ମା’ଙ୍କ ଝୁଣାଧୂପ ପାଇଲେ ଦୂର ହୁଏ ଅସାଧ୍ୟ ରୋଗ, ଜାଣନ୍ତୁ ଅସ୍ତରଙ୍ଗର ମା’ ଉକୁଳେଇ ଠାକୁରାଣୀଙ୍କ ମହିମା

ଅସ୍ତରଙ୍ଗ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ଉକୁଳେଇ ଠାକୁରାଣୀ। ମା’ଙ୍କ ଶରଣ ପଶିଲେ ଭଲ ହୁଏ ଜ୍ୱରରୋଗ। କାହିଁ କେଉଁ ଆବାହମାନ କାଳରୁ ଅସ୍ତରଙ୍ଗ ନିକଟ ଉକୁଳେଇ ଗ୍ରାମରେ ବିରାଜମାନ କରିଛନ୍ତି ମା’ ଉକୁଳେଇ ଠାକୁରାଣୀ। ଆସ୍ଥା ଓ ବିଶ୍ୱାସକୁ ନେଇ ମା’ଙ୍କ ପୀଠକୁ ବହୁ ଦୂରଦୂରାନ୍ତରୁ ଧାଇଁ ଆସନ୍ତି ଭକ୍ତ ଓ ଶ୍ରଦ୍ଧାଳୁ। ଆଜି ଆସନ୍ତୁ ଜାଣିବା ମା’ ଉକୁଳେଇ ଠାକୁରାଣୀଙ୍କ ମହିମା…

ଅସ୍ତରଙ୍ଗର ପଶ୍ଚିମକୁ ଦୁଇ କିଲୋମିଟର ଗଲେ ପଡ଼େ ମା’ ଉକୁଳେଇ ଠାକୁରାଣୀଙ୍କ ପୀଠ। କାହିଁ କେଉଁ ଆବାହମାନ କାଳରୁ ମା’ ଏଠି ଆବିର୍ଭୂତ ହୋଇ ଭକ୍ତଙ୍କ ଦୂର କରୁଛନ୍ତି ରୋଗ ଆଉ ଶୋକ। ମା’ଙ୍କ ଆବିର୍ଭାବକୁ ନେଇ ରହିଛି ଏକ କିମ୍ବଦନ୍ତୀ। ଅନେକ ଦିନ ତଳେ ଜୀଉନ୍ତି ଗ୍ରାମର ରଘୁନାଥ ମହାନ୍ତି ନାମକ ଜଣେ ବ୍ଯକ୍ତି ତ୍ରିବେଣୀ ଅମାବାସ୍ଯାର ଦୁଇଦିନ ପୂର୍ବରୁ ମଧ୍ୟରାତ୍ରିରେ ତାଙ୍କ ଘରର ଦକ୍ଷିଣ ପାର୍ଶ୍ୱରେ ଜ୍ୱଳନ୍ତ ଅଗ୍ନିପିଣ୍ଡୁଳା ଭଳି ଏକ ଆଲୋକ ଦେଖିବାକୁ ପାଇଲେ। ଏତେ ରାତିରେ ହଠାତ୍‌ ଏମିତି ଏକ ଆଲୋକ ପିଣ୍ଡୁଳା ଦେଖି ସେ ଭୟରେ ଘର ଭିତରକୁ ଯାଇ ଶୋଇପଡ଼ିଥିଲେ। ରଘୁନାଥଙ୍କୁ ନିଦ ଆସିବା ପରେ ମଧ୍ୟ ରାତିରେ ସ୍ୱପ୍ନରେ ସେହି ଅଗ୍ନିପିଣ୍ଡୁଳା ଭିତରୁ ଜଣେ ଦିବ୍ଯସୁନ୍ଦର ନାରୀ ବାହାରି ତାଙ୍କୁ କହିଲେ, ହେ ଭକ୍ତ ମୁଁ ମା’ ଉକୁଳେଇ ଠାକୁରାଣୀ କହୁଛି, ମୁଁ କଳାବୁଦି ଠାରେ ଥିବା ଏକ ନିମିକୋଳି ଗଛ ମୂଳରେ ପଥର ରୂପରେ ପଡ଼ିଛି (ଆଜିର ଉକୁଳେଇ ଗ୍ରାମ ସେ ସମୟରେ କଳାବୁଦି ନାମରେ ଥିଲା ପରବର୍ତ୍ତୀ ସମୟରେ ମା ଉକୁଳେଇ ଠାକୁରାଣୀଙ୍କ ନାମ ଅନୁସାରେ ଆଜିର ଉକୁଳେଇ ନାମ ରହିଛି ) ତୁମେ ମୋତେ ସେଠାରୁ ଉଦ୍ଧାର କରି ମୋର ପୂଜାର୍ଚ୍ଚନା କର, ମୁଁ ସମସ୍ତ ଭକ୍ତଙ୍କର ରୋଗ ଦୁଃଖ ହରଣ କରିବି। ସ୍ୱପ୍ନ ଦେଖି ରଘୁନାଥ ମହାନ୍ତିଙ୍କ ନିଦ୍ରା ଭାଙ୍ଗିଗଲା ଓ ସେ ଭୀଷଣ ଭାବରେ ଡରିଗଲେ, ଦେଖିଥିବା ସ୍ୱପ୍ନକୁ କିଛି ବୁଝିପାରିଲେ ନାହିଁ ଏବଂ ମନ କଥାକୁ ମନରେ ମାରି ଚୁପ ରହିଲେ। ପୁଣି ତା ପରଦିନ ଠିକ ସେହି ମଧ୍ୟ ରାତ୍ରିରେ ପୂର୍ବ ରାତ୍ରିଭଳି ସେଭଳି ସ୍ୱପ୍ନ ଦେଖିବାକୁ ପାଇଲେ ଜଣେ ଦିବ୍ଯ ସୁନ୍ଦର ନାରୀ ସ୍ୱପ୍ନରେ ଆସି କହୁଛନ୍ତି, ହେ ଭକ୍ତ ଭୟ କର ନାହିଁ। ମୁଁ ହେଉଛି ଉକୁଳେଇ ଠାକୁରାଣୀ ମୋତେ ତୁମେ ଉଦ୍ଧାର କରି ପୂଜାର୍ଚ୍ଚନା କର। ସ୍ୱପ୍ନ ଦେଖି ରଘୁନାଥ ମହାନ୍ତିଙ୍କର ନିଦ ଭାଙ୍ଗିଗଲା ଏବଂ ନିଶ୍ଚୟ ସେ କଳାବୁଦି ଯାଇ ନିମିକୋଳି ଗଛ ନିକଟରେ ପହଞ୍ଚିବେ ବୋଲି ସ୍ଥିର କରି ରାତି ପାହିବାକୁ ଅପେକ୍ଷା କଲେ।

