ମକର ସଂକ୍ରାନ୍ତି ପାଇଁ ସାରା ରାଜ୍ୟ ଉତ୍ସବ ମୁଖର , ଦିଅଁଙ୍କୁ ଲାଗି ହେଉଛି ମକର ଚାଉଳ

ପୁରୀ(କେନ୍ୟୁଜ୍) : ମକର ସଂକ୍ରାନ୍ତି ପାଇଁ ସାରା ରାଜ୍ୟ ଉତ୍ସବ ମୁଖର । ଦିଅଁଙ୍କୁ ଲାଗି ହେଉଛି ମକର ଚାଉଳ । ମନ୍ଦିରରେ ଗହଳି ଲାଗି ରହିଛି । ଘରେ ଘରେ ପିଠା ପଣାର ମହକ । ସେହିପରି ଆଜିଠୁ ସୂର୍ୟ୍ୟଙ୍କ ଉତ୍ତରାୟଣ ଗତି ଆରମ୍ଭ ହୋଇଛି । ସୂର୍ୟ୍ୟଙ୍କ ଗତି ଉତ୍ତରାୟଣ ହେବାରୁ ଥଣ୍ଡା କମିବ । ଦିନ ବଡ ହେବ, ରାତି ସାନ ହେବ । ସେହପରି ବିିଭିନ୍ନ ସ୍ଥାନରେ ଗୁଡି ଉଡାଇବାର ପରମ୍ପରା ରହିଛି ।
ସେପଟେ ପବିତ୍ର ମକର ସଂକ୍ରାନ୍ତି ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି । ତିନି ଠାକୁରଙ୍କୁ ମକର ଚୁଳ ଲାଗି କରାଯିବ। ମହାପ୍ରଭୂଙ୍କୁ ମକର ଚାଉଳ ସହ ୮୪ପ୍ରକାରର ପିଠା ଭୋଗ ହୋଇଥାଏ। ଆଲାମଚଣ୍ଡୀ ମନ୍ଦିରରୁ ଆସିଥିବା ମକର ତାଡରେମକର ଚାଉଳ ଭୋଗର ପରମ୍ପରା ରହିଛି। ମହାପ୍ରଭୂଙ୍କୁ ଏହି ବେଶରେ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି। ଏହି ଅବସରରେ ଶ୍ରୀମନ୍ଦିରରେ ମକରବେଢା ମଧ୍ୟ ଅନୁଷ୍ଠିତ ହୋଇଥାଏ।
ମକର ମେଳା ପାଇଁ ଅଟ୍ରିର ହଟ୍ଟକେଶ୍ୱର ଦେବଙ୍କ ପୀଠରେ ଭକ୍ତଙ୍କ ଭିଡ :
ମକର ମେଳା ପାଇଁ ଖୋର୍ଦ୍ଧା ବେଗୁନିଆ ବ୍ଲକ ଅଟ୍ରିର ହଟ୍ଟକେଶ୍ୱର ଦେବଙ୍କ ପୀଠରେ ଭକ୍ତଙ୍କ ଭିଡ ଜମିଛି। ମହାଦେବଙ୍କ ଦର୍ଶନ ସହ ଗୁଆଖୋଜା ପର୍ବରେ ସାମିଲ ହୋଇଛନ୍ତି ଶହ ଶହ ମହିଳା। ବିଶ୍ୱାସ ରହିଛି ନିଃସନ୍ତାନ ଦମ୍ପତ୍ତି ମାନସିକ ରଖି ଏଠାରେ ଗୁଆ ଖୋଜି ପାଇଲେ ସନ୍ତାନ ଲାଭ କରିଥାନ୍ତି। ଏଥିପାଇଁ ଗତକାଲି ରାତିରୁ ଶ୍ରଦ୍ଧାଳୁଙ୍କ ଏଠାରେ ଭିଡ ଜମିଛି। ଆଜିଠାରୁ ଏଠାରେ ମକର ଯାତ୍ରା ଆରମ୍ଭ ହେଉଛି। ପ୍ରାୟ ୧୫ଦିନ ଧରି ଚାଲିବ ଯାତ୍ରା। ଭିଡକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ଯାଜପୁର ବିଂଝାରପୁରରେ ପାଳନ ହେଉଛି ବାବା ବରୁଣେଶ୍ୱରଙ୍କ ସ୍ୱନକ୍ଷତ୍ର ଦିବସ :
ପବିତ୍ର ମକର ସଂକ୍ରାନ୍ତି ଅବସରରେ ଯାଜପୁର ବିଂଝାରପୁରରେ ପାଳନ ହେଉଛି ବାବା ବରୁଣେଶ୍ୱରଙ୍କ ସ୍ୱନକ୍ଷତ୍ର ଦିବସ । ପ୍ରଭୁ ବରୁଣେଶ୍ୱର ବର୍ଷସାରା ଜଳରେ ମଗ୍ନ ହୋଇ ରହିଥାନ୍ତି । ଏହି ଦିନ ଜଳ ନିଷ୍କାସନ କରାଯାଇ ମହାଦେବଙ୍କୁ ବଡସିଂହାର ବେଶ କରାଯାଇଥାଏ । ଭୋର ୪ଟାରୁ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ବାବା ବରୁଣେଶ୍ୱର । ଆଜିଠାରୁ ୧୦ଦିନ ବ୍ୟାପୀ ବରୁଣେଶ୍ୱର ମେଳା ଚାଲିବ । ଚଳିତବର୍ଷ ମହୋତ୍ସବର ଆୟୋଜନ କରିଛି ଜିଲ୍ଲା ପ୍ରଶାସନ । ଏକାଧିକ ପାର୍ଟି ସାଙ୍ଗକୁ ମୀନାବଜାର ଓ ପଲ୍ଲିଶ୍ରୀ ମେଳା ଆୟୋଜନ କରାଯାଇଛି। ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।