ସ୍ତ୍ରୀକୁ ହତ୍ୟା ଉଦ୍ୟମ ଅଭିଯୋଗ, ସ୍ଵାମୀ ଫେରାର

ବାଲେଶ୍ଵର : ବାଲେଶ୍ଵର ପରିବାର ଅଦାଲତରେ ଛାଡ଼ପତ୍ର ମାମଲା ଚାଲିଥିବା ବେଳେ ସ୍ତ୍ରୀକୁ ସ୍ଵାମୀ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଏଭଳି ଅଭାବନୀୟ ଘଟଣା ବାଲେଶ୍ଵର ରେଳ ଷ୍ଟେସନ ନିକଟ ଏକ ଟିକଟ କାଉଣ୍ଟରରେ ଦେଖିବାକୁ ମିଳିଛି । ବାଲେଶ୍ଵର ଜିଲ୍ଲା ତାଳପଦା ଅଞ୍ଚଳର ରିତାଞ୍ଜଳି ମଲ୍ଲିକ ପୁରସ୍ତମପୁର ଅଞ୍ଚଳର ଭରତ ମଲ୍ଲିକଙ୍କୁ ପ୍ରେମ ବିବାହ କରିଥିଲେ ।
ତେବେ ବିବାହ ପରେ ଭରତ ଅଧିକ ମଦ୍ୟପାନ କରି ମାରପିଟ୍ କରିବାରୁ ମାମଲା ପରିବାର ଅଦାଲତକୁ ଯାଇଥିଲା । ଅନ୍ୟପଟେ ବିବାଦ ପରେ ରିତାଞ୍ଜଳୀ ଦିଲ୍ଲୀରେ ଏକ ଘରୋଇ ଅନୁଷ୍ଠାନରେ କାମ କରୁଥିବା ବେଳେ ଛାଡ଼ପତ୍ର ମାମଲାରେ ବାଲେଶ୍ବର ଆସିଥିଲେ । ଯେହେତୁ ରିତାଞ୍ଜଳି ଙ୍କ ବାପଘର ଲୋକେ ଝିଅର ନିର୍ଯାତନା ପାଇଁ ଛାଡ଼ପତ୍ର ଦେଲେ ଘରକୁ ଆସିବୁ ବୋଲି ଦାବି କରୁଥିବା ବେଳେ ରିତାଞ୍ଜଳି ଦିଲ୍ଲୀରେ କାମ କରି କେସ ଲଢ଼ୁଥିଲେ ।
ତେବେ ଛାଡ଼ପତ୍ର ପାଇଁ ରୀତାଞ୍ଜଳିଙ୍କ ସ୍ବାମୀ ଭରତ ପାଖରେ କିଛି ଆବଶ୍ୟକ କାଗଜ ପତ୍ର ରହିଥିବା ବେଳେ ଆଜି ଫେରେଇ ଦେବାକୁ କହି ବାଲେଶ୍ଵର ଷ୍ଟେସନ ନିକଟକୁ ଭାରତ ପୂର୍ବ ପ୍ରସ୍ତୁତି କ୍ରମେ ଆସିଥିଲା । ତେବେ ଆଜି ଦିନ 12 ଟା 40 ରେ ରିତାଞ୍ଜଳୀଙ୍କୁ ଏକୁଟିଆ ଦେଖି ଘଟୋଇ ଟିକଟ କାଉଣ୍ଟରରେ ଏକ ଧାରୁଆ ଅସ୍ତ୍ରରେ ବେକକୁ ଆକ୍ରମଣ କରିଥିଲା ।
ସୌଭାଗ୍ୟ ବଶତଃ ରିତାଞ୍ଜଳୀ ନିଜକୁ ବଞ୍ଚାଇବାକୁ ଉଦ୍ୟମ କରୁଥିବା ବେଳେ ଧାରୁଆ ଅସ୍ତ୍ରରେ ତାଙ୍କର ଦୁଇ ହାତ ପାପୁଲିରେ ଗଭୀର କ୍ଷତ ହୋଇଯାଇଥିବା ସହ ଆଙ୍ଗୁଠି କଟିଯିବା ଦେଖିବାକୁ ମିଳିଛି । ତେବେ ଆକ୍ରମଣ ପରେ ସ୍ଵାମୀ ଘଟଣାସ୍ଥଳ ରୁ ଫେରାର ଥିବା ବେଳେ ପି ସି ଆର ଭ୍ୟାନ ଘଟଣା ସ୍ଥଳରେ ପହଞ୍ଚି ଗୁତର ଯୁବତୀ ଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରିଛି ।