ଚିକିମିକି ଆଲୋକମାଳାରେ ଝଲସୁଛି ରୌପ୍ୟ ନଗରୀ, ସୁନା ଚାନ୍ଦି ମେଢ଼ରେ ଝଟକୁଛନ୍ତି ମା’

କଟକ: ଆଜି ପୀଠଗୁଡିକରେ ମହା ନବମୀ ପୂଜା ଅନୁଷ୍ଠିତ ହେଉଥିବା ବେଳେ, ପୂଜା ମଣ୍ଡପରେ ମାଆଙ୍କ ମହାଷ୍ଟମୀ । ଷଷ୍ଠୀ ଠାରୁ ସହରର ରାସ୍ତା ଘାଟରେ ବେଶ୍ ଅନୁଭୂତ ହେଉଚ୍ଛି ଦଶହରା ଭିଡ । କଟକ ସହରରେ ଚଳିତ ବର୍ଷ ମୋଟ ୩୪ ଟି ଚାନ୍ଦି ମେଢ଼ ଶୋଭା ପାଉଛି । ୫ଟି ମଣ୍ଡପରେ ସୁନା ମୁକୁଟ ଏବଂ ଅନ୍ୟାନ୍ୟ ସ୍ଵର୍ଣ୍ଣ ଅଳଙ୍କାରରେ ଶୋଭା ପାଉଛି ମା ଦୁର୍ଗାଙ୍କ ମେଢ଼ । କଟକ ସହରର ଅନ୍ୟତମ ପୁରାତନ ପୂଜା ମଣ୍ଡପ ହେଉଛି ମଙ୍ଗଳାବାଗ ପୂଜା ମଣ୍ଡପ। ୨୦୧୫ ମସିହାରୁ ଏଠି ଶୋଭା ପାଉଛି ଚାନ୍ଦି ମେଢ଼। ୨୦୦୯ ମସିହାରୁ ଏଠି ସୁନା ପିନ୍ଧୁ ଛନ୍ତି ମା ଦୁର୍ଗା। ସୁନା ମୁକୁଟ ସାଙ୍ଗକୁ ଅନ୍ୟାନ୍ୟ ସ୍ଵର୍ଣ୍ଣ ଅଳଙ୍କାର ବେଶ୍ ଶୋଭା ବର୍ଦ୍ଧନ କରୁଛି ମଣ୍ଡପର। ସନ୍ଧ୍ୟାରେ ବିଶେଷ କରି ଅଧିକ ଭିଡ ଜମୁଛି ଏଠାରେ।
ତେବେ ଦୁର୍ଗତିନାଶିନୀଙ୍କ ଆବାହନରେ ପ୍ରତମ୍ପିତ ହେଉଛି ଗଗନପବନ। ଘଣ୍ଟ ଘଣ୍ଟା ଓ ଶଙ୍ଖ ଧ୍ୱନିରେ ଉଛୁଳି ପଡୁଛି ପରିବେଶ। ଆଜି ମଣ୍ଡପରେ ମହାମାୟାଙ୍କ ମହାଷ୍ଟମୀ। ଶକ୍ତିପୀଠରେ ଜଗତଜନନୀଙ୍କର ମହାନବମୀ ପୂଜା। ବ୍ରାହ୍ମଣଙ୍କ ମନ୍ତ୍ର ଉଚ୍ଚାରଣ ଓ ଚଣ୍ଡିପାଠରେ ପ୍ରକମ୍ପିତ ହେଉଛି ମଣ୍ଡପ ଓ ଶକ୍ତିପୀଠ। ଆଜି ମହାଷ୍ଟମୀରେ ତାରିଣୀ ପୂଜା, ସନ୍ଧିପୂଜା ପରେ ଅଷ୍ଟମୀ ପୂଜା କରାଯିବାର ନୀତି ରହିଛି। ବିଶେଷ କରି ମହିଳାମାନେ ଆଜି ଅଷ୍ଟମୀ ବ୍ରତ ରଖି ମା’ଙ୍କ ପାଖରେ ବ୍ରତ, ଶାଢୀ, ଶଙ୍ଖା ଓ ସିନ୍ଦୁର ପୂଜାର୍ଚ୍ଚନା କରିଥାଆନ୍ତି। ମାଆଙ୍କ ଆବାହନକୁ ନେଇ ସବୁଠି ଆଧ୍ୟାତ୍ମିକ ପରିବେଶ, ସବୁଠି ଉତ୍ସବର ମାହୋଲ। ଭକ୍ତି ଭାବରେ ମା’ଙ୍କୁ ଦର୍ଶନ କରୁଛନ୍ତି ଭକ୍ତ।