ଗୋଟିଏ ସ୍ଥାନରେ ଏକତ୍ରିତ ହୋଇଥାନ୍ତି। ସଂଧ୍ୟା ନଇଁ ଆସିବା ବେଳକୁ ଦରିଦ୍ର ପଞ୍ଚାକ୍ଷର ପାର୍ଟିର ସହର ପରିକ୍ରମା ଆରମ୍ଭ ହୁଏ। ମହନ୍ତ, ମହନ୍ତିଆଣୀ ଏହି ଶୋଭାଯାତ୍ରାର ନେତୃତ୍ୱ ନେଇଥାନ୍ତି । ଆଉ ପଛରେ ଅନୁସରଣ କରିଥାନ୍ତି ଶତାଧିକ ପିଲା ଓ ବଡ଼ ମହନ୍ତ। ହାତରେ କାଠର ଗିନି, ପିଠିରେ ବିଭିନ୍ନ ସ୍ଳୋଗାନ ଲେଖିବା ସହ ଅନବରତ ବିଭିନ୍ନ ବ୍ୟଙ୍ଗାତ୍ମକ ଗୀତ ଗାଇ ଚାଲିଥାନ୍ତି ।
ବେଶ ବାହାରିବା ଦିନ ପ୍ରଥମେ ବାରିକ ପହଞ୍ଚି ବେଶଧାରୀମାନଙ୍କୁ ଲଣ୍ଡା କରିଥାନ୍ତି। ଏହାପରେ ନୁଆ ବସ୍ତ୍ର ପିନ୍ଧି ମହନ୍ତ ମହନ୍ତିଆଣିଙ୍କ ନେତୃତ୍ୱରେ ସହର ପରିକ୍ରମା କରିଥାନ୍ତି ଲଣ୍ଡାବେଶଧାରୀ। ଆଉ ଏହି ଲଣ୍ଡାବେଶରେ ପିଲା, ବୁଢା, ଭିନ୍ନକ୍ଷମ ସମସ୍ତେ ସାମିଲ ହୋଇଥାନ୍ତି। ତେବେ ବ୍ରହ୍ମପୁର ସହରର ବିଜିପୁରବାସୀଙ୍କ ଦ୍ୱାରା ଦୀର୍ଘଦିନରୁ ଆରମ୍ଭ ହୋଇଥିବା ଏହି ପରମ୍ପରା କେତେ ସଚେତନତା ସୃଷ୍ଟି କରିପାରିଛି ତାହା ହିସାବ କାହା ପାଖରେ ନାହିଁ କିନ୍ତୁ ଏହି ଯାତ୍ରା ନିଶ୍ଚୟ ପରିବେଶକୁ ରସାଣିତ କରି ପାରିଛି ବୋଲି ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ।