ଆଜି ମଣ୍ଡପରେ ମା ଦୁର୍ଗାଙ୍କ ଷଷ୍ଠୀ ପୂଜା, ବିରଜାଙ୍କ ପୀଠରେ ଚାଲିଛି ମହାସପ୍ତମୀ ରୀତିନୀତି

ଯାଜପୁର : ଶାରଦୀୟ ପାର୍ବଣର ମହମହ ବାସ୍ନା । ଧରାବତରଣ କରିବେ ମହାମାୟା ଦୁର୍ଗା ।  ଆଜି ମଣ୍ଡପରେ ଦୁର୍ଗତିନାଶିନୀ ମା ଦୁର୍ଗାଙ୍କର ଷଷ୍ଠୀ ପୂଜା। ପୀଠରେ ମହାସପ୍ତମୀ ପୂଜା । ଷୋଳ ଦିନାତ୍ମକ ପୂଜାରେ ପୀଠ ଚଳଚଞ୍ଚଳ । ଆଜି ମହାସପ୍ତମୀ ପୂଜାରେ ବିଶେଷ ରୀତିନୀତିରେ ପୂଜା ପାଇବେ ମା ଦଶଭୂଜା ।  ରାଜ୍ୟର ଅନ୍ୟତମ ଶକ୍ତିପୀଠ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ଆଜି ମହାସପ୍ତମୀ ପୂଜା । ଏଥି ପାଇଁ ଉତ୍ସବ ମୁଖର ହୋଇ ଉଠିଛି ସମଗ୍ର ଅଞ୍ଚଳ ।  ବଡ଼ି ଭୋରୁ ପବିତ୍ର ବୈତରଣୀରୁ ଜଳ ଅଣାଯାଇ ମା’ ଙ୍କ ସ୍ନାନ କରାଯାଇଛି ।

ନବରାତ୍ର ଅବସରରେ ୯ ଦିନ ମାଙ୍କ ଗର୍ଭ ଗୃହରେ ପ୍ରବେଶ କରି ମା’ଙ୍କ ମୁଖ ଦର୍ଶନ ସହ ଚରଣ ସ୍ପର୍ଶ କରିବାକୁ ଭକ୍ତଙ୍କୁ ସୁଯୋଗ ମିଳିଥାଏ। ମାଆଙ୍କ ଦର୍ଶନ ପାଇଁ ସକାଳୁ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ଲମ୍ବା ଧାଡ଼ି ଲାଗିଛି ।  ଅନ୍ୟପଟେ ପ୍ରତିପଦା ଠାରୁ ମା ବିରଜାଙ୍କର ନବଦିବସୀୟ ରଥଯାତ୍ରା ଆରମ୍ଭ ହୋଇଛି ।  ଅପରାହ୍ନରେ ମା’ଙ୍କ ଚଳନ୍ତି ପ୍ରତିମାଙ୍କୁ ରଥାରୁଢ଼ କରାଯାଇ ରଥା ଟଣା ହେବ। ବିଶ୍ୱାସ ରହିଛି ଏହି ୯ ଧରି ଚାଲିଥିବା ପୂଜା ସମୟରେ ମାଙ୍କ ମୁଖ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳିଥାଏ ।  ମନ୍ଦିର ପ୍ରଶାସନ ପକ୍ଷ ରୁ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।