ukulei2

ରାତି ପାହିବା ପରେ ରଘୁନାଥ ସକାଳୁ ସକାଳୁ ସିଧା କଳାବୁଦି ଅଭିମୁଖେ ଚାଲିଲେ। କଳାବୁଦି ବା ଆଜିର ଉକୁଳେଇ ଗ୍ରାମ ସେ ସମୟରେ ଘୋର ଜଙ୍ଗଲରେ ପରିପୂର୍ଣ୍ଣ ଥିଲା। ସେହି ଜଙ୍ଗଲ ମଧ୍ୟରେ ରଘୁନାଥ ଖୋଜି ଖୋଜି ଏକ ନିମିକୋଳି ଗଛ ପାଇଲେ ଏବଂ ସେହି ଗଛ ମୂଳେ ଏକ ଅଦ୍ଭୁତ ଧରଣର ପଥର ପଡ଼ିଥିବା ଦେଖିବାକୁ ପାଇଲେ। ସେହି ପଥର ଦେହରୁ ଚୁଆ ଚନ୍ଦନର ମହକ ବାହାରୁଥିବା ଅନୁଭବ କଲେ। ରଘୁନାଥ ସେହି ନିମିକୋଳି ଗଛ ମୂଳରେ ସେହି ପଥରଟିକୁ ସ୍ଥାପନ କରି ସେଠାରେ ଜଣେ ବାହ୍ମଣଙ୍କୁ ପୂଜା କରିବା ପାଇଁ ଦାୟିତ୍ୱ ଦେଲେ। ପୂଜା କରିବାର କିଛିଦିନ ପରେ ରଘୁନାଥ ମହାନ୍ତିଙ୍କୁ ଦିନେ ରାତ୍ରିରେ ମା’ ଉକୁଳେଇ ସ୍ୱପ୍ନରେ ଆସି କହିଲେ, ହେ ଭକ୍ତ ମୁଁ ତୁମ ହାତରେ ପୂଜା ପାଇବାକୁ ଚାହେଁ ତେଣୁ ବ୍ରାହ୍ମଣ ସେବା ବନ୍ଦ କରି ମୋତେ ତୁମରି ହାତରେ ସେବାପୂଜା କର। ମା’ଙ୍କ ସ୍ୱପ୍ନାଦେଶ ପରେ ରଘୁନାଥ ମହାନ୍ତି ବ୍ରାହ୍ମଣ ସେବା ବନ୍ଦ କରି ନିଜେ ସେବାପୂଜା ଆରମ୍ଭ କଲେ। ପରବର୍ତ୍ତୀ ସମୟରେ ରଘୁନାଥ ମହାନ୍ତି ମା’ ଉକୁଳେଇ ଠାକୁରାଣୀଙ୍କ ନିର୍ଦ୍ଦେଶକ୍ରମେ ଜ୍ୱର ରୋଗୀମାନଙ୍କୁ ମା’ଙ୍କ ପାଖରେ ଲାଗି ହୋଇଥିବା ଝୁଣା ଧୂପ ଦେଇ ଭଲ କଲେ। ଏହା ପରେ ଧୀରେ ଧୀରେ ମା’ଙ୍କ ମହିମା ଚାରିଆଡେ ପ୍ରଚାରିତ ହେବାକୁ ଲାଗିଲା। ସେହି ଦିନଠାରୁ ରଘୁନାଥ ମହାନ୍ତିଙ୍କ ପିଢ଼ି ପରେ ପିଢ଼ି ମା’ଙ୍କ ସେବା ପୂଜା କରିଆସୁଛନ୍ତି। ମା’ଙ୍କ ଆବିର୍ଭାବ ସମ୍ପର୍କରେ କୌଣସି ସଠିକ ତଥ୍ଯ ଯଦିଓ ଏ ପର୍ଯ୍ଯନ୍ତ କାହାରି ପାଖରେ ନାହିଁ, ତେବେ କେତେକ ଗବେଷକ ୧୯୦୦ ମସିହାରେ ମା’ ଆବିର୍ଭାବ ହୋଇଥିବା କୁହନ୍ତି।

