ମଧୁ ଆପ୍‌ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟରେ ପ୍ରଥମ ଜିଲ୍ଲା ଭାବେ ଗଞ୍ଜାମରେ ଆରମ୍ଭ

ମଧୁ ଆପ୍‌ର ଶୁଭାରମ୍ଭ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି । ମଧୁ ଆପ୍‌ ଜରିଆରେ ଛାତ୍ରଛାତ୍ରୀଙ୍କୁ ହାତପାହାନ୍ତାରେ ଶିକ୍ଷା ସୁବିଧା ମିଳିବ । ପିଲାମାନଙ୍କୁ ସହଜରେ ପାଠ ବୁଝାଇବା ଓ ବିଭିନ୍ନ ପ୍ରଶ୍ନର ଅଭ୍ୟାସ କରାଇବା ଲକ୍ଷ୍ୟ ନେଇ ଗଂଜାମ ଜିଲ୍ଲା ପ୍ରଶାସନ ଆରମ୍ଭ କରିଛି ମଧୁ ଆପ୍‌ । ଛାତ୍ରଛାତ୍ରୀମାନେ ମଧୁ ଆପ୍‌କୁ ମୋବାଇଲ ଫୋନରେ ଡାଉନଲୋଡ କରି ସେଥିରୁ ଭିଡିଓ ଦ୍ୱାରା ସେମାନେ ଶ୍ରେଣୀରେ ପଢ଼ା ଯାଇଥିବା ପାଠ ବୁଝିପାରିବେ । ଏହା ସହ ଚାପ୍ଟର ଶେଷରେ ମଡେଲ ପ୍ରଶ୍ନୋତ୍ତର ଅଭ୍ୟାସର ମଧ୍ୟ ସୁବିଧା ରହିଛି । ନିଜେ ପ୍ରଶ୍ନ ପଢ଼ି ତାହାର ଉତ୍ତର ଲେଖି କେତେଦୂର ଠିକ ବା ଭୁଲ କେତେ ମାର୍କ ଆସିବ ଛାତ୍ରଛାତ୍ରୀମାନେ ଜାଣିପାରିବେ । ଉତ୍କଳଗୌରବ ମଧୁସୂଦନ ଦାସଙ୍କ ନାଁରେ ଏହି ଆପ୍‌ର ନାମକରଣ କରାଯାଇଛି । ଅଭିଜ୍ଞ ଶିକ୍ଷକଙ୍କ ଦ୍ୱାରା ରେକର୍ଡିଂ କରାଯାଇଛି । ସରକାରୀ ସ୍କୁଲ ଟିଚରଙ୍କୁ ନେଇ ପ୍ରାଥମିକ ପର୍ଯ୍ୟାୟରେ ମଧୁ ଆପ୍‌ରେ ୫ମ, ଷଷ୍ଠ, ସପ୍ତମ, ଅଷ୍ଟମ ଓ ୧୦ମ ଶ୍ରେଣୀର ଗଣିତ ଓ ବିଜ୍ଞାନ ପାଠ୍ୟକ୍ରମ ଅପଲୋଡ ହୋଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଭିଡିଓ କନଫରେନସିଂ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ୨୨ ବ୍ଲକର ଛାତ୍ରଛାତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ମଧୁ ଆପ୍‌ ସଂପର୍କରେ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀ କହିଛନ୍ତି, ପିଲାମାନଙ୍କ ପାଇଁ ଶିକ୍ଷାର ବିକଳ୍ପ ନାହିଁ । ଭଲ ପାଠ ପଢ଼ି ଦେଶର ଗୌରବ ବୃଦ୍ଧି କରିବା ପାଇଁ ସେ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ । ଓଡ଼ିଆ ଜାତି ପାଇଁ ମଧୁ ବାବୁଙ୍କ ତ୍ୟାଗ ଅତୁଳନୀୟ ବୋଲି କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.