ଗୋଡ଼ାଇ ଗୋଡ଼ାଇ ପ୍ରମିଳାଙ୍କ ଜୀବନ ନେଲା ପାଗଳା ଷଣ୍ଢ, କାବୁ କଲା ପ୍ରାଣୀ ବିଭାଗ ଓ  ଅଗ୍ନିଶମ ବିଭାଗ

ସବୁ ଦିନ ଭଳି ଗତକାଲି ସକାଳୁ ସକାଳୁ ପ୍ରମିଳା ଶୌଚ ହେବା ପାଇଁ ବାରିପଟକୁ ଯାଇଥିଲେ । କିନ୍ତୁ ପ୍ରମିଳା ଜାଣିନଥିଲେ ମୃତ୍ୟୁ ତାଙ୍କ ବାଟ ଚାହିଁ ବସିଛି । ହଠାତ ପଛ ପଟୁ ଏକ ପାଗଳା ଷଣ୍ଢ ତାଙ୍କୁ ଗୋଡ଼ାଇବାକୁ ଲାଗିଲା । ପ୍ରାଣ ବିକଳରେ ଏଣେ ତେଣେ ଦୌଡ଼ିଥିଲେ ପ୍ରମିଳା । କିନ୍ତୁ ଷଣ୍ଢ ହାବୁଡ଼ରୁ ନିଜକୁ ବଞ୍ଚାଇ ପାରିଲେନି । ଆଉ କ୍ଷଣିକରେ ତାଙ୍କ ଜୀବନ ନେଇଗଲା ପାଗଳା ଷଣ୍ଢ ।

ପୁରୀ ଜିଲ୍ଲା ପିପିଲିରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଷଣ୍ଢ ଆକ୍ରମଣରେ ପ୍ରମିଳା ନାମକ ଜଣେ ମହିଳା ମୃତ୍ୟୁ ବରଣ କରିଥିବାବେଳେ ଜଣେ ଗୁରୁତର ଆହତ ହୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଚନ୍ଦ୍ରାଦେଇପୁର ପଂଚାୟତର ଆର ସାହି ଗାଁର ୬୫ ବର୍ଷିୟା ପ୍ରମିଳା ସ୍ୱାଇଁ ସକାଳୁ ନିଜ ଘର ବାରିପଟକୁ ଶୌଚ ପାଇଁ ଯାଉଥିବା ସମୟରେ ଏକ ପାଗଳ ଷଣ୍ଢ ତାଙ୍କୁ ଆକ୍ରମଣ କରିଥିଲା । ଷଣ୍ଢଟି ଶିଙ୍ଘରେ ମହିଳାଙ୍କ ଜଙ୍ଘ ଓ ବେକ ସହ ମୁଣ୍ଡକୁ ଜୋର ଆଘାତ କରିଥିଲା । ଷଣ୍ଢ ଆକ୍ରମଣରୁ ମହିଳା ନିଜକୁ ବଞ୍ଚାଇ ପାରିନଥିଲେ । ଷଣ୍ଢଟି ବାରମ୍ବାର ଶିଙ୍ଘରେ ତାଙ୍କୁ ଏମିତି ଆକ୍ରମଣ କରି ଲହୁ ଲୁହାଣ କରିଥିଲା ସେ ଗୁରୁତର ହୋଇପଡ଼ିଥିଲେ । ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ମଙ୍ଗଳପୁର ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏହାପରେ ବି ଷଣ୍ଢର ଆକ୍ରମଣ ଥମି ନଥିଲା । ଷଣ୍ଢ ଯାହାକୁ ଦେଖୁଥିଲା ତାକୁ ଆକ୍ରମଣ କରୁଥିଲା । କିଛି ଦିନ ପୂର୍ବେ ଷଣ୍ଢଟିକୁ କୁକୁର କାମୁଡ଼ିଥିଲା ଯାହା ଫଳରେ ଏଭଳି ଆଚରଣ କରୁଥିଲା ଷଣ୍ଢ ।

ଗ୍ରାମବାସୀଙ୍କ ସହିତ ପିପିଲି ଅଗ୍ନିଶମ ବିଭାଗ ଏବଂ ପ୍ରାଣୀଚିକିତ୍ସା ବିଭାଗ ପକ୍ଷରୁ ଷଣ୍ଢ ଧରା ଅଭିଜାନ ଆରମ୍ଭ କରାଯାଇଥିଲା । ବହୁ ଚେଷ୍ଟା ପରେ ଷଣ୍ଢକୁ ଆୟତ୍ତକୁ ଅଣାଯାଇଥିଲା । ଷଣ୍ଢ ଆୟତ୍ତକୁ ଆସିଥିଲେ ମଧ୍ୟ ଅକାରଣରେ ପ୍ରମିଳାଙ୍କ ଜୀବନ ଗଲା । ତେଣୁ ମୃତକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବା  ପାଇଁ ଅଞ୍ଚଳବାସୀ ଦାବୀ କରିଛନ୍ତି ।

Also Read: କାବୁ ହେଲା ପାଗଳ ମାଙ୍କଡ଼, ଦୀର୍ଘ ୧୦ ଦିନ ଧରି ଖେଳାଇଥିଲା ଆତଙ୍କ