ମା’ ଉକୁଳେଇ ଠାକୁରାଣୀଙ୍କ ଆବିର୍ଭାବ ତ୍ରିବେଣୀ ଅମାବାସ୍ୟା ଦିନ ହୋଇଥିବାରୁ ଏହି ଦିନକୁ ମା’ଙ୍କ ଜନ୍ମ ଦିବସ ଭାବେ ପ୍ରତିବର୍ଷ ପାଳନ କରାଯାଏ। ବର୍ଷର ପ୍ରତ୍ୟେକ ଦିନ ମା’ଙ୍କୁ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥାଏ। ବର୍ଷର ଗୋଟିଏ ଦିନ ତ୍ରିବେଣୀ ଅମାବାସ୍ୟା ଦିନ ମା’ଙ୍କ ପ୍ରତିମା ମନ୍ଦିର ବାହାରକୁ ଆସିଥାନ୍ତି। ଘଣ୍ଟା, ଘଣ୍ଟି, ଢୋଲ, ମହୁରି ଆଦି ବାଦ୍ୟ ବଜାଯାଇ ମା’ଙ୍କୁ ମନ୍ଦିର ପରିକ୍ରମା କରାଯାଇ ମନ୍ଦିର ନିକଟରେ ଥିବା ସିଦ୍ଧ ପୁଷ୍କରିଣୀକୁ ଅଣାଯାଏ। ସେଠାରେ ତନ୍ତ୍ର ପୂଜାର୍ଚ୍ଚନା କରାଯାଇ ସେହି ପୁଷ୍କରିଣୀରେ ମା’ଙ୍କ ଚାପ ଖେଳ ଆରମ୍ଭ ହୋଇଥାଏ। ଏହି ସମୟରେ ପୁଷ୍କରିଣୀ ଚାରିପାଖରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି ଦେଖିବାକୁ ମିଳେ। ଚାପ ଖେଳି ସାରି ମା’ ମନ୍ଦିରକୁ ପ୍ରବେଶ କରିସାରିଲା ପରେ ପୂର୍ବରୁ କଳସ ଧରି ଅପେକ୍ଷା କରିଥିବା ଶ୍ରଦ୍ଧାଳୁମାନେ ସେହି ପୁଷ୍କରିଣୀରେ ବୁଡ ପକାଇ ମାନସିକ କଳସ ବୁଡାଇ ଥାନ୍ତି ଏବଂ ସେହି କଳସକୁ ମା’ଙ୍କ ମନ୍ଦିରରେ ସ୍ଥାପନ କରିଥାନ୍ତି। ଏହି ତ୍ରିବେଣୀ ଅମାବାସ୍ୟା ଦିନ ସିଦ୍ଧ ପୁଷ୍କରିଣୀରେ ବୁଡ ପକାଇ କଳସ ସ୍ଥାପନ କଲେ ଯିଏ ଯାହା ମାନସିକ କରିଥାନ୍ତି ତାହା ପୂରଣ ହୋଇଥାଏ। ମା’ଙ୍କ କରୁଣା ହେଲେ ଭକ୍ତଙ୍କର ସମସ୍ତ ମନୋବାଞ୍ଛା ପୂରଣ ହୋଇଥାଏ |

Leave A Reply

Your email address will not be published.