ଟ୍ରିବ୍ୟୁନାଲରେ ମହାନଦୀ ଶୁଣାଣି ଶେଷ , ଓଡ଼ିଶା-ଛତିଶଗଡ଼ ୨ ସପ୍ତାହ ମଧ୍ୟରେ କରିବେ ତଥ୍ୟ ଆଦାନ ପ୍ରଦାନ

ଦିଲ୍ଲୀ(କେନ୍ୟୁଜ୍) : ଟ୍ରିବ୍ୟୁନାଲରେ ମହାନଦୀ ଶୁଣାଣି ଶେଷ। ଓଡ଼ିଶା-ଛତିଶଗଡ଼ ୨ ସପ୍ତାହ ମଧ୍ୟରେ ତଥ୍ୟ ଆଦାନ ପ୍ରଦାନ କରିବେ। ଜାନୁଆରୀ ୧୦ ମଧ୍ୟରେ ଓଡ଼ିଶା ସତ୍ୟପାଠ ଦାଖଲ କରିବ। ଫେବ୍ରୁଆରୀ ଦ୍ୱିତୀୟ ସପ୍ତାହରେ ପରବର୍ତ୍ତୀ ଶୁଣାଣି ହେବ। ଓଡ଼ିଶାର ମଧ୍ୟବର୍ତିକାଳୀନ ଆବେଦନ ଉପରେ ଦିଲ୍ଲୀରେ ସୁପ୍ରିମକୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ ଶୁଣାଣି କରି ଏହି ରାୟ ଶୁଣାଇଛନ୍ତି। ଛତିଶଗଡ଼ ପକ୍ଷରୁ ମହାନଦୀ ଉପରମୁଣ୍ଡରେ ନିର୍ମାଣ କରାଯାଇଥିବା ୬ଟି ନିର୍ମାଣ କାର୍ୟ୍ୟ ଉପରେ ରହିତାଦେଶ ଜାରି କରିବା ପାଇଁ ଅକ୍ଟୋବର ୯ରେ ଓଡ଼ିଶା ପକ୍ଷରୁ ଆନ୍ତରୀଣ ଆବେଦନ କରାଯାଇଥିଲା। ଆବେଦନକୁ ଗ୍ରହଣ କରି ଛତିଶଗଡ଼ ସମେତ ୪ ରାଜ୍ୟକୁ ପକ୍ଷ ରଖିବା ପାଇଁ ନିର୍ଦ୍ଦେଶ ଜାରି କରିଥିଲେ।
ଗତ ୩ ତାରିଖରେ ମହାରାଷ୍ଟ୍ର ଓ ଛତିଶଗଡ଼ ଦ୍ୱାରା ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲରେ ଓଡ଼ିଶାର ଅନ୍ତରୀଣ ଆବେଦନ ଉପରେ ସତ୍ୟପାଠ ଦାଖଲ କରାଯାଇଥିଲା। ତେବେ ଉଭୟ ରାଜ୍ୟ ଓଡ଼ିଶା ଆବେଦନକୁ ଖାରଜ କରିବା ପାଇଁ ସତ୍ୟପାଠରେ ଉଲ୍ଲେଖ କରିଥିଲେ। ଓଡିଶା ଓ ଛତିଶଗଡ ମଧ୍ୟରେ ମହାନଦୀ ଜଳ ବିବାଦର ସମାଧାନ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଗତ ମାର୍ଚ୍ଚ ୧୨ ତାରିଖରେ ମହାନଦୀ ଟ୍ରିବ୍ୟୁନାଲ ଗଠନ କରାଯାଇଛି।