ଜମୁଛି ମାଆଙ୍କ ଘଟଯାତ୍ରା; ବୁଲୁଛନ୍ତି ରାମ କୃଷ୍ଣ ବେଶଧାରୀ

କେଉଁଠି ରାମ ବଳରାମ ତ କେଉଁଠି ରାଧାକୃଷ୍ଣ ଆଉ କେଉଁଠି ବୀର ହନୁମାନ ତ ଆଉ କେଉଁଠି ବାଘ । ଯାତ୍ରା ଆସିଲେ ବ୍ରହ୍ମପୁରରେ ଏପରି ବହୁ ବେଶଧାରୀ ଚରିତ୍ରମାନ ବୁଲୁଥିବାର ଦେଖିବାକୁ ମିଳିଥାଏ । ଦକ୍ଷିଣ ଓଡ଼ିଶା ବିଶେଷ କରି ଗଞ୍ଜାମ ଜିଲ୍ଲାରେ ମାଆଙ୍କ ଘଟଯାତ୍ରା ପରମ୍ପରା ବେଶ୍ ପୁରାତନ । ପ୍ରାୟତଃ ଗ୍ରୀଷ୍ମ ଋତୁରେ ଭିନ୍ନ ଭିନ୍ନ ଗ୍ରାମ ଓ ଭିନ୍ନ ଭିନ୍ନ ସହରରେ ଲୋକମାନେ ନିଜ ନିଜ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀଙ୍କୁ ନେଇ ଆୟୋଜନ କରିଥାନ୍ତି ମାଆଙ୍କ ଘଟଯାତ୍ରା ।
କିଛି ବିଶ୍ୱାସ କିଛି ପରମ୍ପରା କିଛି ଲୋକ କଥା ଓ କିଛି କିମ୍ବଦନ୍ତୀକୁ ନେଇ ସୃଷ୍ଟି ହୋଇଥାଏ ଏହି ଯାତ୍ରା । ଚୈତ୍ର ଓ ବୈଶାଖ ମାସରେ ଗଞ୍ଜାମ ଜିଲ୍ଲାର ପୁରପଲ୍ଲୀ ଠାରୁ ଆରମ୍ଭ କରି ବିଭିନ୍ନ ସହରରେ ଅନୁଷ୍ଠିତ ହୋଇଥାଏ ମାଆଙ୍କ ଯାତ୍ରା । ହେଲେ ବ୍ରହ୍ମପୁରରେ ପ୍ରତି ଦୁଇ ବର୍ଷକୁ ଥରେ ହେଉଥିବା ମାଆ ବୁଢ଼ି ସାଆନ୍ତାଣୀଙ୍କ ଯାତ୍ରା ଭାରି ନିଆରା । ଯାତ୍ରା ଅବସରରେ ଦୂର ଦୂରାନ୍ତରୁ ବହୁ ଭକ୍ତ ଓ ଶ୍ରଦ୍ଧାଳୁ ଆସି ମାଆଙ୍କ ସାନିଧ୍ୟ ଲାଭ କରିଥାନ୍ତି । ଏହି ଯାତ୍ରାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଲା ନିଜ ନିଜ ସନ୍ତାନର ମଙ୍ଗଳ, ଦୀର୍ଘ ଆୟୁଷ ଓ ନିରୋଗ ଜୀବନ କାମନା କରି ଯାତ୍ରା ସମୟରେ ପିଲା ମାନଙ୍କୁ ରାମ, ବଳରାମ, ରାଧା, କୃଷ୍ଣ, ଶିବ, ପାର୍ବତୀ, ହନୁମାନ , ବାବାଜୀ, ବାଘ ପରି ବିଭିନ୍ନ ବେଶ ପକାଇ ମାଆଙ୍କ ନିକଟରେ ପୂଜା କରିବା ପାଇଁ ପରିବାରର ସଦସ୍ୟ ମାନେ ମାନସିକ ରଖିଥାନ୍ତି ।
ଯାତ୍ରା ଅବସରରେ ମାଆ ଦେଶୀ ବେହେରା ସାହିରେ ଥିବା ବାପ ଘରେ ବିଜେ କରିଥାନ୍ତି । ଏବେ ଧୀରେ ଧୀରେ ଯାତ୍ରା ଜମିବାକୁ ଲାଗିଲାଣି । ବିଭିନ୍ନ ଦେବ ଦେବୀଙ୍କ ରୂପରେ ସଜ୍ଜିତ ହୋଇ ବେଶଧାରୀଙ୍କ ରାସ୍ତାରେ ବିଚରଣ ଏକ ଆଧ୍ୟାତ୍ମିକ ଓ ମନ୍ତ୍ରମୁଗ୍ଧ ପରିବେଶ ସୃଷ୍ଟି କରୁଛି । ସେପଟେ ମାନସିକଧାରୀମାନଙ୍କୁ ବିଭିନ୍ନ ବେଶରେ ସଜାଇ ସହରର ଚିତ୍ରକର ମାନେ ଭଲ ଦୁଇ ପଇସା ରୋଜଗାର କରୁଛନ୍ତି । ଗ୍ରୀଷ୍ମର ପ୍ରକୋପ ସାଧାରଣ ଜୀବନ ଯାତ୍ରାକୁ ଅସ୍ତବ୍ୟସ୍ତ କରି ଦେଇଥିଲେ ବି ସେଥି ପ୍ରତି ନା ଚିତ୍ରକର ମାନଙ୍କ ଖାତିର ରହିଛି ନା ମାନସିକଧାରୀଙ୍କ ନଜର ରହିଛି । ଏଥି ପାଇଁ କି ସକାଳ କି ଖରା ବେଳ ଚିତ୍ରକରଙ୍କ ପାଖରେ ଜମୁଛି ମାନସିକଧାରୀଙ୍କ ଭିଡ଼ । ମାନସିକ ପୂର୍ଣ୍ଣ ପରେ ନିଜ ପିଲାଙ୍କୁ ବେଶ ପକାଇ ମାଆଙ୍କ ନିକଟରେ ପୂଜାର୍ଚ୍ଚନା କରାଇବାର ପରମ୍ପରା ବହୁ ଆଗରୁ ରହି ଆସିଛି ।
Also Read:୩ ଦିନ ପରେ ମାଆ କୋଳକୁ ଫେରିଲା ଅପହୃତ ଶିଶୁ, ଅଙ୍ଗତସ୍କରୀ ନେଇ କୌଣସି ପ୍ରମାଣ ନାହିଁ: ପୋଲିସ କମିଶନର