ମହାନଦୀ ଜଳ ବିବାଦ ପ୍ରସଙ୍ଗ : ଆଜି ସମ୍ବଲପୁର ବୁର୍ଲାରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ବର (କେନ୍ୟୁଜ୍) : ମହାନଦୀ ଜଳ ବିବାଦକୁ ନେଇ ଆଜି ବୁର୍ଲାରେ ଓଡ଼ିଶା ଏବଂ ଛତିଶଗଡ଼ ଜଳ ସମ୍ପଦ ବିଭାଗର ଅଧିକାରୀଙ୍କ ବୈଠକ ଅନୁଷ୍ଠିତ ହେବ । ଏଥିପାଇଁ ଛତିଶଗଡ଼ ଜଳ ସମ୍ପଦ ବିଭାଗର ଏକ ୫ ଜଣିଆ ଟିମ୍ ଅପରାହ୍ଣରେ ସମ୍ବଲପୁରରେ ପହଞ୍ଚିବେ । ବୈଠକରେ ଉଭୟ ରାଜ୍ୟର ଜଳସମ୍ପଦ ବିଭାର ସର୍ବୋଚ୍ଚ ମୁଖ୍ୟ ଯନ୍ତ୍ରୀ, ବନ୍ଧ ସୁରକ୍ଷା ନିର୍ଦ୍ଦେଶକଙ୍କ ସମେତ ହୀରାକୁଦ ବନ୍ଧର ମୁଖ୍ୟଯନ୍ତ୍ରୀ, ଛତିଶଗଡ଼ ଜଳସମ୍ପଦ ବିଭାଗ ବିଳାସପୁର ଓ ରାୟଗଡ଼ ଅଧିକ୍ଷଣ ଯନ୍ତ୍ରୀ ଯୋଗଦେବେ । ବନ୍ୟାଜଳ ନିଷ୍କାସନ ନେଇ ଆଗୁଆ ସତର୍କ ସୂଚନା ପ୍ରଦାନ, ମହାନଦୀ ଅବବାହିକାରେ ମୃତ୍ତିକା ସଂରକ୍ଷଣ ଆଦି ବିଷୟରେ ଆଲୋଚନା ହେବ ।

ଓଡ଼ିଶା ସୀମାରୁ ଅଳ୍ପ କିଛି ଦୂରରେ ରହିଛି ଛତିଶଗଡ଼ ସରକାରଙ୍କ କଲମା ବ୍ୟାରେଜ୍ । ଛତିଶଗଡ଼ ସରକାର କଲମା ବ୍ୟାରେଜରୁ ମହାନଦୀର ପାଣି ଅଟକାଇ ରଖୁଛନ୍ତି । ସେହିପରି ମହାନଦୀ ଉପରେ ସାରଡିହି, ବସନ୍ତପୁର, ମିରୋନି, ସିଉରି ନାରାୟଣ, ସମୋଦା ଭଳି ବ୍ୟାରେଜ୍ ନିର୍ମାଣ ହୋଇଛି । ଏସବୁ ବ୍ୟାରେଜରୁ ବନ୍ୟାଜଳ ନିଷ୍କାସନ ସମୟରେ ସୂଚନା ଆଦାନ ପ୍ରଦାନ ହେବ । ଅଣ ମୌସୁମୀ ସମୟରେ ଏସବୁ ବ୍ୟାରେଜ୍ ବନ୍ଦ ରହୁଥିବାରୁ ଓଡ଼ିଶାକୁ ସଂପୂର୍ଣ୍ଣ ପାଣି ଆସିବା ବନ୍ଦ ହୋଇଯାଇଥାଏ । ସେଥିପାଇଁ ଅଣମୌସୁମୀ ସମୟରେ ବ୍ୟାଜେ୍ ଖୋଲା ରଖିବା ସହ ମହାନଦୀର ଜଳପ୍ରବାହ ନରୋକିବା ନେଇ ଆଲୋଚନା ହେବ ।