ଯୁଗାଡ଼ ଡଙ୍ଗା ତିଆରି କରି ଗର୍ଭବତୀ ମହିଳାଙ୍କୁ ନଦୀ ପାର୍ କରାଇ ମେଡିକାଲରେ ପହଁଚାଇଲେ ଯବାନ

ମାଲକାନଗିରି: ପାହାଡ଼ିଆ ନଦୀର ପ୍ରଖର ସ୍ରୋତ । ତା ଭିତରେ ଜଣେ ମହିଳାଙ୍କୁ କାଠ ପଟା ଉପରେ ବସାଇ ଦଉଡ଼ି ସାହାଯ୍ୟରେ ପାରି କରାଉଛନ୍ତି ଆମ ଯବାନମାନେ । ଏ ଦୃଶ୍ୟ ଦେଖିଲେ ଲାଗୁଛି କେଉଁ ହଲିଉଡ୍‌ କି ବଲିଉଡ୍‌ ଫିଲ୍ମର ସୁଟିଂ ଚାଲିଛି । ହେଲେ ସତରେ ଇଏ ସିନେମା ନୁହେଁ ବାସ୍ତବ ଦୃଶ୍ୟ ।

କେତେବେଳେ ଆମ ଜୀବନ ବଞ୍ଚାଇବା ପାଇଁ ଯବାନମାନେ ମାଓବାଦୀ ସହ ଲଢ଼ିଥାନ୍ତି ତ ଆଉ କେତେବେଳେ ଆମ ଦୁଃଖ ସୁଖର ସାଥି ହୋଇଥାନ୍ତି । ଏହି ଯବାନ ମାନେ ଦିନ ରାତି ନ ଶୋଇ, ନ ଖାଇ ନିଜ ଜୀବନକୁ ବାଜି ଲଗାଇ ଶତ୍ରୁ ଠାରୁ ଆମର ଜୀବନକୁ ବଞ୍ଚାଇଥାନ୍ତି । ଅହରହ ଦେଶ ମାତୃକାର ସେବା କରିଥାନ୍ତି । ତେବେ ପୁଣି ଏବେ ଏହି ଯବାନମାନେ ଦେଖାଇଛନ୍ତି ମହାନତା ।

ବନ୍ୟା ସମୟରେ ଦେବଦୂତ ସାଜିଲେ CRPF ଯବାନ । ଦେଖନ୍ତୁ ଏହି ଭିଜୁଆଲ୍ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ CRPF ଯବାନମାନେ କେମିତି ନିଜ ଜୀବନକୁ ବାଜି ଲଗାଇ ଜଣେ ଗର୍ଭବତୀ ମହିଳାଙ୍କୁ ନଦୀ ପାର କରିବା ସହ ଉଭୟ ମାଆ ଏବଂ ନବଜାତ ଶିଶୁ ପାଇଁ ମେଡିକାଲରେ ପହଞ୍ଚାଇଥିଲେ । ସଠିକ ସମୟରେ ଚିକିତ୍ସା ଯୋଗାଇ ଉଭୟ ମାଆ ଆଉ ନବଜାତ ଶିଶୁର ଜୀବନ ବଞ୍ଚାଇଥିବାରରେ ସଫଳ   ହୋଇଥିଲେ ।

ଅଣ୍ଟା ଉଚ୍ଚାର ପାଣି ସୁଅ ଛୁଟୁଥାଏ । ତାଭିତରେ ପଶି ଦୌଡି ସାହାଯ୍ୟରେ ଚାଲିଥିଏ ଗର୍ଭବତୀ ମହିଳାଙ୍କୁ ନଦୀ ପାର୍ କରାଇବାକୁ ପ୍ରୟାସ । ନା ଜନ୍ତୁଜୁନ୍ତାଙ୍କ ଭୟ ନା ଭରା ପାଣିର ଭୟ, ସେ ସବୁକୁ ପଛରେ ପକାଇ କରିଥିଲେ ନିଜ କର୍ତ୍ତବ୍ୟ ।

ତେବେ ଗର୍ଭବତୀ ମହିଳାଙ୍କ ଘର ନାମ୍ବୀ ଗାଁରେ । ତେବେ ଲଗାଣ ବର୍ଷା ଯୋଗୁଁ ପାଖରେ ଥିବା ନଦୀରେ ପ୍ରବଳ ବନ୍ୟା ଜଳ ପ୍ରବାହିତ ହୋଇଥିଲା । ଠିକ୍ ଏହି ସମୟରେ ଗର୍ଭବତୀ ମହିଳା ମାଣ୍ଡବି ଜାଗିଙ୍କର ପ୍ରବଳ ଯନ୍ତ୍ରଣା ହୋଇଥିଲା । ତେବେ ପରିବାର ଲୋକ ଉପାୟଶୂନ୍ୟ ହୋଇ ପଡ଼ିଥିଲେ । କଣ କରିବେ କିଇ ବି ବୁଝିପାରୁନଥିଲେ । ତେବେ ଏହି ଖବର CRPF ଯବାନଙ୍କ କାନରେ ପଡିବା ପରେ ସେମାନେ ନିଜକୁ ସମ୍ଭାଳି ପାରିନଥିଲେ । କାଳ ବିଳମ୍ବ ନକରି ତୁରନ୍ତ ମହିଳାଙ୍କ ପାଖରେ ପହଞ୍ଚିଥିଲେ ଆଉ ବଢାଇଥିଲେ ସହଯୋଗର ହାତ ।

ପାଖରେ ଡଙ୍ଗା ନଥିବାରୁ ନିଜ ଉପସ୍ଥିତ ବୁଦ୍ଧି ଖଟାଇ ଏକ ଯୁଗାଡ଼ ଡଙ୍ଗା ତିଆରି କରିଥିଲେ । ଆଉ ନିଜ ଜୀବନକୁ ବାଜି ଲଗାଇ ଜବାନ ମାନେ ନଦୀ ଆରପାରିରେ ଥିବା ମେଡିକାଲରେ ପହଞ୍ଚାଇ ଥିଲେ ଗର୍ଭବତୀ ମହିଳାଙ୍କୁ । ସେତେବେଳକୁ ଶିଶୁଟି ଜନ୍ମ ହୋଇସାରିଥିଲା । ସେପଟେ ପାଦ ପାଦକେ ମାଓବାଦୀଙ୍କ ଭୟ । ତଥାପି ମହିଳାଙ୍କ ଜୀବନ ବଞ୍ଚାଇବାକୁ ଆଗ ପ୍ରାଥମିକତା ଦେଇଥିଲେ ଯବାନମାନେ । ତେବେ ବର୍ତ୍ତମାନ ନବଜାତ ଶିଶୁଟିର ଓ ମାଆର ସ୍ୱାସ୍ଥ୍ୟାବସ୍ଥା ସୁସ୍ଥ ଥିବା ଜଣାପଡ଼ିଛି । ଏହି ଯବାନମାନଙ୍କର ଏଭଳି ମହାନ କାର୍ଯ୍ୟ ପାଇଁ ସେମାନଙ୍କୁ ଆମ ତରଫରୁ ଶତ ଶତ ନମନ ।

 

You might also like