ସମ୍ପତ୍ତି ପାଇଁ ବଡ଼ ଭାଇକୁ ଠେଙ୍ଗା ପିଟି ପଥରରେ ଛେଚି ନଦୀକୁ ଫିଙ୍ଗିଦେଲା ସାନ ଭାଇ, ତାପରେ ହେଲା କିଛି ଏମିତି
କରଞ୍ଜିଆ (କେନ୍ୟୁଜ): ଜମିଜମାକୁ କେନ୍ଦ୍ରକରି ବଡ଼ ଭାଇକୁ ଠେଙ୍ଗାରେ ନିସ୍ତୁକ ପିଟିବା ସହ ମୁଣ୍ଡ ଓ ହାତକୁ ପଥରରେ ଛେଚି ନଦୀକୁ ଠେଲି ଦେଲା ସାନ ଭାଇ। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା ଅନ୍ତର୍ଗତ ସାହାରପାଟ ଗାଁରେ।
ସମ୍ପତ୍ତି ପାଇଁ ଗତକାଲି ରାତିରେ ଗାଁର ତ୍ରିଲୋଚନ ଦେହୁରୀ ଓ ସାନ ଭାଇ ସର୍ବେଶ୍ୱର ଦେହୁରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ସର୍ବେଶ୍ୱର ଉତ୍କ୍ଷିପ୍ତ ହୋଇ ବଡ଼ ଭାଇ ତ୍ରିଲୋଚନଙ୍କୁ ଠେଙ୍ଗାରେ ପିଟିଥିଲେ। ପରେ ସର୍ବେଶ୍ୱର, ତାଙ୍କ ସ୍ତ୍ରୀ ସୁନା, ପୁଅ ଶୁକ ଓ ୩ ଜଣ ଗ୍ରାମବାସୀ ମିଶି ତ୍ରିଲୋଚନଙ୍କୁ ଘୋଷାରି ଘୋଷାରି ନଦୀ କୂଳକୁ ନେଇ ଯାଇଥିଲେ। ସେଠାରେ ସେମାନେ ତାଙ୍କ ମୁଣ୍ଡ ଓ ହାତକୁ ପଥରରେ ଛେଚି ନଦୀକୁ ଠେଲି ଦେଇଥିଲେ। ତ୍ରିଲୋଚନ ମରିଯାଇଥିବା ଭାବି ସର୍ବେଶ୍ୱର ଓ ଅନ୍ୟ ଅଭିଯୁକ୍ତମାନେ ସେଠାରୁ ପଳାଇ ଆସିଥିଲେ।
ଆଜି ସକାଳେ କିଛି ଗ୍ରାମବାସୀ ନଦୀ କୂଳରୁ ତ୍ରିଲୋଚନଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରିଥିଲେ। ଏବେ କରଞ୍ଜିଆ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଛି। ଏନେଇ ଖବର ପାଇବା ପରେ ପୋଲିସ୍ ପହଁଚି ପଚରାଉଚରା କରିବା ସହିତ ତଦନ୍ତ ଆରମ୍ଭ କରିଛି।