୩ ହଜାର ବଦଳରେ ୪୩ ହଜାର ଘୋଟାଲା, ମାନିଲେ ପ୍ରଧାନ ଶିକ୍ଷକ

ମାଲକାନଗିରି (କେନ୍ୟୁଜ୍) : ଉଠାଇବାରୁ ଥିଲା ୩ ହଜାର ଟଙ୍କା । ତେବେ ଉଠାଇ ନେଲେଲେ ୪୩ ହଜାର । ମାଲକାନାଗିରି ଏମ୍ଭି ୧୭ ଗାଁ ସ୍କୁଲ ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଆସିଛି ଏହି ଅଭିଯୋଗ । ଅଭିଯୋଗ ଅନୁସାରେ, ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷାଙ୍କଠାରୁ ଏକ ଚେକ୍ରେ ଦସ୍ତଖତ କରାଇ ନେଇଥିଲେ ପ୍ରଧାନଶିକ୍ଷକ ତ୍ରୈଲୋକ୍ୟନାଥ ଶୁକ୍ଳା । ବିଦ୍ୟୁତ୍ ପାଇଁ ଟଙ୍କା ଦରକାର କହି ୩ ହଜାର ବଦଳରେ ୪୩ ହଜାର ଟଙ୍କା ଉଠାଇ ନେଇଥିଲେ । ପରବର୍ତ୍ତୀ ସମୟରେ ଘଟଣା ଜଣାପଡ଼ିବା ପରେ ପ୍ରଧାନ ଶିକ୍ଷକ ନିଜ ଭୁଲ ସ୍ୱୀକାର କରି ଏବିଷୟରେ କାହାକୁ ନଜଣାଇବାକୁ କହିଥିଲେ । ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ବି ପଦାକୁ ଆସିଛି । ୟୁଜିବି ବ୍ୟାଙ୍କର ଶାଖା ପରିଚାଳକଙ୍କୁ ଘଟଣା ସମ୍ପର୍କରେ ପଚାରିବାରୁ, ସେ କହିଥିଲେ ସେଦିନ ଟଙ୍କା ଉଠାଇବାକୁ ପ୍ରଧାନ ଶିକ୍ଷକଙ୍କ ସହ ନିଜେ ପରିଚାଳନା କମିଟି ଅଧ୍ୟକ୍ଷା ମଧ୍ୟ ଆସିଥିଲେ । ତେଣୁ ଯାଞ୍ଚ କରାଯାଇ ନଥିଲା । ଅନ୍ୟପକ୍ଷରେ ଉଠାଯାଇଥିବା ଟଙ୍କାକୁ ଅନ୍ୟ ଏକ ବ୍ୟାଙ୍କରେ ଜମା କରିଛନ୍ତି ବୋଲି କହିଛନ୍ତି ପ୍ରଧାନଶିକ୍ଷକ । ଏ ସମସ୍ତ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଭାରପ୍ରାପ୍ତ ଜିଲ୍ଲା ଶିକ୍ଷାଧିକାରୀ କହିଛନ୍ତି । ତଦନ୍ତ ହେଲେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରି ପାରନ୍ତି ।