ଗୁପୁଚୁପ ବିକି ପିଲାଙ୍କ ପେଟକୁ ଦାନା ଯୋଗାଉଛନ୍ତି ମାମାଲି, ଜୀବନ ରାସ୍ତାରେ କରି ଚାଲିଛନ୍ତି ସଂଘର୍ଷ

କୋହଭରା କଣ୍ଠରେ ଗୁପୁଚୁପ ବିକୁଛନ୍ତି ମାମାଲି । ଖୋର୍ଦ୍ଧା କଣ୍ଟିଲୋ ପର୍ଯ୍ୟଟନ ରାସ୍ତାର ବେଗୁନିଆ ବ୍ଲକ ସିମୋର ସ୍କୁଲ ନିକଟରେ ସଂଘର୍ଷମୟୀ ମହିଳା ମାମାଲି ଜେନା ବିକ୍ରି କରନ୍ତି ଗୁପୁଚୁପ୍ ।ନା କିଏ ଆଗକୁ ଅଛି ନା କିଏ ପଛକୁ ଅଛି । କିନ୍ତୁ ଅଛି କାନ୍ଧରେ ଦୁଇ କୁନି ପିଲାଙ୍କ ଭବିଷ୍ୟତର ବୋଝ । ଆଉ ଏହାକୁ ଆଧାର କରି ଜୀବନ ରାସ୍ତାରେ ସଂଘର୍ଷ କରି ଚାଲିଛନ୍ତି ଜଣେ ସଂଘର୍ଷମୟୀ ମହିଳା । କେତେ ଦୁର୍ଗମ ତାଙ୍କ ରାସ୍ତା, ଜୀବନ ଯୁଦ୍ଧରେ ହାରିବେ ନା ଜିତିବେ କିଛି ଜାଣି ନାହାନ୍ତି । କିନ୍ତୁ ଦୁଇ ପିଲାଙ୍କ ପାଇଁ କରି ଚାଲିଛନ୍ତି ସଂଘର୍ଷ ।ଆଖିରେ ଆଖିଏ ସ୍ବପ୍ନ ଆଉ ରାସ୍ତାରେ ସଂଘର୍ଷ ହିଁ ସଂଘର୍ଷ । ନା ଅଛି ମୁଣ୍ଡ ଉପରେ ଛାତ ଅବା ନା ଆଗକୁ ପଛକୁ କିଏ ଅଛି ସାହାରା । କିନ୍ତୁ ପାଖରେ ଦୁଇ ଆଶାବାଡି ଦୁଇ କୁନି ପୁଅଝିଅଙ୍କ ବୋଝ କାନ୍ଧ ଉପରେ ବହି ଚାଲିଛନ୍ତି।

ବୋଲଗଡ ବ୍ଲକ ବୋଲଗଡର ଏହି ମହିଳା ଜଣଙ୍କ ହେଉଛନ୍ତି ମାମାଲି ଜେନା । ୨୦୧୭ ମସିହାରେ ବୋଲଗଡର  ଦୀପକ କୁମାର ଜେନାଙ୍କୁ ବୈଦିକ ରୀତିରେ ବିବାହ କରିଥିବା ବେଳେ କିଛିଦିନ ଚାଲିଥିଲା ସୁଖର ସଂସାର । ଦୁଇ ପିଲାଙ୍କ ମାଆ ହୋଇଥିଲେ  ମାମାଲି । ଉଭୟ ସ୍ୱାମୀ ସ୍ତ୍ରୀ ବୋଲଗଡ଼ରେ ଦୋକାନ ଦେଇ ପରିବାର ଚଳାଉଥିଲେ ହେଲେ ହଠାତ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମାଡିଆସିଲା ଝଡ । ସ୍ୱାମୀ ଅତ୍ୟଧିକ ମଦ ପିଇ ମାଡ ମାରିବା ସହିତ ଅତ୍ୟାଚାର କଲେ ଆଉ ପରେ ବାହାରକୁ ଚାଲିଗଲେ । ସ୍ତ୍ରୀ ଆଉ ଦୁଇ ପିଲା ହୋଇଗଲେ ଅଲୋଡ଼ା । ମୁଣ୍ଡ ଗୁଞ୍ଜିବା ପାଇଁ ସ୍ତ୍ରୀ ଆଉ ଦୁଇ ପିଲା ହେଲେ ବାରଦୁଆର । ବୋଲଗଡ଼ ପ୍ରଶାସନ ବି ସାଥ ଦେଲାନି ।

ବେଗୁନିଆ ବ୍ଲକର ଶିମୋର ଗାଁକୁ ଚାଲି ଆସିଲେ ମାମାଲି । ନିଜେ ଆଉ ଦୁଇ ପିଲାଙ୍କ ଭବିଷ୍ୟତ ଆଶାରେ ଆରମ୍ଭ କଲେ ଗୁପଚୁପ ଠେଲା ବ୍ୟବସାୟ । ଯାହା ଦୁଇ ପଇସା ହୁଏ ପିଲାଙ୍କୁ ପଢ଼ାଇବା ସହିତ ପେଟରେ ଓଦାକନା ପକାଇ ଏବେ ଜାରି ରଖିଛନ୍ତି ସଂଘର୍ଷ । ହେଲେ ଏପରି ଜଣେ ମହିଳାଙ୍କ ପ୍ରତି ବୋଲଗଡ଼ ଏବଂ ଖୋର୍ଦ୍ଧା ପ୍ରଶାସନ ଆଖିବୁଜି ଦେଇଛି ଯାହାକି ଆଜିର ଅନ୍ତର୍ଜାତିୟ ମହିଳା ଦିବସରେ ଏକ ଶକ୍ତ ଧକ୍କା ।

Also Read: ଦୀର୍ଘ ୧୮ ବର୍ଷ ହେବ ମହିଳାଙ୍କ ସଂଘର୍ଷପୂର୍ଣ ଯାତ୍ରା: ନିଜେ ଟ୍ରଲିରେ ଯାଇ ଦହିବରା ଆଳୁଦମ୍ ବ୍ୟବସାୟରେ ଲାଗିପଡ଼ନ୍ତି…