୩ ରୁ ଆରମ୍ଭ ହେବ ମାଆ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା, ନିୟୋଜିତ ହେବେ ୬ ପ୍ଲାଟୁନ ଫୋର୍ସ

ବ୍ରହ୍ମପୁର : ମାଆ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ୩ ତାରିଖ ବିଳମ୍ୱିତ ରାତିରେ ମାଆଙ୍କୁ ଏକ ବିରାଟ ପଟୁଆରରେ ଠାକୁରାଣୀ ମନ୍ଦିରରୁ ଦେଶୀବେହେରା ସାହି ସ୍ଥିତ ଅସ୍ଥାୟୀ ମଣ୍ଡପକୁ ଅଣାଯିବ । ଏଥିପାଇଁ ଦେଶୀବେହେରା ସାହିରେ ମଧ୍ୟ ପ୍ରସ୍ତୁତି ଜୋରସୋରରେ ଲାଗିଛି ।

ମାଆଙ୍କ ଅସ୍ଥାୟୀ ମଣ୍ଡପ କାର୍ଯ୍ୟ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି । ଠାକୁରାଣୀ ଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବା ପାଇଁ ପୋଲିସ ଓ ପ୍ରଶାସନ ସ୍ତରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଭିଡ଼ ହେବ। ଶ୍ରଦ୍ଧାଳୁମାନେ କିଭଳି ଶୃଙ୍ଖଳିତ ଦର୍ଶନ କରିବେ ସେ ନେଇ ପୋଲିସ ଓ ବଡ଼ ବଜାର ବ୍ୟବସାୟୀ , ବୁଦ୍ଧିଜୀବୀମାନଙ୍କ ମଧ୍ୟରେ ଏକ ବୈଠକ ବସିବ ।

ଆଇନ ଶୃଙ୍ଖଳା ପରିସ୍ଥିତି, ଭିଡ଼ ନିୟନ୍ତ୍ରଣ, ପୋଲିସ ମୁତୟନ ସହ ଶ୍ରଦ୍ଧାଳୁ କିଭଳି ମା’ଙ୍କୁ ପୂଜାର୍ଚ୍ଚନା କରିପାରିବେ ସେ ନେଇ ସମସ୍ତ ପ୍ରକାରର ବ୍ୟବସ୍ଥା ହାତକୁ ନିଆଯିବ । ଚୋରି, ଲୁଟପାଟ ରୋକିବ ନିମନ୍ତେ ଦେଶୀ ବେହେରା ସାହିରେ ସମ୍ପୂର୍ଣ୍ଣ ରୂପେ ସିସିଟିଭି କ୍ୟାମେରା ଲଗାଯିବ । ୬ପ୍ଲାଟୁନ ଫୋର୍ସ ସହ ପୋଲିସ ଅଧିକାରୀମାନେ ନିୟୋଜିତ ହେବେ ବୋଲି ବ୍ରହ୍ମପୁର ଏସପି ସୂଚନା ଦେଇଛନ୍ତି ।