ଆଜି ପବିତ୍ର ହେରାପଞ୍ଚମୀ ନୀତି: ନନ୍ଦିଘୋଷ ରଥର ଚକା ଭାଙ୍ଗିବେ ମହାଲକ୍ଷ୍ମୀ

ପୁରୀ : ଆଜି ପବିତ୍ର ହେରାପଞ୍ଚମୀ ନୀତି । ପରମ୍ପରା ଅନୁଯାୟୀ ଆଡପମଣ୍ଡପରେ ବିରାଜିତ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ । ଆଜି ସଂଧ୍ୟା ଆଳତୀ ପରେ ଏକ ସୁସଜ୍ଜିତ ବିମାନ ପଟୁଆରରେ ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ବାହାରି ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିବେ । ନନ୍ଦିଘୋଷ ରଥ ନିକଟରେ ମହାଲକ୍ଷ୍ମୀ ପହଞ୍ଚିବା ପରେ ପତ୍ତିମହାପାତ୍ର ସେବାୟତ କର୍ପୁରର ବନ୍ଦାପନା,ବଳିତା ବନ୍ଦାପନା ଓ ଚାଉଳ ବନ୍ଦାପନା ଇତ୍ୟାଦି କରିବେ ।

ସେପଟେ ଗୁଣ୍ଡିଚା ମନ୍ଦିରକୁ ମହାଲକ୍ଷ୍ମୀ ଯିବାବେଳେ ମହାପ୍ରଭୁଙ୍କ ଠାରୁ ମୁଖଚୁମ୍ବିତ ଅଧରମାଳା ମହାଲକ୍ଷ୍ମୀଙ୍କୁ ପ୍ରଦାନ କରାଯିବ। ସେହି ସମୟରେ ସଂଧ୍ୟାଧୂପ ଚାଲିଥିବା ବେଳେ ଟେରା ପଡିଥିବା କାରଣରୁ ମହାପ୍ରଭୁଙ୍କ ଭେଟ ନ ପାଇ ରାଗରେ ଅଭିମାନ କରିବେ ମା ମହାଲକ୍ଷ୍ମୀ । ରାଗ ଜର୍ଜରିତ ଅଭିମାନୀନି ମହାଲକ୍ଷ୍ମୀ ରଥ କାଠ ଭାଙ୍ଗି ନାକଚଣା ଦ୍ୱାର ଦେଇ ପ୍ରସ୍ଥାନ କରିବେ । ଏହି ସମୟରେ ଭିତରଚ୍ଛ ମହାପାତ୍ର ଦହିପଟି ମଣୋହି ନୀତି କରିବେ । ଏହାପରେ ଅଭିମାନୀନି ମହାଲକ୍ଷ୍ମୀ ନନ୍ଦିଘୋଷ ରଥର ଚକ,ବଡଦାଣ୍ଡ ଓ ହେରାଗୋହିରୀ ସାହି ଦେଇ ଶ୍ରୀମନ୍ଦିରକୁ ପ୍ରସ୍ଥାନ କରିବାର ପରମ୍ପରା ରହିଛି । ଅନ୍ୟପଟେ ଆଡ଼ପ ଦର୍ଶନ ପାଇଁ ଆଜି ମଧ୍ୟ ଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ସକାଳୁ ଭକ୍ତମାନେ ଲମ୍ବା ଧାଡିରେ ଯାଇ ଦର୍ଶନ କରୁଛନ୍ତି।