ମାମୁନିଙ୍କ କମାଲ୍: ଯୁକ୍ତ ୨ କଳାରେ ୮୮% ମାର୍କ ରଖି ସୋରଡା ବ୍ଲକରେ ହାସଲ କରିଛନ୍ତି ପ୍ରଥମ ସ୍ଥାନ
ସୋରଡା(କେନ୍ୟୁଜ): ଦୃଢ ଇଚ୍ଛା ଶକ୍ତି ଆଗରେ ହାର ମାନେ ସବୁକିଛି । ଆଉ ସେ ସବୁ ପ୍ରତିବନ୍ଧକକୁ ସାମ୍ନା କରି ଆଜି ସଫଳତା ହାସଲ କରିଦେଖାଇଛନ୍ତି ମଫସଲ ଗାଁରେ ରହୁଥିବା ଗରିବ ଘରର ଝିଅ ମାମୁନି ଗଉଡ । ସୋରଡା ପ୍ରକାଶ ଚନ୍ଦ୍ର ଉଚ୍ଚ ମାଧ୍ୟମିକ ମହିଳା ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଯୁକ୍ତ ୨ର ଛାତ୍ରୀ ମାମୁନି ଗଉଡ । କଲେଜ ଓ ସୋରଡା ଆଞ୍ଚଳ ପାଇଁ ସୁନାମ ଆଣିଛନ୍ତି । ବଣରେ ଫୁଟିଥିବା ବଣ ମଲ୍ଲି ଯେ ନିଜର ବାସନାରେ ଚାରିଆଡ ମହକିବ କିଏ ଜାଣିଥିଲେ । ଯାହା ସମ୍ଭବ କରି ଦେଖାଇଛନ୍ତି ସୋରଡା ଠାରୁ ସାତ କିଲୋମିଟର ଦୂରରେ ଥିବା ବାଘିଲିଙ୍ଗି ଗ୍ରାମର ଝିଅ ।
ମାମୁନି ଗଉଡ ଓ ମା ବିଷ୍ଣୁ ପ୍ରିୟା ଗଉଡ ଏବଂ ସାନ ଭଉଣୀକୁ ନେଇ ଛୋଟ ପରିବାର । ମାମୁନିଙ୍କୁ ୧୦ବର୍ଷ ବୟସରେ ତାଙ୍କ ବାପା ଛାଡି ଦେଇ କେଉଁ ଆଡେ ଚାଲି ଯାଇଛନ୍ତି । ଯାହାର ଆଜି ପର୍ଯ୍ୟନ୍ତ ଖୋଜ ଖବର ନାହିଁ । ବହୁ ଦୁଃଖ କଷ୍ଟ ରେ ମା ଦୁଇ ଝିଅଙ୍କୁ ଧରି ବାପା ଭାଇଙ୍କ ଆଶ୍ରୟ ନେଲେ । କିଛି ଟେଲରିଙ୍ଗ କାମ କରି ଦୁଇ ଝିଅଙ୍କୁ ପାଠ ପଢାଇଲେ । ମା ଓଳିଏ ଖାଇ ଓଳିଏ ଉପାସ ରହି ପିଲାଙ୍କୁ ବଡ ମଣିଷ କରିବାରେ ଲାଗିପଡିଲେ ।
ଝିଅକୁ ବାଘିଲିଙ୍ଗି ଗ୍ରାମରୁ ସୋରଡା ପ୍ରକାଶ ଚନ୍ଦ୍ର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ପାଠ ପଢାଇବାକୁ ଛାଡିଲେ । ମାମୁନିଙ୍କର ପାଠ ପଢା ପ୍ରତି ଆଗ୍ରହ ଦେଖି କଲେଜର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ମାନେ ତାଙ୍କ ଉପରେ ଅଧିକ ନଜର ରଖିଲେ । ସେମାନେ ଜାଣିଥିଲେ ଯେ ମାମୁନି ଦିନେ ନି ଦିନେ କଲେଜର ଟେକ ରଖିବ । ମାମୁନି ଯୁକ୍ତ ୨ କଳା ବିଭାଗର ଛାତ୍ରୀ ଥିଲେ । ସେ ୬୦୦ ମାର୍କ ରୁ ୫୩୦ ନମ୍ବର ରଖି ୮୮% ପ୍ରତିଶତରେ ସୋରଡା ବ୍ଲକରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।
ଖରା,ବର୍ଷା,ଶୀତକୁ ଖାତିରି ନ କରି ପ୍ରତିଦିନ ସାଇକେଲରେ ସାତ କିଲୋମିଟର ଦୂର ଆସି ସକାଳେ କଲେଜରେ ପାଠ ପଢିବା ସହିତ ଟିୟୁସନରେ ମଧ୍ୟ ଯାଇଥାନ୍ତି । ଟିୟୁସନରେ ଭଲ ପଢିବା ଓ ସହନଶୀଳ ନମ୍ର ସ୍ଵଭାବ ଯୋଗୁ ସେ ଆଜି ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି ବୋଲି ଟିୟୁସନ ସାର୍ ବନବାସୀ ସାହୁ କହିଛନ୍ତି । ମାମୁନି ଆଗକୁ ପଲିଟିକାଲ୍ ଅନର୍ସ ରଖି ପ୍ରଶାସନିକ ଅଧିକାରୀ ହେବା ପାଇଁ ଲକ୍ଷ ରଖିଛନ୍ତି । କିନ୍ତୁ ଅଧିକ ପଢିବା ପାଇଁ ଅର୍ଥ ତାଙ୍କ ପାଇଁ ସୃଷ୍ଟି କରିଛି ବାଧକ । ମାମୁନି ଏବଂ ତାଙ୍କ ପରିବାର ସରକାରଙ୍କୁ ନିବେଦନ କରିଛନ୍ତି, ଯଦି ସବୁ ସୁବିଧା ମିଳନ୍ତା ତାହା ହେଲେ ମାମୁନିଙ୍କ ଅଭିଳାଷ ପୂରଣ ହୋଇପାରନ୍ତା ।