ପୁଣି ଥରେ ଆନନ୍ଦପୁର ଅଞ୍ଚଳକୁ ଫେରିଛି ମ୍ୟାଲେରିଆ, ଚିକିତ୍ସିତ ହେଉଛନ୍ତି ୫ ଶିଶୁ ଜଣେ ମହିଳା

ଚାଲିଛି ବର୍ଷା ଋତୁ । ତେଣୁ ସ୍ୱାସ୍ଥ୍ୟ ବିଭାଗର ମୁଣ୍ଡ ବିନ୍ଧାର କାରଣ ପାଲଟିଛି ମଶାଜନିତ ରୋଗ । ବର୍ଷା ଦିନରେ ମଶା ବଂଶ ବିସ୍ତାର କରୁଥିବା ବେଳେ ମଶାଜନିତ ରୋଗ ଯଥା: ମ୍ୟାଲେରିଆ, ଡେଙ୍ଗୁ ଭଳି ମାରାତ୍ମକ ରୋଗ ବିଭିନ୍ନ ସ୍ଥାନରେ ଦେଖା ଦେଲାଣି । ସେହିଭଳି ଆନନ୍ଦପୁର ଅଞ୍ଚଳରେ କାୟା ବିସ୍ତାର କରୁଛି ମ୍ୟାଲେରିଆ ଜ୍ୱର । ଗତ ଦୁଇ ତିନି ବର୍ଷ ହେବ ଏହି ଜ୍ୱର କାଁ ଭାଁ ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳୁଥିଲା ହେଲେ ଗତ ଏକ ମାସ ହେବ ପୁଣିଥରେ ଆନନ୍ଦପୁର ଅଞ୍ଚଳକୁ ଫେରିଛି ମ୍ୟାଲେରିଆ ଜ୍ୱର ।

ବିଶେଷ କରି ଆଦିବାସୀ ଅଧୁଷିତ ଆନନ୍ଦପୁର ବ୍ଲକ୍ ବୁଢୀକୁଦ ପଞ୍ଚାୟତ ମଣ୍ଡପଡା ଗାଁରେ ବ୍ୟାପକ ହେଲାଣି ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା । ପ୍ରାୟ ଏକ ମାସ ତଳେ ଏଠାରେ ପ୍ରଥମ ରୋଗୀ ଚିହ୍ନଟ ହୋଇଥିବାବେଳେ ଏବେ ଘରେ ଘରେ ଲୋକଙ୍କ ଠାରେ ମ୍ୟାଲେରିଆ ଜ୍ୱରର ଲକ୍ଷଣ ପ୍ରକାଶ ପାଇଛି । ପିଲାଠାରୁ ଆରମ୍ଭ କରି ବୟଷ୍କ ଲୋକ ପର୍ଯ୍ୟନ୍ତ ଏହି ରୋଗରେ ପିଡିତ ହେଉଛନ୍ତି । ମ୍ୟାଲେରିଆ ଜ୍ୱର ପିଡିତ ହୋଇ ଆନନ୍ଦପୁର ଚିକିତ୍ସାଳୟରେ ୫ ଜଣ ଶିଶୁ ଏବଂ ଜଣେ ମହିଳା ଚିକିତ୍ସିତ ମଧ୍ୟ ହେଉଛନ୍ତି ।

ରୋଗ ବ୍ୟାପିବା ଖବରପାଇ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ନିୟମିତ ଭାବେ ଗାଁରେ କ୍ୟାମ୍ପ ଲଗାଇ ରୋଗୀଙ୍କ ରକ୍ତ ନମୁନା ପରୀକ୍ଷା କରିବା ସହ ମ୍ୟାଲେରିଆ ପଜିଟିଭ୍ ବାହାରିଲେ ସେଥିପାଇଁ ଔଷଧ ଦେଉଛନ୍ତି । ଦୁଷିତ ପରିବେଶ ସାଙ୍ଗକୁ ଅନେକ ଅବହେଳା ଯୋଗୁଁ ଏହି ରୋଗ ପୁଣିଥରେ ଦେଖା ଦେଇଥିବା କହିଛନ୍ତି ଡାକ୍ତର । ଏଥିସହ ପରିବେଶକୁ ପରିସ୍କାର ପରିଚ୍ଛନ୍ନ ରଖିବା ସହ ରୋଗର ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରିବାକୁ କହିଛନ୍ତି ବିଶେଷଜ୍ଞ ଡାକ୍ତର ।

କହି ରଖୁଛୁ ଡେଙ୍ଗୁ, ଟାଇଫଏଡ ଭଳି ମ୍ୟାଲେରିଆ ମଧ୍ୟ ଏକ ସାଙ୍ଘାତିକ ଜ୍ୱର । ଏହି ଜ୍ୱର ହେଲେ ମଣିଷ ଥରିବାକୁ ଲାଗିଥାଏ । କେବଳ ସେତେକି ନୁହେଁ ମ୍ୟାଲେରିଆ ହେଲେ ଶରୀରରେ ବିଭିନ୍ନ ପରିବର୍ତ୍ତନ ହୋଇଯାଇଥାଏ । ବେଳେ ବେଳେ ଠିକ ଚିକିତ୍ସା ନହେଲେ ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇଯାଇଥାଏ । ତେବେ ଏହି ରୋଗରୁ ମୁକ୍ତି ପାଇବା ପାଇଁ ରାତିରେ ଶୋଇବା ସମୟରେ ଲମ୍ବା କପଡ଼ା ପିନ୍ଧି ଶୁଅନ୍ତୁ । ଏହା ବ୍ୟତୀତ ମଶାଠାରୁ ରକ୍ଷା ପାଇବା ପାଇଁ ମଶା ଧୂପ, ସ୍ପ୍ରେ ଏବଂ ମଶାରୀ ବ୍ୟବହାର କରନ୍ତୁ । ଘରର ଆଖପାଖରେ ଜମୁଥିବା ଆବର୍ଜନା ସଫା କରନ୍ତୁ ଏବଂ ପାଣି ଜମିବାକୁ ଦିଅନ୍ତୁ ନାହିଁ ।

You might also like