ପାଗଳ ବିଲୁଆକୁ ତଡିବା ପାଇଁ ସମସ୍ତଙ୍କ ହାତରେ ଠେଙ୍ଗା

କାକଟପୁର: ସମସ୍ତଙ୍କ ହାତରେ ଠେଙ୍ଗା ହେଲେ କଣ ପାଇଁ? କଣ ଚୋର ଜଗିବାକୁ ନା ଶତ୍ରୁ ସହ ଲଢିବାକୁ ନା ଗାଁରେ କିଛି ଘଟିଛି ଗଣ୍ଡଗୋଳ? ନା ଯୁଦ୍ଧ ପାଇଁ ଏ ସଜବାଜ ଗାଁରେ ମାତିଥିବା ବିଲୁଆ ପାଇଁ । ରାତି ହେଉ ଅବା ଦିନ ଗାଁ ଭିତରକୁ ପଶି ଆସୁଛନ୍ତି ବିଲୁଆ । ତା ପୁଣି ପାଗଳ ବିଲୁଆ । ବିଲୁଆଙ୍କ ଆତଙ୍କରେ କାକଟପୁର ନିକଟ ବାଜପୁର ଗ୍ରାମର କୃଷ୍ଣନଗର ପାଟଣା ଗ୍ରାମର ଗ୍ରାମବାସୀ ଏବେ ଚିନ୍ତାରେ । ଦୁଇଟି ପାଗଳ ବିଲୁଆ ଗ୍ରାମ ଭିତରକୁ ପଶି ଆସିବା ସହିତ ସ୍କୁଲ ଏବଂ ଅଙ୍ଗନବାଡି ପରିସରରେ ବୁଲୁଛନ୍ତି । ଯାହାକୁ ନେଇ ଗ୍ରାମବାସୀଙ୍କ ଭିତରେ ଭୟର ବାତାବରଣ ସୃଷ୍ଟି କରିଛି । ଦିନ ରାତି ସବୁବେଳେ ଘୁରି ବୁଲୁଛି ଏହି ପାଗଳ ବିଲୁଆ ।
ତେବେ ବିଲୁଆଙ୍କୁ ଗ୍ରାମ ଭିତରକୁ ନ ଆସିବା ପାଇଁ ରାତ୍ରିରେ ଗ୍ରାମବାସୀମାନେ ହାତରେ ଠେଙ୍ଗା ଧରି ଗାଁ ଜଗିବା ସହିତ ଲୋକମାନେ ନିଜ ଘରର କବାଟ ବନ୍ଦ କରି ଭୟଭୀତ ହୋଇ ରହୁଛନ୍ତି । ପାଗଳ ବିଲୁଆ ଆତଙ୍କରେ ଥରହର ଏହି ଗାଁ ଲୋକେ । ବଡଙ୍କ ଠାରୁ ଆରମ୍ଭ କରି ଛୋଟ ପିଲାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଘାରିଛି ଆକ୍ରମଣର ଭୟ । ତେବେ ବିଲୁଆ ଆତଙ୍କରେ ଲୋକମାନେ ନିଜ ସୁରକ୍ଷା ନିଜେ କରିବା ପାଇଁ ହାତରେ ଠେଙ୍ଗା ଧରି ପାଗଳ ବିଲୁଆରୁ ତଡିପାର୍ କରିବା ପାଇଁ ଜଗି ବସିଛନ୍ତି ।
କଲବଲ କରୁଛି ବିଲୁଆ । ଶାନ୍ତିରେ ବସାଇ ଦେଉନି କି ବାହାରକୁ ବାହାର କରିବାକୁ ଦେଉନି । ବାହାରିଲେ କାମୁଡି ଗୋଡଉଛି ଏହି ବିଲୁଆ । ପିଲାମାନେ ଭୟରେ ସ୍କୁଲକୁ ବି ଯାଉନାହାନ୍ତି । ସେହିଭଳି ସ୍କୁଲ୍ ମାନଙ୍କରେ ବି କବାଟ ବନ୍ଦ କରି ଶିକ୍ଷା ଦାନ ଦିଆଯାଉଛି । ଯାହା ଫଳରେ କିଛି ଉପାୟ ନ ପାଇ ଶେଷରେ ଗାଁ ଲୋକେ ହାତରେ ଠେଙ୍ଗା ବାଡି ଧରି ବିଲୁଆକୁ ଘଉଡାଇବା ପାଇଁ ବାହାରେ ପ୍ରହରା ଦେଉଛନ୍ତି ।
ଏପଟେ ବନ ବିଭାଗ ଯଥାଶୀଘ୍ର ଏହି ଘଟଣାରେ ହସ୍ତକ୍ଷେପ କରିବା ସହ ପାଗଳ ବିଲୁଆକୁ କାବୁ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି । ତେବେ କେବେ ପାଗଳା ବିଲୁଆଙ୍କୁ ଜନ୍ତାରେ ଧରି ଅଞ୍ଚଳବାସୀଙ୍କୁ ବିପଦ ମୁକ୍ତ କରିବାରେ ସଫଳ ହେଉଛି ବନବିଭାଗ ତାହା ଦେଖିବାକୁ ବାକି ରହିଲା ।