ମଧୂସୁଦନଙ୍କ ମୃତ୍ୟୁ କେମିତି ହେଲା ? ତଦନ୍ତ କରୁଛି ପୋଲିସ୍

ଗତ ୨୬ ତାରିଖର ଘଟଣା । ବାରୁଣୀ ସ୍ନାନ କରିବାକୁ ରାତିରେ ଯାଇଥିଲେ ମଧୂସୁଦନ । ସମୟ ବିତି ଚାଲିଥାଏ କିନ୍ତୁ ଘରକୁ ଫେରିଲେନି ମଧୂସୁଦନ । ପାଖ ପଡ଼ୋଶୀଙ୍କ ଠାରୁ ଆରମ୍ଭ କରି ସମସ୍ତ ସମ୍ପର୍କୀୟଙ୍କୁ ଫୋନ କରିଥିଲେ ପରିବାର । ରାତି ସାରା ଖୋଜାଖୋଜି ଚାଲିଲା । ମଧୂସୁଦନ ନିଖୋଜ ହେବାର ୪ ଦିନ ପରେ ଏବେ ମିଳିଛି ତାଙ୍କ ମରଶରୀର । ବାପାର ଏମିତି ମୃତ୍ୟକୁ ସହି ପାରୁ ନାହିଁ ପୁଅ । କାନ୍ଦି କାନ୍ଦି ଅଧୈର୍ଯ୍ୟ ହୋଇପଡ଼ୁଛି । ପରିବାରର ମୁରବୀ ଆଜି ସମସ୍ତଙ୍କୁ ପର କରି ଚାଲିଯାଇଛି । କିନ୍ତୁ ପ୍ରଶ୍ନ ଉଠୁଛି ମଧୂସୁଦନଙ୍କ ମୃତ୍ୟୁ କେମିତି ହେଲା ? କେହି ତାଙ୍କ ଜୀବନ ନେଇଯାଇନି ତ? ନା କୌଣସି ଅଘଟଣ ଘଟି ତାଙ୍କର ଏମିତି ଅଚାନକ ମୃତ୍ୟୁ ହୋଇଛି ।
ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ଡୁବୁଳିଆ ଗାଁର ୫୦ ବର୍ଷିୟ ମଧୂସୁଦନ ଜେନା । ଗତ ୨୬ ତାରିଖ ରାତିରେ ବାରୁଣୀ ସ୍ନାନ କରିବାକୁ ଯାଇ ନିଖୋଜ ହୋଇଥିଲେ । ତେବେ ଗତ କାଲି ସନ୍ଧ୍ୟା ସମୟରେ ଲଙ୍ଗଳେଶ୍ବର – ଜାମଶୂଳୀ ରାସ୍ତାର କାଶିଆ ଚଟାଣ ନିକଟରେ ନୟନଜୋଡିରୁ ମଧୂସୁଦନଙ୍କ ମୃତଦେହ ଠାବ ହୋଇଥିଲା । ପ୍ରବଳ ଦୁର୍ଗନ୍ଧ ହେଉଥିବାରୁ ସ୍ଥାନୀୟ ଲୋକେ ସେଠାକୁ ଯାଇ ଦେଖିଥିଲେ । ସେଠାରେ ମୃତଦେହ ପଡିଥିବା ଦେଖି ସିଂଲା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ମୃତ ମଧୂସୁଦନଙ୍କ ପୁତ୍ର ଘଟଣାସ୍ଥଳରେ ପହଞ୍ଚି ବାପାଙ୍କ ମୃତଦେହକୁ ଚିହ୍ନଟ କରିବା ସହ ଏହା ଏକ ହତ୍ୟାକାଣ୍ତ ବୋଲି ଅଭିଯୋଗ କରିଥିଲେ । ତେଣୁ ଘଟଣାର ନିରପେକ୍ଷ ତଦନ୍ତ କରି ନ୍ୟାୟ ପ୍ରଦାନ କରିବା ସହ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ପରିବାର । ସିଂଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଜାରି ରଖିଛି ।
ମୃତ୍ୟୁ ଚିରନ୍ତନ ସତ୍ୟ । କିନ୍ତୁ ହଠାତ ମଧୂସୁଦନଙ୍କ ଏମିତି ମୃତ୍ୟୁକୁ ନେଇ ଚିନ୍ତାରେ ପରିବାର । ଯଦି ମଧୂସୁଦନଙ୍କର ହତ୍ୟା କରାଯାଇଛି ତେବେ ଏ ଦିଗରେ ଉଚିତ ତଦନ୍ତ କରାଯାଇ ପରିବାରକୁ ନ୍ୟାୟ ଦିଆଯାଉ ସାଧାରଣରେ ଦାବି ହୋଇଛି ।
Also Read:ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଛାତ୍ରଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