ଚାଟ୍‌ ଦୋକାନରେ ରହିଛି ମହାପୁରୁଷଙ୍କ ଫଟୋ ତା ସାଙ୍ଗକୁ ଗ୍ରାହକଙ୍କ ପାଇଁ ଲାଗିଛି ଆକ୍ୱାଗାର୍ଡ

ପିପିଲି (କେନ୍ୟୁଜ) : ଏ ହେଉଛି ନିଳକଣ୍ଠ ଭାଇନାଙ୍କ ଚାଟ୍‌ ଦୋକାନ। ଯେଉଁଠି ଏକଦମ୍‌ ଟେଷ୍ଟି ଚାଟ ମିଳିଥାଏ। ଏକଦମ୍‌ ଘରୋଇ ମସଲା, ଘରୋଇ ସ୍ୱାଦର ପୂରା ସ୍ୱାଦିଷ୍ଟ ଚାଟ୍‌ ବିକନ୍ତି ନିଳକଣ୍ଠ ଭାଇନା। ତାଙ୍କ ଚାଟ୍‌ ଗାଡିକୁ ଦେଖିଲେ ଆଖି ଲାଖିଯିବ। ଏକଦମ୍‌ ବଢ଼ିଆ ଭାବରେ ନିଜର ଚାଟ୍‌ ଗାଡିକୁ ସଜାଇଛନ୍ତି ସେ। ସବୁଠୁ ମୁଖ୍ୟ ଆକର୍ଷଣ ହେଉଛି ଭାଇନାଙ୍କ ଚାଟ ଗାଡିରେ ଥିବା ମହାପୁରୁଷ ମାନଙ୍କର ଫଟୋଚିତ୍ର। ଯାହାକୁ ନିଳକଣ୍ଠ ଭାଇନା ସକାଳ ସଞ୍ଜ ଫୁଲ ଚନ୍ଦନ ଧୂପ ଦୀପ ଦେଇ ପୂଜା କରନ୍ତି। ଦେବା ଦେବୀଙ୍କ ସ୍ଥାନରେ ପ୍ରତିଦିନ ମହାପୁରୁଷଙ୍କୁ ପୂଜା କରାଯାଇ ବେପାର ଆରମ୍ଭ କରନ୍ତି ସେ। ଆଉ ତାଙ୍କ ଚାଟ ଖାଇବାକୁ ଲାଗେ ଗ୍ରାହକଙ୍କ ଭିଡ।

ପିପିଲି -ନିମାପଡ଼ା ରାସ୍ତାର ଖେଲାର ଛକରେ ରହିଛି ଏହି ଚାଟ ଦୋକାନ। ଅଧିକାଂଶ ଲୋକେ ଏହି ଦିବଂଗତ ମହାପୁରୁଷମାନଙ୍କୁ ଭୁଲିଯାଉଛନ୍ତି, କେବଳ ବିଶେଷ ଦିନ ମାନଙ୍କରେ ହିଁ ଏମାନଙ୍କୁ ମନେ ପକାନ୍ତି ଲୋକମାନେ। କିନ୍ତୁ ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ ୨୨ ବର୍ଷ ଧରି ପ୍ରତିଦିନ ଗାନ୍ଧୀ ଗୋପବନ୍ଧୁଙ୍କ ଠାରୁ ଆରମ୍ଭ କରି ସର୍ବବଲ୍ଲୀ ରାଧାକୃଷ୍ଣ ଭଳି ମହାପୁରୁଷମାନଙ୍କ ଫଟୋ ଚିତ୍ରକୁ ଦେବାଦେବୀଙ୍କ ବଦଳରେ ନିଜ ଦୋକାନରେ ରଖି ପୂଜା କରୁଛନ୍ତି ନିଳକଣ୍ଠ ଭାଇନା। ଅପରାହ୍ନ ୪ ଟା ବାଜିଗଲେ ଖୋଲିଯାଏ ନିଳକଂଠ ଭାଇନାଙ୍କ ଚାଟ ଦେକାନ । ଖୁବ୍‌ କମ୍‌ ସମୟ ମଧ୍ୟରେ ଅତି ସୁନ୍ଦର ଭାବରେ ପ୍ରସ୍ତୁତ ହୋଇଯାଏ ଗରମା ଗରମ ସ୍ୱାଦିଷ୍ଟ ଚାଟ । ନଡ଼ିଆ ଟମାଟୋ, ଗାଜର, ଧନିଆ ପତ୍ର, ପୋଦିନା ପତ୍ରକୁ ଆଳୁରେ ମିଶାଇ ପ୍ରସ୍ତୁତ କରାଯାଇଥାଏ ଏହି ଚାଟକୁ । ଏହା ପରେ ତେନ୍ତୁଳି ଖଟାପାଣି ମିଶିଗଲେ ତାହାର ସ୍ୱାଦ ହୋଇଯାଏ ଆଉଟିକେ ସ୍ୱାଦିଷ୍ଟ।

ତେବେ ସବୁଠୁ ଖାସ୍‌ କଥା କଣ ଜାଣିଛନ୍ତି ଖାଇ ସାରିବା ପରେ ପାନୀୟ ଜଳ ପାଇଁ ଦୋକାନ ଉପରେ ଆକ୍ୱାଗାର୍ଡ଼ର ମଧ୍ଯ ବ୍ଯବସ୍ଥା ରହିଛି ଏଠାରେ । ଏଭଳି ସ୍ୱତନ୍ତ୍ର ବ୍ଯବସ୍ଥା ଭିତରେ ନିଳକଣ୍ଠଙ୍କ ଦୋକାନରେ ଗ୍ରାହକଙ୍କ ବେଶ ଭିଡ଼ ଜମିଥାଏ । ଏଭଳି ବ୍ଯବସ୍ଥାକୁ ନେଇ ଗ୍ରାହକ ଏବଂ ସ୍ଥାନୀୟବାସୀ ଖୁବ୍‌ ପ୍ରଶଂଶା କରିଥାନ୍ତି ନିଳକଣ୍ଠଙ୍କୁ । ବାଟରେ ଯାଉଥିବା ବାଟୋଇ ବି ଅଟକିଯାଏ ଭାଇନାଙ୍କ ଚାଟ ଦୋକାନର ସାଜସଜ୍ଜା ଦେଖି। ଆଜିର ଦିନରେ ମହାପୁରୁଷଙ୍କୁ ପ୍ରତିଦିନ ମନେ ପକାଇବା କାଠିକର ପାଠ ହେଉଥିବା ବେଳେ ନିଳକଂଠଙ୍କ ପରି ଜଣେ ଚାଟ ଦୋକାନୀ ପ୍ରତିଦିନ ପୂଜା କରିବା ଆମ ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିପାରିଛିା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.