ପୁରୁଷୋତ୍ତମପୁର: ମଦ ଭାଟି ସମ୍ମୁଖରେ ପାଟି ତୁଣ୍ଡ ହୋ ହାଲ୍ଲା କରୁଛନ୍ତି ମହିଳା ମାନେ । ଏପରି କରିବା ପଛରେ ତାଙ୍କର ଗୋଟାଏ ଜିଦ୍ । ଏଠାରୁ ମଦଭାଟି ଉଠାଯାଉ । ଅନ୍ୟ କେଉଁ ସ୍ଥାନକୁ ସ୍ଥାନାନ୍ତରଣ କରାଯାଉ । ନହେଲେ କିଛି ଭଲ ହେବନି । ଆମ ସ୍ୱାମୀ ମାନେ ଯାହା ରୋଜଗାର କରୁଛନ୍ତି ଏହି ମଦ ଭାଟିରେ ଆଣି ସାରୁଛନ୍ତି । ଆମ ସଂସାର ଚଳିବ କେମିତି । ପିଲା ଛୁଆଙ୍କ ଭବିଷ୍ୟତ କଣ ହେବ । ବଞ୍ଚିବୁ କେମିତି ଖାଇବୁ କଣ ? କେଣୁ ତୁରନ୍ତ ଏହି ମଦଭାଟି ବନ୍ଦ କରାଯାଉ ।
ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଭାଟକୁମରଡା ଗାଁରେ ମଦ ଭାଟିରେ ଦେଖିବାକୁ ମିଳିଛି ମହିଳା ମାନଙ୍କ ପାଟିତୁଣ୍ଡ । ସମ୍ପୂର୍ଣ କଥାଟି ହେଉଛି ଭାଟକୁମରଡା ଗାଁ ର ମେଇନ୍ ରୋଡ ଠାରେ ଉକ୍ତ ଦେଶୀ ମଦ ପ୍ରସ୍ତୁତକାରୀ ଭାଟିଟି ରାଜ୍ୟ ରାଜପଥଠାରୁ କେବଳ ୧୦୦ ମିଟର ଦୂରରେ ଅବସ୍ଥିତ। ଯାହା ସରକାରୀ ନିୟମ ଉଲଙ୍ଘନ କରୁଅଛି । ଏହି ଭାଟିର ୫୦ମିଟର ଦୂରରେ ଏସ୍.ବି.ଆଇ ବ୍ୟାଙ୍କ୍ ଅବସ୍ଥିତ। ଯାହାକି ଶହ ଶହ ଲୋକ ଉକ୍ତ ବ୍ୟାଙ୍କ୍ କୁ କାରବାର ପାଇଁ ଯିବା ଆସିବା କରିଥାନ୍ତି । ୨୦୦ ମିଟରରେ ରହିଛି ଗାଁ ର ହାଇସ୍କୁଲ,ଏହି ସ୍କୁଲ୍ ରେ ପ୍ରାୟ ୬୦୦ ଶହରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଧ୍ୟୟନ କରିବାକୁ ଆସନ୍ତି । ତେବେ ମଦ ଭାଟିର ଅନ୍ୟ ଦିଗରେ ଘର ଦ୍ଵାର କରି ଲୋକେ ରହୁଛନ୍ତି ଏବଂ ବାୟୁ ପ୍ରଭାବର ଶିକାର ହେଉଛନ୍ତି । ୨୦୦ ମିଟର ଦୂର ରେ ରହିଛି କନକଦୂର୍ଗା ମନ୍ଦିର। ମଦ ଭାଟିରୁ ବାହାରୁ ଥିବା ବର୍ଜ୍ୟବସ୍ତୁ କେନାଲକୁ ଛାଡ଼ିବା ଫଳରେ ଜଳ ଗୁଡ଼ିକ ବନ୍ଧରେ ପ୍ରବେଶ କରୁଛି । ଯାହାଫଳରେ ପୋଖରୀରେ ହେଉଥିବା ମାଛ ଚାଷରେ ମାଛ ଗୁଡ଼ିକ ମରିଯିବାର ଦେଖିବାକୁ ମିଳୁଛି।
ଏପଟେ ସାହିର ଶେଷ ଭାଗ ରେ ମଦବିକ୍ରି ହେଉଥିବା ଯୋଗୁଁ ଗାଁ ର ଝିଅ ବୋହୁ ପୋଖରୀକୁ ଦୈନିକ ନିତ୍ୟକର୍ମ ପାଇଁ ଯିବା ଆସିବା ସମୟରେ ଅସାମାଜିକ ମଦ୍ୟ ବ୍ୟକ୍ତିଙ୍କ ଦୁରାତ୍ମର ଶିକାର ହେଉଛନ୍ତି। ଏନେଇ ଗାଁ ଲୋକେ ବହୁବାର ଅବକାରୀ ଥାନା, ସରପଞ୍ଚ, ସମିତିସଭ୍ୟ, ସ୍ଥାନୀୟ ବିଡ଼ିଓଙ୍କୁ ଜଣାଇ ଥିଲେ ସୁଦ୍ଧା ସରକାରୀ ପ୍ରାପ୍ତ ମଦ ପ୍ରସ୍ତୁତ ଭାଟିଟି କୁ ସ୍ଥାନାନ୍ତରିତ କରିବା ପାଇଁ କୌଣସି ପଦକ୍ଷେପ ନିଆଯାଉ ନଥିବା ଦେଖିବାକୁ ମିଳିଛି । ଯଦି ଆଗକୁ ଏପରି ଭାଟି ଚାଲେ ତେବେ ଆଗାମୀ ଦିନ ରେ ରାଜରାସ୍ତା କୁ ଓହ୍ଲାଇବେ ବୋଲି କହିଛନ୍ତି ଉକ୍ତ ଗ୍ରାମବାସୀ ମହିଳା ମାନେ । ଅନ୍ୟପଟେ ଏ ସମ୍ପର୍କରେ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।