ଭୁବନେଶ୍ୱର : କମିଶନରେଟ ପୋଲିସ କୁ ବଡ଼ ସଫଳତା । ରାଜଧାନୀରେ ଲୁଟ ବେଳେ ଗାଡ଼ିରୁ ପଡ଼ି ମହିଳାଙ୍କ ମୃତ୍ୟୁ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ । ୪ ଶହ ସିସିଟିଭି ଦେଖି ଅଭିଯୁକ୍ତକୁ ଗିରଫ କଲା ପୋଲିସ । ଭୁବନେଶ୍ବର ଏୟାରଫିଲ୍ଡ ଥାନା ଲବଣଗିରିରେ ଚେନ ଲୁଟ୍ ବେଳେ ଗାଡିରୁ ପଡି ମହିଳାଙ୍କ ମୃତ୍ୟୁ ଘଟଣାରେ ଜାମସେଦପୁରରୁ ମୁଖ୍ୟ ଅଭିଯୁକ୍ତ ରାଜୁ ନାଇଡୁ ଗିରଫ । ତେବେ ଲୁଟ ବେଳେ ରାଜୁର ବାଇକ ଚଳାଉଥିବା ସହଯୋଗୀ ଏବେବି ଫେରାର୍ ରହିଛି । ତାକୁ ଧରିବାକୁ ତନାଘନା ତଦନ୍ତ ଚଳାଇଛି ପୋଲିସ ।
ସୂଚନା ଅନୁଯାଇ, ଗତ ୧୧ ତାରିଖରେ ୟୁ ବିଷ୍ଣୁ ପାତ୍ର ତାଙ୍କ ସ୍ଵାମୀଙ୍କ ସହ ଭୁବନେଶ୍ୱରରୁ ହରିରାଜପୁର ସୋମନାଥ ମନ୍ଦିର ଦର୍ଶନ ପାଇଁ ବାଇକରେ ଯାଉଥିଲେ । ଏହି ସମୟରେ ଏୟାରଫିଲ୍ଡ ଥାନା ଲବଣଗିରିରେ ଦୁଇ ଦୃର୍ବୁତ୍ତ କଳା ପଲସରରେ ଆସି ୟୁ ବିଷ୍ଣୁ ପାତ୍ରଙ୍କ ବେକରୁ ସୁନା ଚେନ ଲୁଟ ଉଦ୍ୟମ କରିଥିଲେ । ତେବେ ମହିଳା ଜଣଙ୍କ ବାଇକରୁ ଖସି ତଳେ ପଡ଼ି ପଡ଼ିଯିବାରୁ ଗୁରୁତର ଆହତ ହୋଇଥିଲେ । ଘଟଣାର ତିନି ଦିନ ପରେ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।
ଏହି ମାମଲାରେ ୬ଟି ଟିମ୍ ଗଠନ କରି ଖୋଳତାଡ଼ କରିଥିଲା କମିଶନରେଟ ପୋଲିସ । ତଦନ୍ତରେ ଓଡ଼ିଶା ଓ ଝାଡ଼ଖଣ୍ଡ ରେ ୪୦୦ ସିସିଟିଭି ଫୁଟେଜ ଯାଞ୍ଚ ହୋଇଛି । ସେହିପରି ୭୬ଜଣ ଚେନ୍ ଲୁଟେରାଙ୍କୁ ପଚରା ଉଚୁରା କରିଥିଲା ପୋଲିସ । ସୁରାକ ପାଇ ଝାଡ଼ଖଣ୍ଡକୁ ଦୁଇଟି ପୋଲିସ ଟିମ୍ ଯାଇ ଦଶରୁ ଅଧିକ ସ୍ଥାନରେ ରେଡ୍ କରିଥିଲା । ଜାମସେଦପୁର ମୁଖ୍ୟ ଅଭିଯୁକ୍ତ ରାଜୁ ନାଇଡୁକୁ ଗିରଫ କରଯାଇଛି । ହେଲେ ଏବେବି ରାଜୁର ସହଯୋଗୀ ଫେରାର ଅଛି ।