ଦେବକୁଣ୍ଡ ଯାଇ ଫେରିଲେନି ପୀୟୁଷ, ଗାଧୋଇବା ବେଳେ ଘଟିଲା ବଡ଼ ଅଘଟଣ

ସାଙ୍ଗ ସହିତ ଦେବକୁଣ୍ଡ ବୁଲିବାକୁ ଯାଇଥିଲେ ପିୟୁଷ । ଗାଧୋଇ ମଜା ନେଇଥାନ୍ତେ ଦୁଇ ସାଙ୍ଗ । କିନ୍ତୁ ଗାଧୋଇବେ କଣ ପାଣି ମଝିରେ ଘଟିଗଲା ଅଘଟଣ । ପୀୟୁଷ ପାଣିରେ ପହଁରିବାକୁ ଗଲେ ଯେ ଆଉ ଫେରିଲେନି । ପାଣିରେ ବୁଡ଼ି ପିୟୁଷ ନାମକ ଜଣେ ଛାତ୍ରଙ୍କ ଜୀବନ ଯାଇଛି ।

ଉଦଳା ଥାନା ଅଧୀନ ପର୍ଯ୍ୟଟନସ୍ଥଳୀ ଦେବକୁଣ୍ଡ । ଏହି ପର୍ଯ୍ୟଟନସ୍ଥଳୀରେ ଘଟିଛି ବଡ଼ ଅଘଟଣ । ଉଦଳା ରାଢୋ କଲେଜର ଯୁକ୍ତ ୩ ଛାତ୍ର ପୀୟୁଷ ମହାପାତ୍ର ନିଜ ସାଙ୍ଗ ଦୋଳ ଗୋବିନ୍ଦ ଦଳେଇଙ୍କ ସହିତ ଦେବକୁଣ୍ଡ ବୁଲିବାକୁ ଯାଇଥିଲେ । ଦୁଇ ସାଙ୍ଗ ଗାଧୋଇବା ପାଇଁ ଦେବକୁଣ୍ଡ ଜଳପ୍ରପାତର ଏକ କୁଣ୍ଡ ନିକଟରେ ଛିଡା ହୋଇଥିଲେ, ହେଲେ ପିୟୁଷ ଗାଧୋଇବା ପାଇଁ କୁଣ୍ଡ ଭିତରକୁ ଡେଇଁ ପଡ଼ିଥିଲେ । କିନ୍ତୁ ହଠାତ ପାଣି ଭିତରେ ଛଟପଟ ହୋଇଥିଲେ ପିୟୁଷ । ପିୟୁଷ ବୁଡ଼ି ଯାଉଥିବା ଦେଖି ତାଙ୍କ ସାଙ୍ଗ ନିକଟରେ ଥିବା ଲୋକଙ୍କୁ ଡାକିଥିଲେ । ହେଲେ କାହାକୁ ବି ପହଁରା ଜଣାନଥିଲା । ପିୟୁଷଙ୍କୁ ବଞ୍ଚାଇବାକୁ ବହୁ ଚେଷ୍ଟା କରିଥିଲେ ତାଙ୍କ ସାଙ୍ଗ ଦୋଳ ଗୋବିନ୍ଦ । କିନ୍ତୁ ଯାହାର ସମୟ ସରିଯାଇଥାଏ ତାକୁ କିଏ ବା ଅଟକାଇ ପାରିବ । ମାତ୍ର ୧୫ ମିନିଟରେ ସବୁକିଛି ସରିଗଲା । ଉଦ୍ଧାରକାରୀଦଳକୁ ଖବର ଦିଆଯାଇଥିଲା ସତ । କିନ୍ତୁ ସେମାନେ ପହଞ୍ଚିବା ବେଳକୁ ପିୟୁଷଙ୍କ  ପ୍ରାଣବାୟୁ ଉଡ଼ି ଯାଇଥିଲା ।

କୁହାଯାଉଛି  କୁଣ୍ଡରେ ଅଳ୍ପ ପାଣିଥିବାରୁ ପିୟୁଷଙ୍କ ମୁଣ୍ଡ ଓ ମୁହଁ ପଥରରେ ମାଡ଼ ହୋଇଥିଲା । ପରେ ପାଣିରୁ ତାଙ୍କୁ ସାଥିମାନେ ଉଦ୍ଧାର କରିଥିବା ବେଳେ ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲା। ଦେବକୁଣ୍ଡର ୩ ନମ୍ବର କୁଣ୍ଡ ନିକଟରୁ ତଳକୁ ଆଣି ଅଗ୍ନିଶମ ବିଭାଗ ମୃତଦେହକୁ ମେଡିକାଲ ନେଇଥିଲା । ଏହି ଖବର ଜଣାପଡିବା ପରେ ଉଦଳା ମେଡିକାଲ ଲୋକାରଣ୍ୟ ହୋଇପଡିଥିବା ବେଳେ ଉଦଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଗରମ ଦିନେ ପୋଖରୀ ହେଉ କି ନଈ ସାଙ୍ଗସାଥୀମାନେ ଗାଧୋଇ ଥଣ୍ଡା ପାଣିର ମଜା ନିଅନ୍ତି । କିନ୍ତୁ ଦେଖୁଛନ୍ତି ତ କେମିତି ଅଘଟଣ ଘଟୁଛି । ତେଣୁ ଆପଣ କୌଣସି ସ୍ଥାନକୁ ଯାଇ ଗାଧୋଇବା ପୂର୍ବରୁ ଥରେ ଚିନ୍ତା କରନ୍ତୁ । ଏଭଳି ଭାବେ ନିଜ ଜୀବନକୁ ବିପଦରେ ପକାନ୍ତୁ ନାହିଁ ।