ନକଲି ମୁମ୍ବାଇ ପୋଲିସ ସାଜି ଲୁଟିଲେ ୬ ଲକ୍ଷ ଟଙ୍କା, ୩ ଅଭିଯୁକ୍ତ ଗିରଫ

ମାଲକାନଗିରି: ନକଲି ପୋଲିସ ଡ୍ରେସ୍ ସହ ନକଲି ଡକ୍ୟୁମେଣ୍ଟ । ଏସବୁକୁ ନେଇ ଗରିବ ନିରୀହ ଲୋକଙ୍କୁ ଠକୁଥିଲେ ଠକ ଦଳ । ପୋଲିସ ଡ୍ରେସ ପିନ୍ଧି ଲୋକଙ୍କୁ ଡରାଇ ଧମକାଇ ଲୁଟୁ ଥିଲେ । କିନ୍ତୁ ଚୋର ଘର ତ ସବୁଦିନେ ଅନ୍ଧାର ନଥାଏ । କେତେ ଦିନ ବା ଏଭଳି ଲୁଟ କରିଥାନ୍ତେ ? ଏମାନଙ୍କ ସବୁ ଚାଲାକି ଏବେ ଧରା ପଡ଼ିଛି । ନକଲି ମୁମ୍ବାଇ ପୋଲିସଙ୍କୁ ଗିରଫ କଲା ମାଲକାନଗିରି ପୋଲିସ ।

ରାଜସ୍ଥାନରୁ ଏହି ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ମାଲକାନଗିରି ଜିଲ୍ଲା ସଦର ମହକୁମାର ଦୁର୍ଗାଗୁଡି ସାହିର ଅଶୋକ ତ୍ରିପାଠୀ ନାମକ ବ୍ୟକ୍ତିଙ୍କ ଠାରୁ ସାଢ଼େ ଛଅ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ନକଲି ପୋଲିସ । ଗତ ମାର୍ଚ୍ଚ ୮ ତାରିଖରେ ଅଶୋକ ତ୍ରିପାଠୀଙ୍କୁ ନକଲି ପୋଲିସ ପୋଷାକ ପିନ୍ଧି ନିଜକୁ ମୁମ୍ବାଇ ପୋଲିସ କହି ଭିଡିଓ କଲ କରି ଧମକ ଦେଇଥିଲେ ।

ଅଶୋକଙ୍କ ମୋବାଇଲ ନମ୍ବର ଏବଂ ଆଧାର କାର୍ଡରେ ଅନେକ ମନି ଲଣ୍ଡରିଂ ମାମଲା ଥିବା କହି ଧମକ ଦେଇଥିଲେ ଲୁଟେରା । ଆଉ ସାଢ଼େ ଛଅ ଲକ୍ଷ ନ ଦେଲେ ଗିରଫ କରିବାକୁ ଧମକ ଦେଇଥିଲେ । ଆଉ ଭୟରେ ଅଶୋକ ତ୍ରିପାଠୀ ୬ ଲକ୍ଷ ଟଙ୍କା ଦେଇଥିଲେ । ଏନେଇ ଅଶୋକ ତ୍ରିପାଠୀ ମାଲକାନଗିରି ଆଦର୍ଶ ଥାନାରେ ଏକ ମାମଲା ରୁଜୁ କରିଥିଲେ ।

ଏହାକୁ ଭିତ୍ତିକରି ମାଲକାନଗିରି ଥାନା ପୋଲିସ ଗୁରୁତର ନେଇ ତଦନ୍ତ କରି ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ନିରୀହ ଲୋକଙ୍କୁ ଫସାଇ ବଡ଼ ଲୁଟ କରିବା ପାଇଁ ଉଦ୍ୟମ କରିଥିଲେ ଠକ ଦଳ । କିନ୍ତୁ ଏହି କାରନାମା ଯେ ସେମାନଙ୍କୁ ଏତେ ମହଙ୍ଗା ପଡିବ ସେମାନେ କେବେ ସ୍ୱପ୍ନରେ ସୁଦ୍ଧା ଭାବିନଥିବେ ।

ଏବେ ଏ ନକଲି ପୋଲିସ ବାବୁମାନେ ଯିବେ ଅସଲି ହାଜତକୁ । ତେବେ ଏଥିରେ ଅନ୍ୟ କେଉଁମାନେ ସଂପୃକ୍ତ ଅଛନ୍ତି ସେ ନେଇ ତଦନ୍ତ କରାଯାଉଛି । ଏହି ନକଲି ପୋଲିସ ବାବୁ ଏମିତି କେତେ ଲୋକଙ୍କୁ ଠକିଛନ୍ତି? ସେନେଇ ଅଧିକ ଖୋଳତାଡ଼ ଆରମ୍ଭ ହୋଇଛି ।

Also read: ସୁନା ବ୍ୟବସାୟୀଙ୍କୁ ଗୁଳିମାଡ଼, ଲୁଟି ନେଲେ ୧୫ କିଲୋ ରୂପା ଅଳଙ୍କାର