ମେକ୍ ଇନ୍ ଓଡିଶା ପାଇଁ କାଉଣ୍ଟଡାଉନ ଆରମ୍ଭ, ଫୋକସରେ ବିଦେଶୀ ପୁଞ୍ଜିନିବେଶ

ଭୁବନେଶ୍ବର : ମେକ୍ ଇନ୍ ଓଡିଶା ପାଇଁ କାଉଣ୍ଟଡାଉନ ଆରମ୍ଭ । ଏଥର ଫୋକସରେ ବିଦେଶୀ ପୁଞ୍ଜିନିବେଶ । ଆସନ୍ତା ୧୨ ତାରିଖରେ ମେକ୍ ଇନ ଓଡ଼ିଶା କନକ୍ଲେଭରେ ଜାପାନ ଭିତ୍ତିକ କମ୍ପାନୀ ପାଇଁ ରଖାଯାଇଛି ଏକ ଅଧିବେଶନ । ଏଥିରେ ଜାପାନିଜ୍ କମ୍ପାନୀକୁ ଓଡ଼ିଶାର ମାନ୍ୟୁଫାକଚରିଂ କ୍ଷେତ୍ରରେ ରହିଥିବା ସୁଯୋଗ ସମ୍ପର୍କରେ ଅବଗତ କରାଯିବ। ଏଥିରେ ମିତ୍ସୁବିସି ହେଭି ଇଣ୍ଡଷ୍ଟ୍ରିଜ, ମାରୁବେନି, ଜେଏଫଇ ଷ୍ଟିଲ, ନିସିନ୍ ଫୁଡ୍, ମିତସୁଇ ଓ ତାହାହାତା ପ୍ରେସିସନ୍ ଭଳି କମ୍ପାନୀ ସାମିଲ ହେବେ। ମେକ୍ ଇନ ଓଡ଼ିଶାର କଣ୍ଟ୍ରି ପାର୍ଟନର ରହିଛି ଜାପାନ। କେବଳ ଜାପାନ ନୁହେଁ ସମ୍ମିଳନୀରେ ଫ୍ରାନ୍ସ, ରୁଷ, ସାଉଦିଆରବ, ୟୁଏଇ ଆଦି ଦେଶରୁ ବିଜିନେସ ଡେଲିଗେଟ୍ସ ସାମିଲ ହେବେ।
ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ରହିଛି ପର୍ଯ୍ୟାପ୍ତ ସୁଯୋଗ । ଉତ୍ତମ ବାତାବାରଣ ସାଙ୍ଗକୁ କଞ୍ଚାମାଲର ସୁବିଧା। ମେକ ଇନ ଓଡ଼ିଶା ସମ୍ମିଳନୀରେ ଏମିତି ଏକ ବାର୍ତ୍ତା ବିଦେଶୀ ଶିଳ୍ପସଂସ୍ଥାଙ୍କୁ ଦେବା ପାଇଁ ଉଦ୍ୟମ କରିବେ ରାଜ୍ୟ ସରକାର। ଆଇ ଆମ ଓଡ଼ିଶା ମାଧ୍ୟମରେ ବିଦେଶୀ ଶିଳ୍ପ ପ୍ରତିନିଧିଙ୍କ ଆଗରେ ରାଜ୍ୟର ଶିଳ୍ପ ସଂପର୍କିତ ତଥ୍ୟ ରଖାଯିବ ।
ମେକ୍ ଇନ ଓଡ଼ିଶାର ଆକର୍ଷଣ ସାଜିବେ ବିଜିନେସ ଟାଇକୁନ ମୁକେଶ ଅମ୍ବାନୀ । ତାଙ୍କ ସହ କୁମାର ମଙ୍ଗଳମ ବିର୍ଲା, ଏନ.ଚନ୍ଦ୍ରଶେଖରନ, ଅନିଲ ଅଗ୍ରୱାଲଙ୍କ ଭଳି ପ୍ରତିଷ୍ଠିତ ଶିଳ୍ପପତି ମଧ୍ୟ ଭାଗ ନେବେ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ମେକ୍ ଇନ ଓଡିଶାର ପ୍ରଥମ ସଂସ୍କରଣରେ ପୁଞ୍ଜିନିିବେଶ ପାଇଁ ୧୨୪ଟି ପ୍ରସ୍ତାବ ଆସିଥିଲା। ଏଭିତରେ ୬୪ଟି ଶିଳ୍ପସଂସ୍ଥାର ଭିତ୍ତିପ୍ରସ୍ତର ପଡ଼ିଛି।